ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ବସିଲା ଛତିଶା ନିଯୋଗ ବୈଠକ
  • ୯ଟି ପ୍ରସ୍ତାବରେ ସହମତ ହେଲେ ସେବାୟତ
  • ୩ଟି ପ୍ରସ୍ତାବକୁ କଲେ ବିରୋଧ
  • ଆମିକସ୍ କ୍ୟୁରି, ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଭାବେ ଜଣାଇବେ ସେବାୟତ

ସୁପ୍ରିମକୋର୍ଟଙ୍କ ୧୨ଟି ନିର୍ଦ୍ଦେଶାବଳୀ ଶ୍ରୀମନ୍ଦିରରେ କେମିତି ହେବ କାର୍ଯ୍ୟକାରୀ? ଶ୍ରୀମନ୍ଦିରରେ କେମିତି ଆସିବ ସଂସ୍କାର? ଏନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିଲା ଛତିଶା ନିଯୋଗ ବୈଠକ। ହେଲେ ସେବାୟତମାନେ ସୁପ୍ରିମକୋର୍ଟଙ୍କ ତିନିଟି ପଏଣ୍ଟକୁ ଗ୍ରହଣ କଲେନି। ଦୀର୍ଘ ସମୟ ଧରି ଆଲୋଚନା ଚାଲିଥିଲେ ହେଁ ସେବାୟତମାନେ ସହମତ ହୋଇ ନଥିଲେ।

ଶ୍ରୀମନ୍ଦିରରେ ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ, ସେବାୟତ ନିଯୁକ୍ତି, ଅନ୍ନଦାନ ଆଟିକା ବାବଦରେ ପାଉଣା ଆଦାୟ ବନ୍ଦ ସହ ଅନ୍ୟ ୯ଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେବାୟତମାନେ ଏହି ତିନୋଟି ପଏଣ୍ଟ ଉପରେ ସହମତ ହୋଇ ନାହାନ୍ତି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ମହାପାତ୍ର କହିଛନ୍ତି, “ସୁପ୍ରିମକୋର୍ଟଙ୍କ ୧୨ଟି ନିର୍ଦ୍ଦେଶାବଳୀ ଉପରେ ଛତିଶାନିଯୋଗ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି। ହେଲେ ୧,୨ ଓ ୧୨ ନମ୍ବର ପଏଣ୍ଟରେ ସହମତ ହୋଇ ନାହାନ୍ତି ସେବାୟତ। ଅବଶିଷ୍ଟ ୯ଟି ପଏଣ୍ଟ ଉପରେ କୌଣସି ମତ ପାର୍ଥକ୍ୟ ହୋଇନି। ସେହିପରି ଜଗନ୍ନାଥ ମନ୍ଦିର ରୀତିନୀତି, ଯାନିଯାତ୍ରାରେ କିଛି ପରିବର୍ତ୍ତନ ହେବନି ବୋଲି ସ୍ଥିର ହୋଇଛି।”

ସେବାୟତମାନେ ଯେଉଁ ତିନୋଟି ପଏଣ୍ଟ ଉପରେ ସହମତ ହୋଇ ନାହାନ୍ତି ସେ ସମ୍ପର୍କରେ ଛତିଶନିଯୋଗ ସମିତି ଲିଖିତ ଭାବେ ଆମିକସ୍ କ୍ୟୁରି ଏବଂ ଶ୍ରୀମନ୍ଦିର ପ୍ରଶାସନକୁ ଦେବେ ବୋଲି ଜଣାପଡ଼ିଛି।

ଆନନ୍ଦ ବଜାରରେ ମହାପ୍ରସାଦର ଦର ତାଲିକା ଝୁଲାଇବା ପ୍ରସଙ୍ଗ ଉପରେ ଛତିଶା ନିଯୋଗ ସମିତି ସହମତ ହୋଇଛି। ଏହାସହ ଶ୍ରୀମନ୍ଦିର ବାହାରେ ଭକ୍ତଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା କରିବା ପାଇଁ ବୈଠକରେ ଆଲୋଚନା ହେଉଛି।

ସୁପ୍ରିମକୋର୍ଟ ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ୧୨ଟି ପ୍ରସ୍ତାବ ଦେଇଥିଲେ। ଏହାକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତଙ୍କ ଭିତରେ ବାଦ ବିବାଦ ଲାଗି ରହିଥିଲା। ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ, ଅନ୍ନଦାନ ଆଟିକା ବାଦରେ ଦକ୍ଷିଣା ଆଦାୟ ଓ ସେବାୟତ ନିଯୁକ୍ତିକୁ ବିରୋଧ କରି ଆସୁଥିଲେ ସେବାୟତ।

ଏହାସତ୍ତ୍ୱେ ସେବାୟତଙ୍କ ମତାମତ ଲୋଡ଼ିବା ପାଇଁ ଗତ ୧୨ ତାରିଖରେ ଜନଶୁଣାଣି ହୋଇଥିଲା। କିନ୍ତୁ ଏହାକୁ ବିରୋଧ କରିଥିଲେ ସେବାୟତ। ଜଣ ଜଣ କରି ମତାମତ ନନେଇ ଓପନ ଫୋରମ୍‌ରେ ମତାମତ ନେବାକୁ ଦାବି କରିଥିଲେ ସେବାୟତ। ଫଳରେ ଜନଶୁଣାଣି ବିଫଳ ହୋଇଥିଲା।

Comment