ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତିମ ଯାତ୍ରାରେ ବାହାରିଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ବିଜେପି ମୁଖ୍ୟାଳୟରୁ ବାହାରିଲା ବାଜପେୟୀଙ୍କ ପାର୍ଥିବ ଶରୀର। ନିଜ ପ୍ରିୟ ନେତାଙ୍କୁ ଶେଷଥର ଦର୍ଶନ ପାଇଁ ଲକ୍ଷ ଲକ୍ଷ ଲୋକ ଦିଲ୍ଲୀର ଜାତୀୟ ରାଜପଥରେ ଏକତ୍ର ହୋଇଛନ୍ତି।
ଲାଲ ବାହାଦୁର ଶାସ୍ତ୍ରୀଙ୍କ ବିଜୟ ଘାଟ ଏବଂ ଜବାହରଲାଲ୍ ନେହେରୁଙ୍କ ସ୍ମାରକୀ ଶାନ୍ତି ବନ ମଧ୍ୟରେ ଅବସ୍ଥିତ ସ୍ମୃତି ସ୍ଥଳଠାରେ ଅପରାହ୍ନ ୪ଟାରେ ଅନ୍ତିମ ସଂସ୍କାର କରାଯିବ।
ଶୁକ୍ରବାରଦିନ ସକାଳୁ ଦୀନ ଦୟାଲ ମାର୍ଗସ୍ଥିତ ବିଜେପି ମୁଖ୍ୟାଳୟରେ ପହଞ୍ଚିଥିଲା ବାଜପେୟୀଙ୍କ ମୃତ ଶରୀର। ବିଭିନ୍ନ ଦେଶର ନେତା ଓ କର୍ମୀମାନେ ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଦିନ ୨ଟା ବାଜପେୟୀଙ୍କ ଅନ୍ତିମ ଶୋଭାଯାତ୍ରା ବାହାରିଛି।
ବୈଦେଶିକ ମନ୍ତ୍ରୀ ସୁଷମା ସ୍ଵରାଜ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ଵରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ଲୋକସଭା ଅଧ୍ୟକ୍ଷା ସୁମ୍ରିତା ମହାଜନ, ବିଜେପି ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀ, କର୍ମୀମାନେ ବାଜପେୟୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପାଦରେ ଚାଲିଚାଲି ଅଟଳ ବିହାରୀ ବାଜପେୟୀଙ୍କ ମୃତ ଶରୀର ପଛେ ପଛେ ଯାଉଛନ୍ତି।
ସୁରୁଖୁରୁରେ ବାଜପେୟୀ ଅନ୍ତିମ ଯାତ୍ରା ସମାପନ କରିବା ନିମନ୍ତେ କୃଷ୍ଣ ମେନନ୍ ମାର୍ଗ, ଜନପଥ ଏବଂ ଇଣ୍ଡିଆ ଗେଟ୍ ସି-ହେକ୍ସାଗନ୍ ସମେତ କେନ୍ଦ୍ରୀୟ ଦିଲ୍ଲୀକୁ ପଡ଼ିଥିବା ପ୍ରାୟ ସମସ୍ତ ରାସ୍ତା ସକାଳ ୮ଟା ଠାରୁ ସର୍ବସାଧାରଣଙ୍କ ବ୍ୟବହାର ନିମନ୍ତେ ବନ୍ଦ ରହିଛି।
ଜନନାୟକ ଅଟଳ ବିହାରୀ ବାଜପେୟୀଙ୍କ ୯୩ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ଅପରାହ୍ନ ୫ଟା ୫ ମିନିଟ୍ ସମୟରେ ଦିଲ୍ଲୀ ଏମ୍ସରେ ପରଲୋକ ଘଟିଛି। ୯ ସପ୍ତାହ ଧରି ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଥିଲେ ବାଜପେୟୀ। ବୁଧବାର ସକାଳୁ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଦେଖା ଦେଇଥିଲା। ଗତ ଜୁନ୍ ୧୧ ତାରିଖରେ ବାଜପେୟୀଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା।
ବାଜପେୟୀଙ୍କ ବିୟୋଗରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ସମସ୍ତ ସରକାରୀ କାର୍ଯ୍ୟାଳୟରେ ତ୍ରିରଙ୍ଗା ପତାକାକୁ ଅର୍ଦ୍ଧନମିତ ରଖାଯିବ। ୭ ଦିନ ପର୍ଯ୍ୟନ୍ତ କୌଣସି ସରକାରୀ ଉତ୍ସବ ପାଳନ ହେବନି।
ସେହିପରି ଆଜି ଓଡ଼ିଶାରେ ସବୁ ସ୍କୁଲ ଓ କଲେଜ ସହ ସମସ୍ତ ସରକାରୀ ଅଫିସ ପାଇଁ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଶୁକ୍ରବାରଦିନ ରାଜ୍ୟର ସମସ୍ତ ବ୍ୟାଙ୍କ ମଧ୍ୟ ବନ୍ଦ ରହିବ। କେବଳ ଓଡ଼ିଶା ନୁହେଁ, ଓଡ଼ିଶା ସମେତ ୧୧ଟି ରାଜ୍ୟରେ ଆଜି ସ୍କୁଲ, କଲେଜ ଓ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଉତ୍ତରପ୍ରଦେଶ, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ, ବିହାର, ଝାଡ଼ଖଣ୍ଡ, ହରିୟାଣା, ତାମିଲନାଡ଼ୁ ଓ କର୍ଣ୍ଣାଟକ ଆଦି ରାଜ୍ୟରେ ଏହି ଛୁଟି ଘୋଷଣା କରାଯାଇଛି।