ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିରୋଧୀ ଏକତାକୁ ଲାଗିଛି ବଡ଼ ଝଟ୍‌କା। ସମସ୍ତେ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ରଣନୀତି ଉପରେ ଆଙ୍ଗୁଳି ଉଠାଇଛନ୍ତି।

ରାଜ୍ୟସଭା ଉପାଧ୍ୟକ୍ଷ ପଦ ପାଇଁ ଗୁରୁବାର ଦିନ ହୋଇଥିବା ଭୋଟରେ ବିରୋଧୀ ଦଳର ପରାଜୟ ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ରଣନୀତି ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିରୋଧୀ ଦଳମାନଙ୍କ ଭିତରେ ଚର୍ଚ୍ଚା ଜୋର ଧରିଛି ଯେ ଯଦି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଦିଆଯାଇ ନଥାନ୍ତା ଓ ମିଳିତ ବିପକ୍ଷର ଜଣେ ସର୍ବସମ୍ମତ ପ୍ରାର୍ଥୀ ଲଢ଼ିଥାନ୍ତେ ହୁଏତ ଫଳ କିଛି ଅଲଗା ହୋଇଥାନ୍ତା।

ରାଜ୍ୟସଭା ଉପସଭାପତି ନିର୍ବାଚନରେ ଏନଡିଏର ପ୍ରାର୍ଥୀ ହରିବଂଶ ନିର୍ବାଚିତ ହେବା ଘଟଣାରେ ବିରୋଧୀ ଦଳ ନେତାଙ୍କ କହିବା କଥା ହେଉଛି ଏହା ଆମ ଏକତାକୁ ପୂରା ପଦାରେ ପକାଇଦେଇଛି। ବିଜେପି ବିରୋଧରେ ସମସ୍ତେ ଏକାଠି ହେବାର ଯେଉଁ ଉଦ୍ୟମ ଆରମ୍ଭ ହୋଇଛି ରାଜ୍ୟସଭା ନିର୍ବାଚନରେ ତାହା ଅନେକ ମାତ୍ରାରେ ମାଡ଼ ଖାଇଛି ବୋଲି କିଛି ବିରୋଧୀ ନେତା ପ୍ରକାଶ୍ୟରେ କହୁଛନ୍ତି। ଅବଶ୍ୟ ବିରୋଧୀଙ୍କ ପକ୍ଷରୁ ପରାଜୟ ଘଟଣାରେ ମୁହଁଟାଣ ଜବାବ ଦିଆଯାଉଛି। କିନ୍ତୁ ସଂସଦର ବିଭିନ୍ନ ମହଲରେ ଏ ନେଇ ଅସନ୍ତୋଷ, କ୍ରୋଧ ଓ ନିରାଶା ଦେଖିବାକୁ ମିଳିଛି।

ବିରୋଧୀ ଦଳର କିଛି ନେତାଙ୍କ କହିବା ଅନୁଯାୟୀ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ଦଳର ପ୍ରାର୍ଥୀ ପାଇଁ ଯେଉଁଭଳି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କୁ ଫୋନ କରି ସମର୍ଥନ ଲୋଡ଼ିଲେ ରାହୁଲ ମଧ୍ୟ ସେଭଳି କରିବା ଉଚିତ ଥିଲା। ବିଶେଷକରି ଆମ୍ ଆଦ୍‌ମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କଠାରୁ ସମର୍ଥନ ଲୋଡ଼ା ଯାଇପାରିଥାନ୍ତା। କିନ୍ତୁ ରାହୁଲ କାହା ସହିତ ସମ୍ପର୍କ ରକ୍ଷା କଲେ ନାହିଁ। ତାଛଡ଼ା ବିରୋଧୀ ଦଳ ନେତାଙ୍କ ମଧ୍ୟରେ ଆଉ ଏକ ଚର୍ଚ୍ଚା ମଧ୍ୟ ହେଉଛି ଯେ କଂଗ୍ରେସ ପ୍ରାର୍ଥୀ ଦେବା ଫଳରେ କିଛି ଦଳ ଜାଣିଶୁଣି ନିର୍ବାଚନରେ ଆଗକୁ ଆସିବା ପାଇଁ ଚାହିଁଲେ ନାହିଁ। ବିଶେଷ କରି ସେହି ସବୁ ଦଳ ଯେଉଁମାନେ ବିଜେପି କିମ୍ବା କଂଗ୍ରେସ ସହିତ ଯୋଡ଼ି ହେବାକୁ ଚାହୁଁନଥିଲେ।

ତୃଣମୂଳ କଂଗ୍ରେସ ନେତା ଡେରେକ ଓବ୍ରେନ କିନ୍ତୁ ବଡ଼ ମୁହଁ ବଡ଼ କାନରେ କହିଛନ୍ତି ଯେ ଆମେ ସବୁ ବିରୋଧୀ ଦଳ ଏବେ ବି ଏକାଠି ଅଛୁ।

ସେ କହିଛନ୍ତି, “ଆଜିର ଭୋଟରେ ଶାସକ ବିଜେପି କିଛି କମ ବିବ୍ରତ ଦେଖା ଯାଉନଥିଲା। ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିଜେ ଫୋନ କରିବାକୁ ପଡ଼ିଲା। ରାଜ୍ୟସଭାର ଏହି ନିର୍ବାଚନରେ ଦୁନିଆ ଓଲଟି ପଡ଼ିନାହିଁ । ଏହା ୱାର୍ଲଡ଼କପ ପୂର୍ବରୁ ଅଭ୍ୟାସ ମ୍ୟାଚ କେବଳ ଥିଲା।”

ଗୁରୁବାର ଦିନ ଉପସଭାପତି ପଦ ପାଇଁ ଯେଉଁ ଭୋଟ ହୋଇଥିଲା ସେଥିରେ ଏନଡିଏ ପ୍ରାର୍ଥୀ ହରିବଂଶ ସିଂହଙ୍କୁ ୧୨୫ଟି ଭୋଟ ମିଳିଥିବା ବେଳେ ବିରୋଧୀ ଦଳର ପ୍ରାର୍ଥୀ ବିକେ ହରିପ୍ରସାଦଙ୍କୁ ୧୦୫ ଜଣ ସଦସ୍ୟ ସମର୍ଥନ ଜଣାଇଥିଲେ।

ବିରୋଧୀ ଦଳର ଆଉ ଜଣେ ତୁଙ୍ଗ ନେତା କହିଲେ ଯେ କଂଗ୍ରେସ ପ୍ରାର୍ଥୀ ବଦଳରେ ଅନ୍ୟ କୌଣସି ଦଳ ଯଥା ତେଲୁଗୁ ଦେଶମ କିମ୍ବା ଅନ୍ୟ କେଉଁ ଦଳର ଜଣକୁ ପ୍ରାର୍ଥୀ କରାଯାଇଥିଲେ ଅଧିକ ଭୋଟ ମିଳିଥାନ୍ତା। ବିରୋଧୀ ଦଳର ପୂରା ଆଶା ଥିଲା ଯେ କଂଗ୍ରେସ ଦଳ ବ୍ୟତୀତ ଅନ୍ୟ କୌଣସି ଦଳର ପ୍ରାର୍ଥୀଙ୍କୁ ଠିଆ କରାଯିବ।

ଅଣକଂଗ୍ରେସ ଦଳର ନେତାମାନଙ୍କ କହିବା କଥା ଯେ ରାହୁଲ ଗାନ୍ଧି ଯଦି ଥରେ ଆପ୍‌ର କେଜରିୱାଲଙ୍କୁ ଫୋନ କରିଦେଇଥାନ୍ତେ ତାଙ୍କ ଦଳର ସମର୍ଥନ ମିଳିଥାନ୍ତା। ଆପ୍ ନେତା ସଞ୍ଜୟ ସିଂହ କହିଲେ ଯେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ପାଇଁ ନୀତିଶ କୁମାର କେଜରିୱାଲଙ୍କୁ ଫୋନ କରିଥିଲେ। କିନ୍ତୁ ସେ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

Comment