ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଗତ କିଛିଦିନ ତଳେ ଉଠିଲା ପଡ଼ିଲା ଓଡ଼ିଶା। ଚାବି କୁଆଡ଼େ ଗଲା ତାର ତଦନ୍ତ ପାଇଁ ରାଜ୍ୟ ସରକାର ବିଚାର ବିଭାଗୀୟୟ ତଦନ୍ତ ଆଦେଶ ଦେଇ କମିଶନ ଗଠନ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନକୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜଷ୍ଟିସ ରଘୁବୀର ଦାଶ କମିଶନ। ହେଲେ ଏଯାଏଁ ପ୍ରଶାସନ ସତ୍ୟପାଠ ଦାଖଲ କରିନି। ଫଳରେ କମିଶନ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଜଷ୍ଟିସ ରଘୁବୀର ଦାଶ ନିଜେ ଆଜି ପୁରୀ ଆସିଥିଲେ। ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସହ ଆଲୋଚନା କରିଥିଲେ। ପୁରୀ ଜିଲ୍ଲାପାଳ, ଏସ୍‌ପି ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତୁରନ୍ତ ସତ୍ୟପାଠ ଦାଖଲ କରିବାକୁ ଜଷ୍ଟିସ ଆଜି ପୁଣି ନିର୍ଦ୍ଦେଶ ଦେଇଛନ୍ତି।

ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ଅଡ଼ୁଆରେ ପଡ଼ିଥିଲେ। ଚାବି କେମିତି ହଜିଲା ସେନେଇ ବିରୋଧୀ ମଧ୍ୟ ସରକାରଙ୍କୁ ଘେରିଥିଲେ। ଏହି ହୋ-ହଲ୍ଲା ଭିତରେ ଅଚାନକ ପୁରୀ ଜିଲ୍ଲାପାଳ କହିଥିଲେ ଯେ ରେକର୍ଡ ରୁମ୍‌ରୁ ଡୁପ୍ଲିକେଟ ଚାବି ମିଳିଗଲା। ଏହହି ଡୁପ୍ଲିକେଟ୍ ଚାବି ଏବେ ପ୍ରଶ୍ନବାଚୀ ଘେରରେ ରହିଛି। ଏସବୁ ପ୍ରଶ୍ନର ଖୋଳତାଡ଼ ଆରମ୍ଭ କରିଛନ୍ତି କମିଶନ।

ବର୍ତ୍ତମାନ ସୁଦ୍ଧା ୪ଟି ସତ୍ୟପାଠ ଦାଖଲ ହୋଇଛି କମିଶନଙ୍କ ପାଖରେ। ହେଲେ ସେଥିରେ ସେମିତି କିଛି ଖାସ୍ ତଥ୍ୟ ନଥିବା ଜଣାପଡ଼ିଛି। ଆବଶ୍ୟକୀୟ ପ୍ରମାଣ ସହ ସତ୍ୟପାଠ ଦାକଲ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ଏପଟେ ପିସିସି ସଭାପତି ଟୁଇଟର୍‌ରେ ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ପୁଣି ବାଣ ମାରିଛନ୍ତି। ଚାବି ହଜିବାକୁ ୧୧୬ ଦିନ ବିତିଥିଲେ ମଧ୍ୟ ସରକାର ସଠିକ୍ ତଥ୍ୟ ଦେଇପାରୁ ନଥିବା ନିରଞ୍ଜନ କହିଛନ୍ତି।

ନିରଞ୍ଜନ ଟୁଇଟ୍ କରିଛନ୍ତି, “ରତ୍ନଭଣ୍ଡାର ଚାବି ହଜିବାକୁ ୧୧୬ ଦିନ ବିତିଲାଣି। ଚାବି ହଜିବା ଦିନରୁ ଆଜିଯାଏଁ ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କି ପଦକ୍ଷେପ ନେଇଛନ୍ତି?”

Comment