ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି: ଖଟିଆରେ ବୁହା ହେଲେ ପୁଣି ଜଣେ ଗର୍ଭବତୀ ମହିଳା। ତାହା ପୁଣି ୧୦ କିମି ଦୂରକୁ ବୁହା ହୋଇ ଗଲେ। ଆଦିବାସୀଙ୍କ ସ୍ୱାସ୍ଥ୍ୟର ଉନ୍ନତି କରୁଥିବା ସରକାର ଡିଣ୍ଡିମ ପିଟୁଥିବା ବେଳେ ଅବହେଳିତ ସ୍ୱାସ୍ଥ୍ୟ ସେବାର ଆଉ ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ।

ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳ ଭାବେ ପରିଚିତ ଖଇରପୁଟ ବ୍ଲକର କତ୍ରାଗୁଡ଼ା ଗ୍ରାମରେ ରାଧା ଖିଲ ନାମକ ଜଣେ ଆଦିବାସୀ ମହିଳାଙ୍କର ଆଜି ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କ ପରିବାର ବର୍ଗ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ତେବେ ଗତ କିଛି ଦିନ ଧରି ଲଗାତାର ବର୍ଷା ଯାଗୁଁ ବଡ଼ଡୁରାଲ ପଞ୍ଚାୟତରେ ଥିବା ଏହି ଗ୍ରାମର ରାସ୍ତାଟି ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିବା ଯୋଗୁଁ ଆମ୍ବୁଲାନ୍ସଟି ଆସିବାକୁ ମନା କରିଥିଲା। ଫଳରେ ମାଡ଼କାପଦର ଗ୍ରାମ ନିକଟରେ ଆମ୍ବୁଲାନ୍ସଟି ଆସି ଅଟକିଯାଇଥିଲା।

ରାଧାର ପ୍ରସବ ଯନ୍ତ୍ରଣା ବଢ଼ିବାରୁ ପରିବାର ଲୋକେ ବାଧ୍ୟ ହୋଇ ପ୍ରାୟ ୧୦ କିଲୋମିଟର ଦୂର ମାଡ଼କାପଦର ଗ୍ରାମ ପର୍ଯ୍ୟନ୍ତ ଖଟିଆରେ ବୋହି ଆଣିଥିଲେ। ସେଠାରୁ ଆମ୍ବୁଲାନ୍ସଟି ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଚିକିତ୍ସା କରାଯାଇଛି।

କିଛି ଦିନ ପୂର୍ବେ ମଧ୍ୟ ଖଇରପୁଟ ବ୍ଲକରେ ରାସ୍ତା ଖରାପ ଯୋଗୁଁ ଜନ୍ଦ୍ରାଗୁଡ଼ା ଗ୍ରାମର ଜଣେ ମହିଳାଙ୍କୁ ଭାରରେ ବୋହି ଆଣିବା ଘଟଣା ଜିଲ୍ଲାରେ ଚର୍ଚ୍ଚା ହୋଇଥିଲା।

Comment