ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୋଲିସ କନଷ୍ଟେବଳ ଇଣ୍ଟରଭ୍ୟୁ ବେଳେ ଅଘଟଣ। କଟକରେ ଦୌଡ଼ ପ୍ରତିଯୋଗିତା ଚାଲିଥିବା ବେଳେ ଜଣେ ଆଶାୟୀଙ୍କର ମୃତ୍ୟୁ ଘଟିଛି।

‘ପୋଲିସ ଚାକିରି କରିବି। ନିଜ ଗୋଡ଼ରେ ନିଜେ ଛିଡ଼ା ହେବି’ – ଏମିତି କିଛି ସ୍ୱପ୍ନ ଦେଖିଥିଲେ କଟକ ଜିଲ୍ଲା ବଡ଼ମ୍ବା-ନରସିଂହପୁର ଅଞ୍ଚଳର ରମେଶ ପ୍ରଧାନ। ଓଡିଶା ପୋଲିସ ବାହିନୀରେ ସାମିଲ୍ ହେବା ପାଇଁ ମନରେ ଦୃଢ଼ ବିଶ୍ୱାସ ରଖି କଟକ ଆସିଥିଲେ ଇଣ୍ଟରଭ୍ୟୁ ଦେବା ପାଇଁ। କିନ୍ତୁ ରମେଶଙ୍କ ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଗଲା। ଆଜି ଶାରୀରିକ ପରୀକ୍ଷା ଦେଉଥିବା ବେଳେ ରମେଶ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି।

କଟକ ଓଏ୍‌ଏପି ବାଟାଲିୟନରେ ପୋଲିସ କନଷ୍ଟେବଳ ଚାକିରୀ ପାଇଁ ଆଜି ଚାଲିଥିଲା ଇଣ୍ଟରଭ୍ୟୁ। ଆଜି ଥିଲା ଦୌଡ଼ ପ୍ରତିଯୋଗିତା। ୧୬୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ସାମିଲ୍ ହୋଇଥିଲେ ରମେଶଙ୍କ ସମେତ ଅନ୍ୟ ଆଶାୟୀ। ହେଲେ ଦୌଡ଼ିବା ବେଳେ ରମେଶ ହଠାତ୍ ତଳେ ପଡ଼ି ଯାଇଥିଲେ। ତାଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କେବଳ ରମେଶ ନୁହନ୍ତି, ଅନ୍ୟ ଦୁଇ ଜଣ ଆଶାୟୀ ମଧ୍ୟ ଅସୁସ୍ଥ ହୋଇଯାଇଛନ୍ତି। ଏବେ ସେମାନେ ଏସ୍‌ସିବି ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ରମେଶଙ୍କ ପରିବାର ବର୍ଗ ଏବଂ ଗ୍ରାମବାସୀ ଇଣ୍ଟରଭ୍ୟୁ ନେଉଥିବା ପୋଲିସ ଅଫିସରଙ୍କୁ ଦାୟୀ କରିଛନ୍ତି। ଠିକ୍ ସମୟରେ ରମେଶଙ୍କୁ ମେଡିକାଲ ନେଇ ନଥିବାରୁ ତାଙ୍କର ମୃତ୍ୟୁ ଘଟିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। କ୍ଷତିପୂରଣ ଦାବିରେ ଗ୍ରାମବାସୀ ଆଜି ନରସିଂହପୁର ନୁଖାପଡ଼ା ଛକରେ ରାସ୍ତାରୋକ କରିଥିଲେ। ଫଳରେ କଟକ-ନରସିଂହପୁର ରାସ୍ତାରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

Comment