ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜରାସ୍ତାକୁ ପୁଣି ଆସିଲେ ଶିକ୍ଷକ। ସରକାର ପ୍ରତିଶ୍ରୁତି ପୂରଣ କରି ନଥିବାରୁ ଶିକ୍ଷକମାନେ ଭୁବନେଶ୍ୱର ପିଏମ୍‌ଜି ଛକରେ ପୁଣି ଗର୍ଜିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶିକ୍ଷକମାନେ ନୀରବ ପ୍ରତିବାଦ କରିଛନ୍ତି। ଶନିବାର ସୁଦ୍ଧା ସରକାର ଦାବି ପୂରଣ ନକଲେ ଆନ୍ଦୋଳନ ଜୋରଦାର ହେବା ସହ ସ୍କୁଲରେ ତାଲା ପକାଇବାକୁ ଶିକ୍ଷକମାନେ ଚେତାବନୀ ଦେଇଛନ୍ତି।

ଶିକ୍ଷକ ଅଧ୍ୟାପକମାନେ ଆଜି ରେଳ ଷ୍ଟେସନ ନିକଟରୁ ଶୋଭାଯାତ୍ରାରେ ଆସିଥିଲେ। ବିଧାନସଭା ଅଭିମୁଖେ ଅଗ୍ରସର ହେଉଥିବା ବେଳେ ପୋଲିସ ବ୍ୟାରିକେଡ୍ ପକାଇ ଶିକ୍ଷକମାନଙ୍କୁ ଅଟକାଇଥିଲା। ଫଳରେ ରାସ୍ତାରେ ଶିକ୍ଷକମାନେ କରିଥିଲେ ସମାବେଶ। ବ୍ଲକ ଗ୍ରାଣ୍ଟ ଉଚ୍ଛେଦ କରି ସରକାର ନୂତନ ଅନୁଦାନ ଆଇନ ପ୍ରଣୟନ କରିଥିବାରୁ ଶିକ୍ଷକ ସଂଘ ଏହାକୁ ବିରୋଧ କରିଛନ୍ତି। ୭ ମାସ ହେଲା ଶିକ୍ଷକ, କର୍ମଚାରୀ ସଂଘ ଏହି ଅନୁଦାନ ଆଇନକୁ ପ୍ରତ୍ୟାଖ୍ୟାନ କରୁଥିଲେ ମଧ୍ୟ ସରକାର ଶୁଣୁ ନାହାନ୍ତି। ଶିକ୍ଷକମାନଙ୍କୁ ପ୍ରତାରଣା କରୁଛନ୍ତି। ଏଥର ଦାବି ପୂରଣ ନହେଲେ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ଶିକ୍ଷକମାନେ ଦାବି କରିଛନ୍ତି।

ଶିକ୍ଷକମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଉପ-ସଭାପତି କୈଳାଶ ଆଚାର୍ଯ୍ୟ ପ୍ରମୁଖ ଧାରଣାସ୍ଥଳକୁ ଯାଇଥିଲେ। ବ୍ଲକଗ୍ରାଣ୍ଟ ପ୍ରଥା ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ଦେବାକୁ ସଂଘ ଦାବି କରିଛି।

Comment