ଓଡ଼ିଶାଲାଇଭ୍‌ ବ୍ୟୁରୋ

୭୨ତମ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ମଙ୍ଗଳବାର ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି।

“ବିବାଦକୁ ଛାଡ଼। ଦେଶ ବିକାଶରେ ସାମିଲ ହୁଅ। କୃଷକ ଏବଂ ସୈନିକମାନେ ଦେଶ ବିକାଶରେ ସେମାନଙ୍କର ବହୁ ମୂଲ୍ୟ ଦେଉଛନ୍ତି। କୃଷକମାନେ ଫସଲ ଉତ୍ପାଦନ କରି କୋଟି କୋଟି ଦେଶବାସୀଙ୍କ ମୁହଁରେ ହସ ଫୁଟାଉଥିବା ବେଳେ ସୈନିକମାନେ ଦେଶକୁ ସୁରକ୍ଷା ଦେଉଛନ୍ତି”, କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।

ଭାରତ ଅନେକ ଐତିହାସିକ ସଫଳତା ହାସଲ କରିବା ଦ୍ୱାର ଦେଶରେ ରହିଛି। ହେଲେ ଆମେ ବିଭିନ୍ନ ଅନାବଶ୍ୟକ ପ୍ରସଙ୍ଗରେ ଛନ୍ଦି ହୋଇ ଯାଉଛେ। ବିବାଦ ଓ ମନାନ୍ତର ଭୁଲି ଆମେ ଏହି ସୁଯୋଗକୁ ହାତଛଡ଼ା କରିବା ଠିକ୍ ନୁହେଁ ବୋଲି କହିଛନ୍ତି ରାଷ୍ଟ୍ରପତି।

୭୨ତମ ସ୍ୱାଧୀନତା ଦିବସ ପାଳନର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ମଙ୍ଗଳବାର ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଦେଶର ବିକାଶରେ କୃଷକ ଏବଂ ସୈନିକଙ୍କର ଯୋଗଦାନକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି।

କୃଷକମାନେ ଅନ୍ନଦାତା

ଯେତେ ଝଟଝଞ୍ଜା ଆସିଲେ ବି କୃଷକମାନେ ଫସଲ ଉତ୍ପାଦନ କରିଥାନ୍ତି। ଦେଶର କୋଟି କୋଟି ଜନତାଙ୍କ ପାଖରେ ଆହାର ପହଞ୍ଚାଇ ସେମାନଙ୍କ ମୁହଁରେ ହସ ଫୁଟାଇଥାନ୍ତି। କୃଷକ ଅମଳ କରୁଥିବା ଫସଲରେ ଆଜି ସୋରା ଦେଶରେ ଖାଦ୍ୟ ସୁରକ୍ଷା ସୁଦୃଢ଼ ହୋଇପାରିଛି। ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ କୃଷକ ଯୋଗାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି।

ସ୍ୱାଧୀନତା ସଂଗ୍ରାମୀମାନଙ୍କର ସ୍ୱପ୍ନର ଭାରତ ଗଢ଼ିବା ପାଇଁ କୃଷକମାନେ କାମ କରି ଚାଲିଛନ୍ତି। ସେମାନଙ୍କ ଅମଳ ବଢ଼ାଇବା ପାଇଁ ଏବେ ଅତ୍ୟାଧୁନିକ ଯନ୍ତ୍ରାଂଶ ଉପଲବ୍ଧ କରାଯାଉଛି। ଏହି ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି କୃଷକମାନେ ଦେଶର ଖାଦ୍ୟ ସୁରକ୍ଷାକୁ ଆହୁରି ମଜଭୁତ କରିପାରିବେ।

ଆମ ସୈନିକମାନେ ମହାନ

କୃଷକଙ୍କ ଭଳି ଆମ ସୈନିକ ମାନେ ମଧ୍ୟ ଦେଶକୁ ବାହ୍ୟ ଶ୍ରତ୍ରୁ ଆକ୍ରମଣରୁ ରକ୍ଷା କରୁଛନ୍ତି। ସ୍ଥଳ, ଜଳ ଓ ଆକାଶପଥରେ କଡ଼ା ପହରା ଦେଇ ଦେଶକୁ ରକ୍ଷା କରୁଛନ୍ତି। ଜାଗ୍ରତ ପ୍ରହରୀ ଭାବେ ସେମାନେ କାମ କରୁଛନ୍ତି। ସେମାନଙ୍କୁ ସୁବିଧା ସୁଯୋଗ ଦେବା ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଶୁଭାରମ୍ଭ କରିଛନ୍ତି। ସୈନିକମାନଙ୍କ ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ମଧ୍ୟ ଉପଲବ୍ଧ କରାଯାଇଛି।

ଏହାସହ ପୋଲିସ ଏବଂ ଅର୍ଦ୍ଧ ସାମରିକ ବଳ ମଧ୍ୟ ଅନେକ ପ୍ରତିବନ୍ଧକକୁ ସାମ୍ନା କରୁଛନ୍ତି। ଆତଙ୍କବାଦୀଙ୍କ ସାଙ୍ଗରେ ଲଢ଼େଇ କରୁଛନ୍ତି। ଅପରାଧ ଦମନ ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଅହିଂସା ପଥରେ ଚାଲିବାକୁ ଆହ୍ୱାନ

ହିଂସାର ଶକ୍ତି ଅପେକ୍ଷା ଅହିଂସାର ଶକ୍ତି ଢେର ଅଧିକ। ଏଣୁ ଆମେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଅହିଂସା ରାସ୍ତାରେ ଚାଲିବା ଦରକାର। ଏହାସହ ରାଷ୍ଟ୍ରପତି ନାରୀ ସ୍ୱାଧୀନତା ଏବଂ ନିରାପତ୍ତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।

Comment