ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଙ୍କି: କଟକ ଜିଲ୍ଲା ବାଙ୍କି ଥାନା ଅନ୍ତର୍ଗତ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ମହାନଦୀ ବ୍ରିଜ୍ ଉପରୁ ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା କରିଛନ୍ତି। ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ କେଉଁ ପରିସ୍ଥିତିରେ ସେ ବ୍ରିଜ ଉପରକୁ ନଦୀକୁ ଡେଇଁଲେ ତାହା ଜଣାପଡ଼ି ନାହିଁ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଯୁବତୀ ଜଣକ କଳା ରଙ୍ଗର ସ୍କୁଟି (ନମ୍ବର ଓଡି୦୨ଏନ୍ ୧୧୩୬)ରେ ଆସି ଅଚାନକ ପୋଲ ଉପରେ ରହିଥିଲେ। ଗାଡ଼ି ପୋଲ ଉପରେ ରଖି ସିଧା ମହାନଦୀକୁ ଡେଇଁଥିଲେ। ନଦୀରେ ପାଣି ଅଧିକ ଥିବାରୁ ଯୁବତୀ ଜଣକ ଭାସି ଭାସି ଆଠଗଡ଼ ଉପଖଣ୍ଡର କନ୍ଦରପୁର ଲାଗିଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀମାନେ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା।

ମତ୍ସ୍ୟଜୀବୀମାନେ ଆଠଗଡ଼ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ମୃତ ଯୁବତୀଙ୍କ ପାଖରୁ ମିଳିଥିବା କାଗଜପତ୍ରରୁ ଜଣାପଡ଼ିଛି ଯେ ତାଙ୍କ ଘର ଭୁବନେଶ୍ୱରର ଚନ୍ଦ୍ରଶେଖରପୁର, ଫେଜ୍-୨ ଅଞ୍ଚଳରେ। ତାଙ୍କ ନାଁ ସୀମା ମହାରଣା।

ପୋଲିସ ମୃତ ଯୁବତୀଙ୍କ ସାନ ଭଉଣୀ ସହ ଯୋଗାଯୋଗ କରିଛି। ତାଙ୍କ ସାନଭଉଣୀ କହିଛନ୍ତି ଯେ ସେ ଗତକାଲିଠାରୁ ନିଖୋଜ ଥିଲେ। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରାଯାଇଥିଲା। ସେ ଇଞ୍ଜିନିୟରିଂ କଲେଜରେ ପାଠ ପଢ଼ୁଥିଲେ। ତେବେ ସେ କିଛିଦିନ ହେଲା ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ। ପୂର୍ବରୁ ୨ ଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ।

LEAVE A REPLY

Please enter your comment!
Please enter your name here