ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି ୨୦୧୯ରେ ବିଜେପି ନିଜ ଦମ୍‌ରେ ନିର୍ବାଚନ ଲଢ଼ିବ।

ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ବିଜେଡି ସମର୍ଥନ ଦେବା ପରେ ରାଜନୀତି ପାଣିପାଗ ପୂରା ଗରମ। ବିଜେଡି ଏନଡିଏ ଆଡ଼କୁ ଢଳୁଥିବା ଚର୍ଚ୍ଚା ହେଉଛି। ୨୦୧୯ରେ ବିଜେପି-ବିଜେଡି ପୁଣି ମେଣ୍ଟ ହେବ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଉପାଧ୍ୟକ୍ଷ ନିର୍ବାଚନ ଶେଷ ହେବା ପରେ କେନ୍ଦ୍ରମନ୍ତ୍ରୀ ଏହି ଚର୍ଚ୍ଚାକୁ ଥଣ୍ଡା କରିଛନ୍ତି। ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଧର୍ମେନ୍ଦ୍ର।

“ବିଜେପି-ବିଜେଡି ମେଣ୍ଟ ଅସମ୍ଭବ। ବିଜେଡି ସହ ମିଶି ୨୦୧୯ରେ କେବେ ବି ସରକାର ଗଠନ କରିବନି ବିଜେପି। ଆମେ ନିଜ ତାକତରେ ଓଡ଼ିଶାରେ ନିର୍ବାଚନ ଲଢ଼ିବୁ। ନରେନ୍ଦ୍ର ମୋଦିଙ୍କ ଉପରେ ଓଡ଼ିଶାବାସୀ ଭରସା କରିଛନ୍ତି। ମୋଦି ହିଁ ଓଡ଼ିଶାବାସୀଙ୍କ ଆଶା ଏବଂ ଆକାଂକ୍ଷାକୁ ପୂରଣ କରିବେ”, କହିଛନ୍ତି ଧର୍ମେନ୍ଦ୍ର।

ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ବିଜେଡି ସମର୍ଥନ କରିବ ବୋଲି ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏହାସହ ବିଜେପି ରାଷ୍ଟ୍ରିୟ ସଭାପତି ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନବୀନଙ୍କ ସହ ଫୋନରେ କଥା ହୋଇଥିଲେ। ହରିବଂଶଙ୍କୁ ସମର୍ଥନ ଦେବା ପାଇଁ କହିଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏବଂ ଏନଡିଏର ପ୍ରମୁଖ ସହଯୋଗୀ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ନବୀନଙ୍କ ସହ ଫୋନରେ କଥା ହୋଇଥିଲେ। ବିଜେପି ନେତାଙ୍କ ଫୋନ ପରେ ନବୀନ ହରିବଂଶଙ୍କୁ ସମର୍ଥନ କରିଥିଲେ। ଏହାକୁ ନେଇ ଓଡ଼ିଶାରେ ଚର୍ଚ୍ଚା ବଢ଼ିଥିଲା। ନବୀନ ଏନଡିଏ ଆଡ଼କୁ ଢଳୁଥିବା ରାଜନୀତି ପଣ୍ଡିତମାନେ ମତ ଦେଲେ। ଏଣୁ ୨୦୧୯ରେ ରାଜନୀତି ସମୀକରଣ ବଦଳିପାରେ ବୋଲି ଚର୍ଚ୍ଚା ହେଉଥିଲା।

ବିଜେଡି ହରିବଂଶଙ୍କୁ ସମର୍ଥନ କରିବା, ଶାହ ଏବଂ ମୋଦି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଫୋନ କରିବା ପରେ ରାଜ୍ୟ ବିଜେପି ନେତା ଅଡ଼ୁଆରେ ପଡ଼ି ଯାଇଥିଲେ। ଗୋଟିଏ ପଟେ ରାଜ୍ୟ ବିଜେପି ବିଜେଡି ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଘେରୁଥିବା ବେଳେ କେନ୍ଦ୍ର ନେତାମାନେ ନବୀନଙ୍କ ସହ ଭାବ ଯୋଡ଼ିବାକୁ ନେଇ ବିଜେପି ଅଡ଼ୁଆରେ ପଡ଼ିଥିଲା। ଏଣୁ ଉପାଧ୍ୟକ୍ଷ ନିର୍ବାଚନ ପରେ ଧର୍ମେନ୍ଦ୍ର ପ୍ରତିକ୍ରିୟା ଦେବାକୁ ଆଗେଇ ଆସିଛନ୍ତି।

“ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସହମତି ଭିତ୍ତିରେ ହେବାର ଥିଲା। ହେଲେ ବିରୋଧୀ ଦଳ ନଚାହିଁବାରୁ ନିର୍ବାଚନ ହେଲା। ଯେଉଁ ଦଳ ହରିବଂଶଙ୍କୁ ସମର୍ଥନ କରିଛନ୍ତି ସେମାନଙ୍କୁ ଧନ୍ୟବାଦ”, କହିଛନ୍ତି ଧର୍ମେନ୍ଦ୍ର।

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ  ବିଜେଡି ସମର୍ଥନ କରିବା ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଜେଡିକୁ ବାଣ ମାରିଛନ୍ତି। ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ସିବିଆଇ ତଦନ୍ତକୁ ଭୟ କରି ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିଛି।

ନିରଞ୍ଜନ କହିଛନ୍ତି, “ଗତ ୪ ବର୍ଷ ହେଲା ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ବିଜେଡିକୁ ସମର୍ଥନ କରି ଆସୁଛି। ବିଜେଡି ସମଦୂରତ୍ୱ କଥା କହୁଥିଲେ ମଧ୍ୟ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ସମର୍ଥନ କରି ଆସୁଛି। ଏଣୁ ବିଜେଡି ପାଇଁ ସମଦୂରତ୍ୱର କିଛି ମାନେ ନାହିଁ।”

LEAVE A REPLY

Please enter your comment!
Please enter your name here