ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଇଂଲଣ୍ଡ ଟେଷ୍ଟ୍‌ ଶୃଙ୍ଖଳାର ଦ୍ୱିତୀୟ ମୁକାବିଲା ଆଜିଠାରୁ ଐତିହାସିକ ଲର୍ଡସ୍‌ ପଡ଼ିଆରେ ଆରମ୍ଭ ହେବ।

ପ୍ରଥମ ଟେଷ୍ଟରେ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡର ବିଜୟ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‍ ଆଜିଠାରୁ କ୍ରିକେଟ୍‍ର ମକ୍କା ଲର୍ଡସ ଗ୍ରାଉଣ୍ଡରେ ଆରମ୍ଭ ହେଉଛି। ଏହା ପୂର୍ବରୁ ଏଜ୍‌ବାଷ୍ଟନ୍‌ରେ ପ୍ରଥମ ମ୍ୟାଚ୍‌କୁ ରୋମାଞ୍ଚକର ଭାବେ ୩୧ ରନ୍‌ରେ ଜିତି ପାଞ୍ଚ ଟିକିଆ ଶୃଙ୍ଖଳାରେ ଘରୋଇ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି। ସେଥିପାଇଁ ଲର୍ଡସ୍‌ ଲଢ଼େଇରେ ଭାରତ ପାଖରେ ସ୍ଥିତି ସମାନ ସ୍ତରକୁ ଆଣିବାର ସୁଯୋଗ ଅଛି।

ବର୍ମିଂହାମ୍‍ ଟେଷ୍ଟରେ ଭାରତର ସମସ୍ତ ବୋଲର ଚମତ୍କାର ପ୍ରଦର୍ଶନ କରିଥିଲେ ହେଁ ବ୍ୟାଟିଂରେ ଉପର ଅର୍ଡର ବିଫଳ ହେବାରୁ ଭାରତ ପରାସ୍ତ ହୋଇଥିଲା। କୋହଲିଙ୍କ ଫର୍ମକୁ ଛାଡ଼ିଦେଲେ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ସେଭଳି ଆଖିଦୃଶିଆ ସ୍କୋର କରିପାରିନାହାନ୍ତି। ଏହି ଦୁର୍ବଳତାକୁ ସଜାଡ଼ି ପାରିଲେ ଭାରତ ବିଜୟୀ ହୋଇ ସିରିଜ୍‍କୁ ଫେରିପାରିବ।

ଲର୍ଡସ୍‌ ମୁକାବିଲା ଏଜ୍‌ବାଷ୍ଟନ୍‌ ଭଳି ରୋଚକ ଏବଂ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।

ଭାରତୀୟ ଦଳରେ ଚେତେଶ୍ୱର ପୂଜାରାଙ୍କୁ ଦଳରେ ନେବା ଦାବି ଜୋର ଧରିଛି। ଶିଖର ଧାଓ୍ଵନ, ଲୋକେଶ ରାହୁଲ ଏବଂ ଅଜିଙ୍କ୍ୟ ରାହାଣେ ଏଜ୍‌ବାଷ୍ଟନ୍‌ରେ ପୂରା ବିଫଳ ହୋଇଥିବାରୁ ପୂଜାରା ଏମାନଙ୍କ ଭିତରୁ ଜଣକ ସ୍ଥାନ ନେଇପାରନ୍ତି।

କୋହଲି ଏବଂ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଦୁଇ ସ୍ପିନର ନୀତି ଅପଣାଇଲେ କ୍ରିକେଟ୍‌ର ମକ୍କା ଭାବେ ପରିଚିତ ଲର୍ଡସ୍‌ ରେ ଚାଇନାମ୍ୟାନ୍‌ ବୋଲର କୁଲଦୀପ ଯାଦବ ଗୁରୁବାର ଟେଷ୍ଟ୍‌ ଖେଳିବାର ଅନନ୍ୟ ଅଭିଜ୍ଞତା ହାସଲ କରିବେ।

ଭାରତ ପାଖରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଖେଳାଇବାର ବିକଳ୍ପ ମଧ୍ୟ ଖୋଲାରହିଛି। କୋହଲିଙ୍କ ନେତୃତ୍ୱରେ ଭାରତ ଖେଳିଥିବା ୩୬ ଟେଷ୍ଟ୍‌ରେ ୩୬ ଭିନ୍ନ ଭିନ୍ନ ଦଳକୁ ନେଇ ପଡ଼ିଆକୁ ଓହ୍ଲାଇଛି। ଯାହା ଲର୍ଡସ୍‌ରେ ମଧ୍ୟ ଭାରତୀୟ ଦଳରେ ଅଦଳ ବଦଳ ସମ୍ଭାବନାକୁ ବଢ଼ାଇଛି।

ଏଜବାଷ୍ଟନ୍‌ରେ ବୋଲର ସେମାନଙ୍କ ଦାୟିତ୍ୱ ଠିକ୍‌ ଭାବେ ତୁଲାଇଥିଲେ। ବ୍ୟାଟ୍ସମ୍ୟାନ୍‌ କିନ୍ତୁ ନିରାଶ କରିଥିଲେ। ଲର୍ଡସ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଧିକ ଦାୟିତ୍ୱବାନ ହେବାକୁ ପଡ଼ିବ।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ) ଶିଖର ଧାଓ୍ଵନ, ମୁରଲୀ ବିଜୟ, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାଣେ, ଦୀନେଶ କାର୍ତିକ, ଋଷବ ପନ୍ତ, କରୁଣ ନାୟର, ହାର୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ୍‌ ଅଶ୍ୱିନ, ରବୀନ୍ଦ୍ର ଜାଦେଜା, କୁଲଦୀପ ଯାଦବ, ଈଶାନ୍ତ ଶର୍ମା, ଉମେଶ ଯାଦବ, ମହମ୍ମଦ ସାମି।

ସମ୍ଭାବ୍ୟ ଇଂଲଣ୍ଡ: ଜୋ ରୁଟ୍‌ (ଅଧିନାୟକ), ଆଲେଷ୍ଟର କୁକ୍‌, କେଟନ ଜେନିଙ୍ଗ୍ସ, ଜନି ବେୟାରଷ୍ଟୋ, ଜୋସ୍‌ ବଟଲର, ଓଲି ପୋପ୍‌, ମୋଇନ ଅଲ୍ଲୀ, ଆଦିଲ ରସିଦ, ସାମ୍‌ କରନ, ଜେମ୍ସ ଆଣ୍ଡରସନ୍‌, ଷ୍ଟୁଆର୍ଟ ବ୍ରଡ୍‌, କ୍ରିସ୍‌ ଓକ୍ସ।

Comment