ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱକପ୍ ହକି ପାଇଁ ସରକାରୀ ସ୍ତରରେ ଚାଲିଛି ପ୍ରମୋସନ। ଲଣ୍ଡନଠୁ ଆରମ୍ଭ କରି ଦିଲ୍ଲୀ ବେଙ୍ଗାଳୁରୁ ଓ ଭୁବନେଶ୍ୱର। ସବୁଠି ଜମିଛି ପ୍ରମୋସନ୍।
ଓଡ଼ିଶା ପୁରୁଷ ହକି ବିଶ୍ୱକପ ପାଇଁ ଉଷ୍ମତା କ୍ରମେ ବଢ଼ିବାରେ ଲାଗିଛି। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ହେବା ଏହି ମେଗା ଇଭେଣ୍ଟ। ଏଥିପାଇଁ ଲୋକମାନଙ୍କୁ ଅଧିକ ଆକୃଷ୍ଟ କରାଇବା ପାଇଁ ଓଡ଼ିଶା ସରକାର ଓ ହକି ଇଣ୍ଡିଆ ପକ୍ଷରୁ ଉଦ୍ୟମକୁ ବ୍ୟାପକ କରାଯାଇଛି।
ନୂଆଦିଲ୍ଲୀଠାରେ ‘ହାର୍ଟ ବିଟ୍ସ ଫର ହକି’ (ହକି ପାଇଁ ଆପଣଙ୍କ ହୃଦୟ ସ୍ପନ୍ଦିତ ହେବାକୁ ଦିଅନ୍ତୁ) ଅଭିଯାନ ଆରମ୍ଭ ହୋଇଛି। ଏହା ଏକ ୩୬୦ ଡିଗ୍ରୀ ଅଭିଯାନ। ଯାହାକୁ କି ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଓଡ଼ିଶା ସରକାର ପ୍ରତିଶ୍ରୁତିବଦ୍ଧ।
ଏହି ଅଭିଯାନରେ ସଙ୍ଗୀତ, ମନୋରଞ୍ଜନ, ଫ୍ୟାଶନ, ପିଓର ସ୍ପୋଟର୍ସ ଓ ପ୍ୟାନେଲ ଆଲୋଚନା ଜରିଆରେ ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ ହକି ସାଥିରେ ରଖିବାକୁ ଉଦ୍ୟମ କରାଯିବ।
ଜାତୀୟ ହକି ଟିମ୍କୁ ନେଇ ପ୍ରସ୍ତୁତ ଡିଜିଟାଲ ଅଭିଯାନରୁ ଏହା ଆରମ୍ଭ ହୋଇଛି। ଯେଉଁଥିରେ ସେମାନେ ‘ହକିପାଇଁ ମୋ ହୃଦୟ ସ୍ପନ୍ଦିତ ହେଉଛି, ଆଉ ଆପଣଙ୍କର?’ ବୋଲି କହି ଲୋକମାନଙ୍କ ସମର୍ଥନ ଆହ୍ବାନ କରୁଥିବା ଦେଖିବାକୁ ମିଳୁଛି।
“ହକି ପାଇଁ ନିଜର ହୃଦୟ ଦେବାକୁ ଆମେ କହୁଛୁ। ଏହା ହେଉଛି ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ, ଯେଉଁଥିରେ ଆମେ ହକିର ପେଣ୍ଠସ୍ଥଳୀକୁ ଯାଉଛୁ ଏବଂ ଏକ ସ୍ଵତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ହକି ଷ୍ଟିକ୍ରେ ରେକର୍ଡିଂ କରି ସେମାନଙ୍କ ହୃଦୟର ସ୍ପନ୍ଦନକୁ ଆମର କରି ଦେବାକୁ କହୁଛୁ”, କହିଛନ୍ତି ବ୍ରାଣ୍ଡ ଷ୍ଟ୍ରାଟେଜିଷ୍ଟ ଓ ଏହି ଅଭିଯାନର ସୃଷ୍ଟିକର୍ତ୍ତା ନୂପୁର ମହାଜନ।
ଓଡ଼ିଶା ପୁରୁଷ ହକି ବିଶ୍ୱକପ ପାଇଁ ଯୋଗାଯୋଗ ଓ ରଣନୀତି ପରାମର୍ଶଦାତାଭାବେ ସେ ଓଡ଼ିଶା ସରକାରଙ୍କ ସହିତ କାମ କରୁଛନ୍ତି।
ମହାଜନଙ୍କ କହିବା ଅନୁସାରେ ଯଦି ହକି ପାଇଁ ଆପଣଙ୍କ ହୃଦୟ ସ୍ପନ୍ଦିତ ହେଉଛି ତେବେ ଆମେ ଆପଣଙ୍କର କିଛି ସ୍ପନ୍ଦନ ହକିକୁ ଦେବାକୁ ଆହ୍ଵାନ କରୁଛୁ।
୪ ମାସ ମଧ୍ୟରେ ସଂଗ୍ରହ କରାଯିବାକୁ ଥିବା ହୃଦୟ ସ୍ପନ୍ଦନ ଗୁଡ଼ିକୁ ନଭେମ୍ବର ୨୭ରେ ହେବାକୁଥିବା ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନୀ ଉତ୍ସବରେ ବିଶ୍ୱର ୧୬ ଜଣ ଅଧିନାୟକଙ୍କୁ ପ୍ରଦାନ କରାଯିବ।
‘ହାର୍ଟ ବିଟ୍’ ନାମରେ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହକି ଷ୍ଟିକ୍କୁ ଯେଉଁମାନେ ଧରିବେ ସେମାନେ ହକିପ୍ରତି ଦିନର ସମର୍ଥନ କରିବାବେଳେ ହୃଦ୍ ସ୍ପନ୍ଦନର ରେକର୍ଡିଂ କରିବେ। ହକି ଆଡ୍ଡା ଜରିଆରେ ହାର୍ଟ ବିଟ୍ ସାରା ଦେଶ ପରିଭ୍ରମଣ କରିବ।
ହକି ଆଡ୍ଡା ହେଉଛି ଏକ କ୍ଷେତ୍ର ଭିତ୍ତିକ ଆଲୋଚନା ମଞ୍ଚ, ଯେଉଁଥିରେ କି ହକି ଖେଳାଳି ଓ ବିଶେଷଜ୍ଞମାନେ ଯୁବପୀଢ଼ୀର ଦର୍ଶକଙ୍କ ସହ ଆଲୋଚନା କରିବେ। ଯେତେ ସମ୍ଭବ ହୃଦୟ ସ୍ପନ୍ଦନ ସଂଗ୍ରହ କରିବା ପାଇଁ ପ୍ରତିଟି କ୍ରୀଡ଼ା ପ୍ରେମୀଙ୍କୁ ସେଥିରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରିବାର ଅଂଶ ସ୍ବରୂପ ସ୍ବତନ୍ତ୍ର ହାର୍ଟ ବିଟ୍ କ୍ୟାଣ୍ଟରକୁ ଦେଶର ନିର୍ଦ୍ଦିଷ୍ଟ କିଛି ଚୟନ ହୋଇଥିବା ସହରକୁ ପଠାଯିବ।
ସ୍ଵତନ୍ତ୍ରଭାବେ ହେବାକୁଥିବା କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନେ ନିଜ ହୃଦୟ ସ୍ପନ୍ଦନର ସମର୍ଥନ ଦେବାର ସୁଯୋଗ ପାଇବେ। ହକି ପ୍ରତି ସାରା ଦେଶର ସମର୍ଥନ ପ୍ରତୀକ ସ୍ଵରୂପ ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ୧୬ ଜଣ ଅଧିନାୟକଙ୍କୁ ହାର୍ଟ ବିଟ୍ ପ୍ରଦାନ କରାଯିବ।
ସ୍ଵତନ୍ତ୍ରଭାବେ ପ୍ରସ୍ତୁତ କରାଯାଇଥିବା ଷ୍ଟିକ୍କୁ ହକିର ପେଣ୍ଠସ୍ଥଳ କୁହାଯାଉଥିବା ୬ଟି ସହର ଚଣ୍ଡିଗଡ଼, ବେଙ୍ଗାଲୁରୁ, ମୁମ୍ବାଇ, ଭୋପାଳ, ରାଉରକେଲା ଓ ଇମ୍ଫାଲରେ ଉପଲବ୍ଧ କରାଯିବ। ସାଧାରଣ ଜନତାଙ୍କ ପାଇଁ କଳିଙ୍ଗ ଷ୍ଟାଡିୟମରେ ସ୍ଥାୟୀଭାବେ ୨ଟି ହକି ଷ୍ଟିକ୍ ସ୍ଥାପନ କରାଯିବ।
ହାର୍ଟ ବିଟ୍ କ୍ୟାଣ୍ଟର ଦେଶର ଅନ୍ୟ ସହର ଯଥା ଜଳନ୍ଧର, ଲକ୍ଷ୍ନୌ, ରାଞ୍ଚି, ନୂଆଦିଲ୍ଲୀ, ଚେନ୍ନାଇ ଓ ଆହୁରି ଅଧିକ ସହର ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି।
“ଜାତୀୟ ଦଳ ନିକଟରେ ପ୍ରଶଂସନୀୟ ପ୍ରଦର୍ଶନ କରି ଭାରତୀୟ ହକିକୁ ଶିଖରରେ ପହଞ୍ଚାଇଛି। ହକି ବିଶ୍ୱକପରେ ନିଜ ପସନ୍ଦର ଦଳକୁ ସମର୍ଥନ ଜଣାଇବା ପାଇଁ ଭୁବନେଶ୍ୱରରେ ଉପସ୍ଥିତ ହେବାକୁ ଆମେ ସମସ୍ତଙ୍କୁ ଆହ୍ବାନ କରୁଛୁ”, କହିଛନ୍ତି ହକି ଇଣ୍ଡିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଏଲିନା ନର୍ମାନ।
ଏହା ସହିତ କଳିଙ୍ଗ ଷ୍ଟାଡିୟମ୍ର ଗ୍ୟାଲେରୀ କାମ ବି ଜୋରସୋରରେ ଚାଲିଛି। ଚାମ୍ପିୟନ୍ସ ଟ୍ରଫି ହକି ଏବଂ ବିଶ୍ୱହକି ଲିଗ ଫାଇନାଲ୍ରେ ଅଧିକ ଦର୍ଶକଙ୍କ ପାଇଁ ହେଉଛି କଳିଙ୍ଗ ଷ୍ଟାଡିୟମ୍ରେ ବ୍ୟବସ୍ଥା।
ପୂର୍ବରୁ ୧୦ ହଜାର ଲୋକଙ୍କ ପାଇଁ ଏଠାରେ ୨ଟି ଗ୍ୟାଲେରୀ ଥିଲା। ଏବେ ତାହା ୪ଟି ଗ୍ୟାଲେରୀରେ ୧୬ ହଜାର ଦର୍ଶକଙ୍କ କ୍ଷମତା ବିଶିଷ୍ଟ କରାଯାଇଛି। ନୂଆ ଚେୟାର ଫିଟିଙ୍ଗ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହା ସହ ଷ୍ଟାଡିୟମକୁ ଆକର୍ଷଣୀୟ ରଙ୍ଗ ଦିଆଯିବା ସହ ଓଭର ବ୍ରିଜ୍ କାମ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି।
ଆଗାମୀ ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ଯାଏ ଚାଲିବ ବିଶ୍ୱକପ୍ ହକି। ଏଥିରେ ବିଶ୍ୱର ଟପ୍ ୧୬ଟି ଟିମ୍ ଭାଗ ନେବେ। ତେବେ ଭୁବନେଶ୍ୱର ଆସୁ୍ଥିବା ସମସ୍ତ ଟିମ୍ଙ୍କ ପାଇଁ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ହୋଟେଲରେ ଖେଳାଳିଙ୍କୁ ରଖାଯିବା ପାଇଁ ଯୋଜନା ହୋଇଛି।
ଅନ୍ୟପକ୍ଷରେ ଏବେ ଲଣ୍ଡନରେ ଚାଲିଛି ମହିଳା ବିଶ୍ୱକପ୍ ହକି। ଏହାର ସୁରକ୍ଷା ବ୍ୟବସ୍ଥା ଏବଂ ଆୟୋଜନ ଶୈଳୀକୁ ଅନୁଧ୍ୟାନ କରିବା ପାଇଁ ଇଂଲଣ୍ଡ ଗସ୍ତ କରିଛନ୍ତି କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା। ତାଙ୍କ ସହ ଗୃହ ସଚିବ ଅସିତ୍ ତ୍ରିପାଠୀ, ବିଭାଗୀୟ ସଚିବ ବିଶାଲ ଦେବ ଏବଂ ପୋଲିସ ଡିଜି ଆରପି ଶର୍ମା ମଧ୍ୟ ଅନୁଧ୍ୟାନ ପାଇଁ ଲଣ୍ଡନ ଯାଇଛନ୍ତି।
















