ଓଡ଼ିଶାଲାଇଭ୍ ବ୍ୟୁରୋ
ଏଜବାଷ୍ଟନ୍ଠାରେ ବୁଧବାରଠାରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ୍। ଇଂଲଣ୍ଡ ଶୃଙ୍ଖଳା ଆରମ୍ଭରୁ ଭ୍ରମଣକାରୀ ଭାରତକୁ ଚାପରେ ରଖିବା ଲକ୍ଷ୍ୟରେ ରହିବ। ଭାରତ ମଧ୍ୟ ଘରୋଇ ଦଳକୁ ଆରମ୍ଭରୁ ଏକ ଶକ୍ତ ଧକ୍କା ଦେବା ଯୋଜନାରେ ଥିବ।
ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରେ ସ୍ପିନ୍ କି ପେସ୍ ବାଲିଂର ଯେ ପ୍ରଭାବ ରହିବ ଏବେ ବିରାଟ କୋହଲିଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ସାଧାରଣତଃ ଇଂଲଣ୍ଡରେ ପେସ୍ ବୋଲିଂର ପ୍ରଭାବ ରହିଥାଏ। କିନ୍ତୁ ଏବେ ଇଂଲଣ୍ଡରେ ଅସ୍ୱାଭାବିକ ଭାବେ ପାଗ ଗରମ ଓ ଶୁଷ୍କ ଥିବାରୁ ପିଚ୍ରୁ ସୁଇଙ୍ଗ୍ ମିଳିବା ସମ୍ଭାବନା କମ୍। ଯାହାକି ସ୍ପିନ୍ ସପକ୍ଷରେ ଗୁରୁତ୍ୱ ରଖିବାକୁ ଉତ୍ସାହିତ କରୁଛି। କିଏ କ’ଣ ମତ ରଖୁ କିିମ୍ବା ସାମାଜିକ ଗଣମାଧ୍ୟମରେ ଯାହା କିଛି ଖେଳିଯାଉ କୋହଲି କୌଣସି ଥିରେ ପ୍ରଭାବିତ ହେବା ଭଳି ଖେଳାଳି ନୁହନ୍ତି।
କୋହଲିଙ୍କ ଅଧିନାୟକ ରେକର୍ଡ
୩୫ ଟେଷ୍ଟ୍ରେ ଅଧିନାୟକତ୍ୱ କରି ସାରିଥିବା କୋହଲି ଭାରତକୁ ୨୧ ବିଜୟ ଦେଇଛନ୍ତି। ଏହା ମଧ୍ୟରେ ବିଦେଶ ମାଟିରେ ୮ ବିଜୟ ରହିଛି।
ଦଳର ସାମର୍ଥ୍ୟ ଓ ଦୁର୍ବଳତା ତାଙ୍କୁ ଭଲ ଭାବରେ ଜଣା।
ଦଳରେ ୩ ଜଣ ଲେଖାଏଁ ବିଶ୍ୱ ଶ୍ରେଣୀୟ ପେସ୍ ବୋଲର ଉମେଶ ଯାଦବ, ଈଶାନ୍ତ ଶର୍ମା, ମହମ୍ମଦ ସାମି ଏବଂ ସ୍ପିନର୍ ଆର୍ ଅଶ୍ୱିନ୍, ରବୀନ୍ଦ୍ର ଜାଦେଜା, କୁଲ୍ଦୀପ ଯାଦବ ରହିଥିବାରୁ ବିକଳ୍ପର ଅଭାବ ନାହିଁ। ସ୍ପିନ୍ ସମ୍ଭାବନା କାଏମ ରହିଲେ କୋହଲି ନିଶ୍ଚିତ ଅଶ୍ୱିନ-ଜାଦେଜାଙ୍କୁ ଖେଳାଇବାରେ କୁଣ୍ଠିତ ହେବେ ନାହିଁ। ବିଶ୍ୱ ମାନ୍ୟତାରେ ଏମାନେ ଯଥାକ୍ରମେ ୩ ଓ ୫ ନମ୍ବର ସ୍ଥାନରେ ଅଛନ୍ତି। ୩ ସ୍ପିନର ଖେଳାଇବା ସମ୍ଭାବନା କମ୍ ଥିବାରୁ କୁଲ୍ଦୀପଙ୍କୁ ଚୂଡାନ୍ତ ଏକାଦଶରେ ନେବା ଏକ ପ୍ରଶ୍ନବାଚୀ ହୋଇଛି। ଏ କ୍ଷେତ୍ରରେ ଦଳରେ ସନ୍ତୁଳନ ଆଣିବା କାଠିକର ପାଠ ହୋଇଯିବ। କିନ୍ତୁ ଅତୀତରେ ଭାରତ ୩ ଜଣିଆ ସ୍ପିନ୍ ଆକ୍ରମଣରେ ଖେଳିବାର ଅନେକ ଉଦାହରଣ ରହିଛି।

୨୦୧୪ ଇଂଲଣ୍ଡ ଗସ୍ତ ପରଠାରୁ ଭାରତ କେବଳ ୯ ଘରୋଇ ଟେଷ୍ଟ୍ରେ ଏବଂ ଦେଶ ବାହାରେ କେବଳ ଗଲ୍ରେ ଏଭଳି କରିଥିଲା। ୨୦୧୬ରେ ଘରୋଇ ମାଟିରେ ଇଂଲଣ୍ଡ ବିପକ୍ଷ ସମସ୍ତ ୫ ଟେଷ୍ଟ୍ରେ ୩ ସ୍ପିନ୍ ଆକ୍ରମଣରେ ଖେଳି ଭାରତ ୪-୦ରେ ବିଜୟୀ ହୋଇଥିଲା। ଏବେ ଇଂଲଣ୍ଡର ପିଚ୍ ଓ ପରିବେଶକୁ ନଜରରେ ରଖି ଭାରତ ୨ ପେସ୍ ଓ ୩ ସ୍ପିନ୍ ଯୋଜନାକୁ ମଧ୍ୟ ବିଚାରରେ ରଖିଛି। କିନ୍ତୁ ଓ୍ଵିକେଟରକ୍ଷକଙ୍କୁ ଛାଡ଼ି ଭାରତ ୫ ଜଣ ବ୍ୟାଟସମ୍ୟାନରେ ଖେଳିବ କି ନାଁ ଯୋଜନା କରୁଛି। କୋହଲି ନିଜର ୩୫ ଟେଷ୍ଟ୍ ନେତୃତ୍ୱ ସମୟରେ ୨୩ ମ୍ୟାଚ୍ରେ ୫ ଜଣ ବୋଲରଙ୍କୁ ନେଇ ଖେଳିଛନ୍ତି। ତେବେ ଇଂଲଣ୍ଡର ପିଚ୍ ପରିସ୍ଥିତିକୁ ନେଇ ସବୁକିଛି ନିର୍ଣ୍ଣୟ କରାଯିବ।
ଅଶ୍ୱିନ୍ ଏବଂ ଜାଡେଜାଙ୍କ ମଧ୍ୟରେ ତୁଳନା
ଅଶ୍ୱିନ୍ ଏବଂ ଜାଡେଜାଙ୍କ ମଧ୍ୟରେ ତୁଳନା ଦେଖିଲେ ଅଶ୍ୱିନ୍ ୫୮ ଟେଷ୍ଟ୍ ଖେଳି ୨୫.୩୪ ହାରରେ ୩୧୬ ଓ୍ଵିକେଟ୍ ନେଇଛନ୍ତି। କିନ୍ତୁ ଘରୋଇ ମାଟିରେ ଏହା ୩୬ ଟେଷ୍ଟ୍ରୁ ୨୨୫ ଓ ବିଦେଶରେ ୨୨ ଟେଷ୍ଟ୍ରୁ ୯୧ ଓ୍ଵିକେଟ୍ ରହିଛି। ଇଂଲଣ୍ଡରେ ୨ ଟେଷ୍ଟ୍ ଖେଳି ନେଇଛନ୍ତି ମାତ୍ର ୩ ଓ୍ଵିକେଟ୍। ସେହିଭଳି ଜାଡେଜା ୩୬ ଟେଷ୍ଟ୍ରୁ ୨୩.୧୧ ହାରରେ ୧୭୧ ଓ୍ଵିକେଟ୍ ନେଇଥିବାବେଳେ ଘରୋଇ ମାଟିରେ ୨୬ରୁ ୧୩୭ ଏବଂ ବିଦେଶରେ ୧୦ରୁ ୩୪ ଓ୍ଵିକେଟ୍ ପାଇଛନ୍ତି। ଇଂଲଣ୍ଡରେ ୪ ଟେଷ୍ଟ୍ ଖେଳି ୯ ଓ୍ଵିକେଟ୍ ନେଇଛନ୍ତି।
ଇଂଲଣ୍ଡରେ ବୋଲିଂ ରେକର୍ଡ
ଅନ୍ୟପକ୍ଷରେ ଇଂଲଣ୍ଡରେ ୨୦୦୨ ମସିହାଠାରୁ ଖେଳାଯାଇଥିବା ୧୧୪ ଟେଷ୍ଟ୍ରୁ ସ୍ପିନର୍ଙ୍କୁ ୭୮୭ ଓ୍ଵିକେଟ୍ ମିଳିଥିବାବେଳେ ପେସର୍ଙ୍କୁ ୨୭୬୮ ଓ୍ଵିକେଟ୍ ମିଳିଛି। କିନ୍ତୁ ୨୦୦୮ ଜୁଲାଇ ପରଠାରୁ ଦେଖିଲେ ୬୯ ଟେଷ୍ଟ୍ରୁ ସ୍ପିନର୍ଙ୍କୁ ୪୭୪ ଓ ପେସର୍ଙ୍କୁ ୧୭୧୬ ଓ୍ଵିକେଟ୍ ମିଳିଛି।
ବିଗତ ୧୬ ବର୍ଷରେ ଇଂଲଣ୍ଡରେ ଭାରତର ବୋଲିଂ ରେକର୍ଡ
ବିଗତ ୧୬ ବର୍ଷ ଭିତରେ ଇଂଲଣ୍ଡରେ ଭାରତ ଖେଳିଥିବା ୧୬ ଟେଷ୍ଟ୍ରୁ ସ୍ପିନର୍ ୬୬ ଓ ପେସର୍ ୧୫୦ ଓ୍ଵିକେଟ୍ ନେଇଛନ୍ତି।

















