ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଶ୍ରୀମନ୍ଦିର ପ୍ରଶାସନ ଅଫିସରେ ଜନଶୁଣାଣି
  • ବନ୍ଦ କୋଠରୀରେ ଜନଶୁଣାଣିକୁ ବିରୋଧ
  • ସେବାୟତ କହିଲେ ଓପନ ଫୋରମ୍‌ରେ ହେଉ ଜନଶୁଣାଣି
  • ଜନଶୁଣାଣିକୁ ବର୍ଜନ କଲେ ସେବାୟତ
  • ଅଗଷ୍ଟ ଶେଷ ସୁଦ୍ଧା ଆଇନ ବିଭାଗକୁ କମିଟି କେମିତି ଦେବ ରିପୋର୍ଟ?

ପୁରୀ ଶ୍ରୀମନ୍ଦିରରେ କେମିତି ଆସିବ ସଂସ୍କାର? ସୁପ୍ରିମକୋର୍ଟଙ୍କ ପରାମର୍ଶ କେମିତି ହେବ କାର୍ଯ୍ୟକାରୀ? ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ହୋଇଥିଲା ଜନଶୁଣାଣି। ହେଲେ ଏହି ଜନଶୁଣାଣି ବନ୍ଦ ଘରେ ହୋଇଥିବାରୁ ଏହାକୁ ବିରୋଧ କରିଥିଲେ ସେବାୟତ। ଫଳରେ ଜନଶୁଣାଣି ସଫଳ ହୋଇପାରିଲାନି।

ମହାପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ପ୍ରଥମ ଥର ପାଇଁ ହୋଇଥିଲା ଜନଶୁଣାଣି। ସେବାୟତ, ସାଧାରଣ ଲୋକ, ପ୍ରଶାସନିକ ଅଧିକାରୀଙ୍କ ମତାମତ ନେବା ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଥିଲେ ବିଶେଷଜ୍ଞ କମିଟି। ଏହି କମିଟିରେ ଥିଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ପୋଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶି, ପୂର୍ବତନ ଶ୍ରୀମନ୍ଦିର ପ୍ରଶାସକ ମହିମୋହନ ତ୍ରିପାଠୀ।

“ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ରାଜ୍ୟ ସରକାର ତିନି ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଆମେ ଦେଶର ପ୍ରମୁଖ ମନ୍ଦିର ପରିଦର୍ଶନରେ ଯାଇଥିଲୁ। ସେଠାରେ କିଭଳି ମନ୍ଦିର ପରିଚାଳନା ହେଉଛି ତାହା ଅନୁଧ୍ୟାନ କରିଛୁ। ତେବେ ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ଆମେ ସେବାୟତମାନଙ୍କର ମତାମତ ଲୋଡ଼ୁଛୁ। ଅଗଷ୍ଟ ମାସ ଶେଷ ସୁଦ୍ଧା ଏହି ରିପୋର୍ଟ ଆଇନ ବିଭାଗକୁ ଦିଆଯିବ”, କହିଛନ୍ତି ସୁରେଶ ଚନ୍ଦ୍ର ମହାପାତ୍ର।

ନିର୍ଦ୍ଧାରିତ ସମୟରେ ଜନଶୁଣାଣି ଆରମ୍ଭ ହେଲା। ଜଣ ଜଣ କରି ସେବାୟତଙ୍କୁ ଭିତରକୁ ଡାକି କମିଟି ମତାମତ ଲୋଡ଼ିଲେ। ହେଲେ କିଛି ସମୟରେ ବାହାରେ ଦେଖାଦେଲା ଅସନ୍ତୋଷ। ସେବାୟତମାନେ ଏକାଠି ହୋଇ ଜନଶୁଣାଣିକୁ ବିରୋଧ କଲେ। ବନ୍ଦ ଘରେ ଜନଶୁଣାଣି ନକରି ସମସ୍ତଙ୍କୁ ଏକାଠି ବସାଇ ଶୁଣାଣି କରିବାକୁ ସେବାୟତମାନେ ଦାବି କଲେ। ପ୍ରଶାସନର ଏହି ନୀତିକୁ ବରିଷ୍ଠ ସେବାୟତମାନେ ସମାଲୋଚନା ମଧ୍ୟ କରିଛନ୍ତି। ସେବାୟତମାନଙ୍କ ସହ ସାଧାରଣ ଲୋକ ସାମିଲ ହୋଇ ଜନଶୁଣାଣିକୁ ବିରୋଧ କରିଥିଲେ।

ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, “ଦେଶର ଅନ୍ୟ ମନ୍ଦିର ସହ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିରକୁ ତୁଳନା କରିବା ଠିକ୍ ନୁହେଁ। ଶ୍ରୀମନ୍ଦିରରେ ୧୧୯ ପ୍ରକାରର ସେବା ରହିଛି। ହେଲେ ସେବାୟତମାନଙ୍କ ପାଇଁ ଯେଉଁ କଟକଣା ଜାରୀ କରାଯାଉଛି ତାହା ନିନ୍ଦନୀୟ। ଶ୍ରୀମନ୍ଦିର ପ୍ରଶାସନକୁ ସହଯୋଗ କରିବା ପାଇଁ ଆମେ ପ୍ରସ୍ତୁତ ଅଛୁ। କିନ୍ତୁ ସେବାୟତ ଉପରେ କଟକଣା ଳଗାଇବା ପୂର୍ବରୁ ପ୍ରଶାସନ ଭଲଭାବେ ଚିନ୍ତା କରିବା ଦରକାର। କାରଣ ଏଥିରେ ସେବାୟତମାନଙ୍କର ଜୀବନ ଜୀବୀକା ନିର୍ଭର କରୁଛି।”

ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୧୨ଟି ନିୟମ କାର୍ଯ୍ୟକାରୀ କରିବା ଲାଗି ପ୍ରସ୍ତାବ ଦେଇଥିଲେ। ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବା ବନ୍ଦ, ଦାନ ଦକ୍ଷିଣା ଉପରେ କଟକଣା, ରୋଷ ଘରକୁ ପ୍ରଶାସନ ନିଜ ଅଧିନକୁ ଆଣିବା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ଆନନ୍ଦ ବଜାରରେ ମହାପ୍ରସାଦର ରେଟ୍ ଚାଟ୍ ଲଗାଇବା ଆଦି ପ୍ରସ୍ତାବ ଦେଇଥିଲେ। ହେଲେ ଏହାକୁ ନେଇ ସେବାୟତ ଏବଂ ଶ୍ରୀମନ୍ଦିର ପ୍ରଶାସନ ଭିରେ ବାଦ ବିବାଦ ଲାଗି ରହିଥିଲା। ସେବାୟତମାନଙ୍କର ମତାମତ ନେବା ପାଇଁ ସରକାର ତିନି ଜଣିଆ କମିଟି ଗଠନ କରିଛନ୍ତି।

Comment