ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶ୍ରୀମନ୍ଦିର ଜଗମୋହନ ଏବଂ ନାଟମଣ୍ଡପର ଯାଞ୍ଚ ଆରମ୍ଭ କଲା ଏସ୍‌ଆଇ ବୈଷୟକ କୋର୍ କମିଟି। ଜଗମୋହନ ଏବଂ ନାଟମଣ୍ଡପରୁ ପାଣି ଗଳୁଥିବା ଅଭିଯୋଗ ହେବା ପରେ ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତିନିଧି ଦଳ ମନ୍ଦିର ଭିତରେ ପଶି ତନ୍ନ ତନ୍ନ କରି ଯାଞ୍ଚ କରୁଛନ୍ତି। ଯାଞ୍ଚ ପ୍ରକ୍ରିୟା ତିନି ଧରି ଚାଲିବ।

ଆସନ୍ତା କାଲି ଆଇଆଇଟି ଚେନ୍ନାଇ ଏବଂ ଆଇଆଇଟି ଖଡ଼ଗପୁରରୁ ବିଶେଷଜ୍ଞ ଟିମ୍ ଆସିବେ। ସେମାନେ ଏଏସ୍‌ଆଇ ବୈଷୟିକ କୋର୍ କମିଟି ସହ ମିଶି ଯାଞ୍ଚ କରିବେ।

ଏଏସ୍‌ଆଇ କୋର୍ କମିଟି ସଦସ୍ୟ ଧର୍ମ ପ୍ରସାଦ ମିଶ୍ର କହିଛନ୍ତି, “ତିନି ଧରି ଶ୍ରୀମନ୍ଦିରର ଜଗମୋହନ, ନାଟମଣ୍ଡପ ଏବଂ ଭୋଗମଣ୍ଡପର ସ୍ଥିତି ଅନୁଧ୍ୟାନ କରାଯିବ। କ’ଣ ପାଇଁ ପାଣି ଗଳୁଛି ତାହା ଯାଞ୍ଚ କରାଯିବ।”

ଗତ ଲଗାଣ ବର୍ଷାରେ ଜଗମୋହନ ଏବଂ ନାଟମଣ୍ଡପରୁ ପାଣି ଗଳୁଥିବା ସେବାୟତମାନେ ଅଭିଯୋଗ କରିଥିଲେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ଏଏସ୍‌ଆଇର ଦୃଷ୍ଟି ଆକର୍ଷଣ କରିଥିଲା।

ଏପଟେ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାରେ ସୋମବାର ଏଏସ୍‌ଆଇ ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଏବଂ ଜଷ୍ଟିସ୍ ବି ଆର୍ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏଏସ୍‌ଆଇର ଭାରପ୍ରାପ୍ତ ସୁପରିଟେଣ୍ଡେଣ୍ଟ ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଦର୍ଶାଯାଇଛି ଯେ ନାଟମଣ୍ଡପ ମରାମତି କାମ ଆଗେଇ ଚାଲିଛି।

ସେହିପରି ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ଦେବଦେବୀ ମନ୍ଦିରର ମରାମତି ଓ ସଂରକ୍ଷଣ କାମ ଆଗେଇ ଚାଲିଛି।

Comment