ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ପାଇଁ ୨୪ ପ୍ରତିଶତ ଆଦିବାସୀ ଭୋଟ ଉପରେ ନଜର ପକାଇଛନ୍ତି ବିଜେଡି ଓ ବିଜେପି। ବିଜେଡି ଆଦିବାସୀ ପ୍ରତିନିଧିଙ୍କୁ ନେଇ ସମାବେଶ କରିଥିବା ବେଳେ ବିଜେପି ସରକାରଙ୍କ ବିଫଳତାକୁ ଅସ୍ତ୍ର କରିଛି।
ନିର୍ବାଚନ ସମୟ ଆସିଲେ ବିଭିନ୍ନ ରାଜନୀତିକ ଦଳର ଆଦିବାସୀ ଭୋଟ କଥା ମନେପଡ଼େ। ଏହା ଆଜି ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରରେ। ଆଦିବାସୀ ଭୋଟରଙ୍କ ନିକଟତର ହେବା ପାଇଁ ବିଶ୍ୱ ଆଦିବାସୀ ଦିବସ ଅବସରରେ ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପି ଆଜି ଆଦିବାସୀ କାର୍ଡ ଖେଳିଛନ୍ତି।
ଭୁବନେଶ୍ୱର ଆଦିବାସୀ ପଡ଼ିଆରେ ବିଜେଡି ଜନଜାତି ପ୍ରତିନିଧିଙ୍କ ସମାବେଶ କରିଥିବା ବେଳେ ବିଜେପି ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛି। କଂଗ୍ରେସ କୌଣସି ସମାବେଶ କି ଶୋଭାଯାତ୍ରା କରି ନଥିଲେ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଦିବାସୀ ମାରଣ ନୀତି ପାଇଁ ଉଭୟ ଦଳକୁ ସମାଲୋଚନା କରିଛନ୍ତି।
ଓଡ଼ିଶାର ମୋଟ ଜନସଂଖ୍ୟାର ୨୪ ପ୍ରତିଶତ ହେଉଛନ୍ତି ଆଦିବାସୀ ସମ୍ପ୍ରଦାୟ। ଏହି ସମ୍ପ୍ରଦାୟର ଭୋଟ ହାତେଇବା ପାଇଁ ଏବେଠାରୁ ବିଜେଡି ଏବଂ ବିଜେପି ଆରମ୍ଭ କରିଦେଇଛନ୍ତି କସରତ।
ଆଦିବାସୀ ଭୋଟ କେମିତି ଅକ୍ତିଆର୍ କରି ହେବ ତାହା ବିଜେଡି ଏବଂ ବିଜେପି ନେତାଙ୍କୁ ବେଶ୍ ଭଲଭାବେ ଜଣା। ୨୦୧୪ ନିର୍ବାଚନ ଶେଷ ହେବାର ଠିକ୍ ବର୍ଷକ ପରେ ଉଭୟ ଦଳ ଆଦିବାସୀଙ୍କୁ ନେଇ ଆରମ୍ଭ କରି ଦେଇଥିଲେ ରାଜନୀତି।
୨୦୧୪ରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର କ୍ଷମତାକୁ ଆସିବା ପରେ ଓଡ଼ିଶା ଉପରେ ଫୋକସ୍ କରିଥିଲା ବିଜେପି। ୨୦୧୯କୁ ଆଖି ଆଗରେ ରଖି ବିଜେପି ଆଦିବାସୀ କାର୍ଡ ଖେଳିଥିଲା। ଆଦିବାସୀ ନେତ୍ରୀ ଦୌପଦୀ ମୁର୍ମୁଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ମନୋନୀତ କରି ବିଜେପି ଆଦିବାସୀ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ କରିଥିଲା। ବିଜେପିର ଏହି ଚାଲ୍ ସେତେବେଳେ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଥିଲା। ଫଳରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୋଲିଥିଲେ ଆଦିବାସୀ କାର୍ଡ।
ବାରିପଦାରେ ପ୍ରସ୍ତାବିତ ନୂଆ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ନିର୍ମାଣ କାମକୁ ତ୍ୱରାନ୍ୱିତ କରିଥିଲେ। ବିଜେପିକୁ ଚେକ୍ ଦେବା ପାଇଁ ଓ ଆଦିବାସୀ ଭୋଟରଙ୍କ ମନ ଜିଣିବା ଲାଗି ଏହି ମେଡିକାଲ କଲେଜକୁ ନବୀନ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାଁରେ ନାମିତ କରିବାକୁ ଘୋଷଣା କରି ଦେଇଥିଲେ। ୨୦୧୭ରେ ଏହି ମେଡିକାଲ କଲେଜକୁ ଲୋକାର୍ପଣ କରିଛନ୍ତି ନବୀନ।
ଖାଲି ସେତିକି ନୁହେଁ, ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୋରାପୁଟରେ ମଧ୍ୟ ରାଜ୍ୟ ସରକାର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ନିର୍ମାଣ କରିଛନ୍ତି। ଏହାକୁ ସହିଦ ଲକ୍ଷ୍ମଣ ନାୟକଙ୍କ ନାଁରେ ନାମିତ କରି ଆଦିବାସୀଙ୍କ ନିକଟତର ହୋଇଛି ବିଜେଡି।

ଏପଟେ ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାକୁ ନେଇ ରାଜ୍ୟ ସରକାର ଆଦିବାସୀ ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ସରକାର ସ୍ୱତନ୍ତ୍ର ପାଣ୍ଠି ଗଠନ କରିଛନ୍ତି। ଏହାସହ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଠ ପଢ଼ା ପାଇଁ ବି ରାଜ୍ୟ ସରକାର ନୂଆ ଯୋଜନା ପ୍ରଣୟନ କରିଛନ୍ତି। ନିକଟରେ ମାଲକାନଗିରିରେ ବହୁ ପ୍ରତୀକ୍ଷିତ ଗୁରୁପ୍ରିୟା ସେତୁ ଲୋକାର୍ପଣ କରି ନବୀନ ଆଉ ଏକ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି।
ଏପଟେ ବିଜେପି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ କେନ୍ଦ୍ର ଆଦିବାସୀ କଲ୍ୟାଣ ବିଭାଗ ଏବଂ ଦ୍ରୌପଦୀ ମୁର୍ମୁଙ୍କୁ ରାଜ୍ୟପାଳ କରି ରାଜନୀତିକୁ ସରଗରମ୍ କରିଛି।
ବିଜେପି ଓ ବିଜେଡି ଭିତରେ ଆଦିବାସୀ ସମ୍ପ୍ରଦାୟଙ୍କୁ ନେଇ ଚାଲିଥିବା ରାଜନୀତି ଭିତରେ ଆଜି ନୂଆ କଥା ଦେଖିବାକୁ ମିଳିଛି। ବିଜେଡି ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ପ୍ରତିନିଧିମାନଙ୍କୁ ନେଇ ରାଜଧାନୀରେ ସମାବେଶ କରିଛି। ଆଦିବାସୀଙ୍କ ମନ ଜିଣିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇଛନ୍ତି।
ଏପଟେ ବିଜେପି ବିଜେଡିକୁ କାଉଣ୍ଟର କରିବା ପାଇଁ ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଛି। ୧୯ ବର୍ଷର ଶାସନ ଭିତରେ ଆଦିବାସୀଙ୍କ ବିକାଶ ହୋଇନାହିଁ ବୋଲି ବିଜେପି ଅଭିଯୋଗ କରିଛି।
ନଗଡାର ନଗ୍ନ ଚିତ୍ର, କଳିଙ୍ଗ ନଗରରେ ଆଦିବାସୀମାନମଙ୍କୁ ଗୁଳି, ମେଲଘରାରେ ଛୋଟ ଶିଶୁଙ୍କଠୁ ଆରମ୍ଭ କରି ମହିଳାଙ୍କୁ ଗୁଳି କରିବା ଘଟଣା, ଦାନ ମାଝି ଏବଂ ଗୁମୁଡୁମାହା ଗୁଳିକାଣ୍ଡ ଅସ୍ତ୍ର କରି ବିଜେପି ଶାସକ ବିଜେଡିକୁ ଘେରିଛି ବିଜେପି।
ଆଦିବାସୀ ଉପଦେଷ୍ଟା ପରିଷଦ ଗଠନ ନାଁରେ ସରଳ ଓ ନିରୀହ ଆଦିବାସୀମାନଙ୍କୁ ଶାସକ ବିଜେଡି ଦୀର୍ଘ ବର୍ଷ ଧରି ବାରମ୍ବାର ପ୍ରତାରଣା ଦେଇ ଆସୁଥିବା ବିଜେପି ଅଭିଯୋଗ କରିଛି।
ସୋସିଆଲ ମିଡିଆରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଦିବାସୀ ଦିବସ ଅବସରରେ ଓଡ଼ିଶାର ଜନଜାତି ଭାଇ ଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
On the occasion of International Day of the World’s Indigenous People, my greetings to all our Adivasi brothers and sisters.
Odisha is blessed to have as many as 62 Scheduled Tribes that constitute an impressive 24 percent of the total population of the state. pic.twitter.com/CjfZKWEq20
— Niranjan Patnaik (@NPatnaikOdisha) August 9, 2018



















