ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ଚିଲିକାରେ ୱାଟର ଏରୋଡ୍ରମକୁ ମିଳିଲା ସବୁଜ ସଙ୍କେତ
  • ଟୁଇଟ୍ କରି ସୂଚନା ଦେଲେ କେନ୍ଦ୍ର ବେସାମରିକ ଜାହାଜ ଚଳାଚଳ ମନ୍ତ୍ରୀ
  • ଓଡ଼ିଶା ସମେତ ଗୁଜରାଟରେ ହେବ ୱାଟର ଏରୋଡ୍ରମ
  • ଜୁନ୍ ମାସରେ ହୋଇଥିଲା ସର୍ଭେ

ପ୍ରତୀକ୍ଷାର ଅନ୍ତ ଘଟିଛି। ଚିଲିକାରେ ପ୍ରସ୍ତାବିତ ୱାଟର ଏରୋଡ୍ରମକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁମୋଦନ ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦେଶରେ ତିନୋଟି ଏରୋଡ୍ରମ ନିର୍ମାଣ ହେବ। ଓଡ଼ିଶାର ଚିଲିକା ହ୍ରଦ ସମେତ ଗୁଜରାଟର ସର୍ଦ୍ଦାର ସରୋବର ଡ୍ୟାମ ଏବଂ ସାବରମତି ନଦୀରେ ଏହି ଏରୋଡ୍ରମ ନିର୍ମାଣ ହେବ। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଟୁଇଟ୍ କରିଛନ୍ତି।

“ଦେଶର ପ୍ରମୁଖ ପର୍ଯଟନ କ୍ଷେତ୍ର ସହ ଅଧିକ ପର୍ଯ୍ୟଟକଙ୍କୁ ଯୋଡ଼ିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଦେଶର ୫ଟି ରାଜ୍ୟରେ ୱାଟର ଏରୋଡ୍ରମ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲା। ଓଡ଼ିଶା, ଗୁଜରାଟ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଏବଂ ଆସାମରେ ୱାଟର ଏରୋଡ୍ରମ ନିର୍ମାଣ ପାଇଁ ପ୍ରସ୍ତାବ ଆସିଥିଲା। ହେଲେ ପ୍ରଥମ ପର୍ଯ୍ୟାୟରେ ତିନୋଟି ରାଜ୍ୟରେ ୱାଟର ଏରୋଡ୍ରମ ନିର୍ମାଣ ପାଇଁ ଅନୁମୋଦନ ଦିଆଯାଇଛି”, କହିଛନ୍ତି ସୁରେଶ ପ୍ରଭୁ।

ଜୁନ୍ ୧୪ ଓ ୧୫ ତାରିଖରେ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ମହାପ୍ରବନ୍ଧକ ସଙ୍ଗୀତା ମହାୟଙ୍କ ନେତୃତ୍ୱରେ ଏକ ଟିମ୍ ଚିଲିକାରେ ବିମାନବନ୍ଦର ପାଇଁ ଫିଜିବିଲିଟି ଷ୍ଟଡି କରିଥିଲେ। ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ବିମାନବନ୍ଦର ନିର୍ମାଣ ହେବ ବୋଲି ସେତେବେଳେ କୁହାଯାଉଥିଲା।

ଏହାସହ ସ୍ପାଇସ୍ ଜେଟ୍, ଭୁବନେଶ୍ୱର ପାଣିପାଗ କେନ୍ଦ୍ର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଜମସମ୍ପଦ ବିଭାଗ ଅଧିକାରୀଙ୍କୁ ନେଇ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ୍ ଏନେଇ ସର୍ଭେ ମଧ୍ୟ କରିଥିଲେ।

ଭାରତୀୟ ବିମାନବନ୍ଦରର ବୈଷୟିକ ଟିମ୍ ସାତପଡ଼ା ଏବଂ ବାଲୁଗାଁ ପାର୍ଶ୍ୱରୁ ଚିଲିକାକୁ ସର୍ଭେ କରିଥିଲେ। ଚିଲିକା ମଝିରେ କିପରି ବିମାନ ଅବତରଣ କରିବ ଏବଂ କେଉଁ ଦିଗରେ ବିମାନ ବନ୍ଦର କଲେ ସମସ୍ୟା ହେବନି ସେନେଇ ସର୍ଭେ ହୋଇଥିଲା।

କେନ୍ଦ୍ର ବେସାମରିକ ଜାହାଜ ଚଳାଚଳ ମନ୍ତ୍ରାଳୟ ସର୍ଭେ ରିପୋର୍ଟକୁ ତର୍ଜମା କରି ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଆଜି ସ୍ପଷ୍ଟ ହୋଇଛି।

ୱାଟର ଏରୋଡ୍ରମ ନିର୍ମାଣ ହେଲେ ପର୍ଯ୍ୟଟକମାନେ ଚିଲିକା ମଝିରେ ସିଧାସଳଖ ବିମାନରୁ ଓହ୍ଲାଇବେ। ବିମାନରୁ ଓହ୍ଲାଇ ଡଙ୍ଗାରେ କୂଳକୁ ଆସିବେ ଏବଂ କୂଳରୁ ଡଙ୍ଗାରେ ଯାଇ ବିମାନରେ ଚଢ଼ିବେ। ସ୍ପାଇସ୍ ଜେଟ୍ ବିମାନ କମ୍ପାନି ଉଡ଼ାଣ ଆରମ୍ଭ କରିବା ପାଇଁ ରାଜି ହୋଇଛି। ପରବର୍ତ୍ତୀ ସମୟରେ ଏହାକୁ ଉଡ଼ାଣ ଯୋଜନାରେ ସାମିଲ କରାଯିବାର ପ୍ରସ୍ତାବ ରହିଛି।

ଚିଲିକା ମଝିରେ ବିମାନବନ୍ଦର ନିର୍ମାଣ ହେଲେ ଯୁଦ୍ଧ ବିମାନ ଅବତରଣ କରିବା ସହ ଗୋଟିଏ ଇଞ୍ଜିନ ବିଶିଷ୍ଟ ବିମାନ ଅବତରଣ କରିବ। ଏଠାରେ ପ୍ରାୟ ୫୦୦ ଫୁଟର ରନୱେ ନିର୍ମାଣ କରିବା ପାଇଁ ପ୍ରସ୍ତାବ ରହିଛି।

Comment