ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସଚିବାଳୟରେ ସମୀକ୍ଷା ବୈଠକ
  • ରାଜଧାନୀ ରାସ୍ତାକଡ଼ରେ ହେବ ବନୀକରଣ
  • ରାସ୍ତାକଡ଼ କାନ୍ଥରେ ଅଙ୍କା ଯିବ ଚିତ୍ର
  • ବସ୍‌ଷ୍ଟାଣ୍ଡ ଓ ସିଟି ବସ୍‌ ହକି ରଙ୍ଗରେ ସଜେଇ ହେବ
  • ସବୁ ଜିଲ୍ଲାରେ ହକି ବିଶ୍ୱକପ୍ର ପ୍ରଚାର ପ୍ରସାର

ହକି ବିଶ୍ୱକପ୍ ପୂର୍ବରୁ ଝଲସିବ ରାଜଧାନୀ ଭୁବନେଶ୍ୱର। ନୂଆ ରଙ୍ଗରେ ସଜେଇ ହେବ ସ୍ମାର୍ଟସିଟି। ବସ୍‌ଷ୍ଟାଣ୍ଡରୁ ରାସ୍ତାକଡ଼ କାନ୍ଥ ସବୁଠି ଅଙ୍କାଯିବ ରଙ୍ଗବେରଙ୍ଗର ଚିତ୍ର। ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସମୀକ୍ଷା ପରେ ଏହି ସୂଚନା ମିଳିଛି।

ହକି ବିଶ୍ବକପ୍ ଭିତ୍ତିଭୂମି ଉନ୍ନୟନ ଓ ସୌନ୍ଦର୍ଯ୍ୟକରଣ କମିଟିର ଦ୍ୱିତୀୟ ବୈଠକ ବସିଥିଲା। ଏହି ବୈଠକରେ ହକି ବିଶ୍ୱକପ୍ ପୂର୍ବରୁ ରାଜଧାନୀକୁ ସଜେଇବା ପାଇଁ ଆଲୋଚନା ହୋଇଥିଲା।

ହକି ବିଶ୍ୱକପ୍ ପାଇଁ କଳିଙ୍ଗ ଷ୍ଟାଡିୟମ ସମେତ ରାଜଧାନୀର ରାସ୍ତାକଡ଼ରେ ବନୀକରଣ କରାଯିବ। ବସ୍‌ଷ୍ଟାଣ୍ଡଗୁଡ଼ିକୁ ହକି ରଙ୍ଗରେ ରଙ୍ଗୀନ କରିବା ସହ ସିଟି ବସ୍‌ଗୁଡ଼ିକୁ ମଧ୍ୟ ସଜେଇ ଦିଆଯିବ। କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ୧ ଫୁଟର ଓଭରବ୍ରିଜ ନିର୍ମାଣ କରିବାର ଯୋଜନା ମଧ୍ୟ ରହିଛି। ଏହାସହ ସବୁ ଜିଲ୍ଲାରେ ହକି ବିଶ୍ୱକପ୍‌ର ପ୍ରଚାର ପ୍ରସାର କରିବା ପାଇଁ ବୈଠକରେ ଆଲୋଚନା ହୋଇଛି।

ନଭେମ୍ବର ୨୮ରୁ କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍ ଆରମ୍ଭ ହେବାକୁ ଯାଉଛି। ଏହି ବିଶ୍ୱକପ୍‌ରେ ୧୬ଟି ଦେଶ ଭାଗ ନେବେ। ଖେଳାଳୀମାନଙ୍କ ରହଣୀ ଓ ସୁରକ୍ଷା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା।

ଆଜିର ସମୀକ୍ଷା ବୈଠକରେ କ୍ରୀଡ଼ା ସଚିବ ବିଶାଲ କୁମାର ଦେବ, ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି ଏବଂ ବିଏମ୍‌ସି କମିଶନର କ୍ରୀଷନ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Comment