ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସ ଭବନରେ ତିନି ଦିନ ହେଲା ଚାଲିଛି ମାରାଥନ ବୈଠକ। ପିସିସି ସଭାପତି ଏବଂ ପ୍ରଭାରୀ ବସି ଟିକେଟ ଅଡ଼ୁଆ ତୁଟାଉଛନ୍ତି।

୨୦୧୯ ନିର୍ବାଚନକୁ ଚାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ବିଜେଡି ଏବଂ କଂଗ୍ରେସକୁ ଟକ୍କର ଦେବା ଲାଗି ଉପଯୁକ୍ତ ପ୍ରାର୍ଥୀ ଖୋଜୁଛନ୍ତି ନିରଞ୍ଜନ। ତିନି ଦିନ ହେଲା ବିଭିନ୍ନ ବର୍ଗର ନେତାଙ୍କୁ ଡାକି କଂଗ୍ରେସ ଭବନରେ ଆଲୋଚନା ଚାଲିଥିଲେ ମଧ୍ୟ ଅଡ଼ୁଆ ତୁଟୁନି। ୨୦୧୯ରେ କାହାକୁ ରଖିବେ ଏବଂ କାହାକୁ କାଟିବେ ତାକୁ ନେଇ ମନ୍ଥନ ଚାଲିଛି।

ଦୁଇ ଦିନ ଧରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ପ୍ରଭାରୀ ଜିତେନ୍ଦ୍ର ସିଂ ମାରାଥନ ବୈଠକ କରିବା ପରେ ଆଜି ତୃତୀୟ ଦିନ ପାଇଁ ବସିଥିଲା ବୈଠକ। ଏଥିରେ ଯୋଗ ଦେଇଥିଲେ ୨୦୧୪ରେ ୧୫ ହଜାରରୁ କମ୍ ଭୋଟ ପାଇଥିବା ପ୍ରାର୍ଥୀ। ପ୍ରାୟ ୨୫ ଜଣ ପ୍ରାର୍ଥୀ ଆଜିର ବୈଠକରେ ଯୋଗ ଦେଇଥିଲେ। ନିର୍ବାଚନମଣ୍ଡଳୀରେ ସେମାନଙ୍କ ସାଙ୍ଗଠନିକ ସ୍ଥିତି କେମିତି ଅଛି ସେନେଇ ଆଲୋଚନା ଚାଲିଥିଲା। ଆଲୋଚନା ପରେ ନିରଞ୍ଜନ ଟିକେଟ ଫର୍ମୁଲା ସମ୍ପର୍କରେ ଗଣମାଧ୍ୟମକୁ କହିଛନ୍ତି।

ନିରଞ୍ଜନ ଟିକେଟ ଫର୍ମୁଲା

ସୋମବାର ବସିଥିବା ବୈଠକରେ କୁହାଯାଇଥିଲା ଯେ ଯେଉଁ ପ୍ରାର୍ଥୀମାନେ ୨୦୧୪ରେ ଅମାନତ ହାରିଥିବେ ସେମାନଙ୍କୁ ଟିକେଟ ମିଳିବ ନାହିଁ। ହେଲେ ଆଜି ନିରଞ୍ଜନ ଅଲଗା କଥା କହିଛନ୍ତି। ଯେଉଁ ପ୍ରାର୍ଥୀମାନେ ଅମାନତ ହାରିଥିବେ ଏବଂ ସେମାନଙ୍କର ସାଙ୍ଗଠନିକ ସ୍ଥିତି ଭଲ ଥିବ ସେମାନଙ୍କ କଥା ବିଚାର କରାଯାଇପାରେ। ଅର୍ଥାତ୍ ଟିକେଟକୁ ନେଇ ଦଳରେ ବିଦ୍ରୋହ ଦେଖାଦେବାର ଆଶଙ୍କା କରି ନିରଞ୍ଜନ ଅମାନତ ହାରିଥିବା ପ୍ରାର୍ଥୀଙ୍କୁ ଆବଶ୍ୟକସ୍ଥଳେ ଟିକେଟ ଦେବା ପାଇଁ ଚିନ୍ତା କରୁଛନ୍ତି।

କିଛିଦିନ ତଳେ ପ୍ରଭାରୀ ଜିତେନ୍ଦ୍ର ସିଂହ ‘ୱାନ ଫ୍ୟାମିଲି ୱାନ ଟିକେଟ’ କଥା କହିଥିଲେ। ବଂଶବାଦ ରାଜନୀତି ପ୍ରଥାକୁ ବନ୍ଦ କରି ଗୋଟିଏ ପରିବାରର ଜଣଙ୍କୁ ଟିକେଟ ଦେବା ପାଇଁ ପ୍ରଭାରୀ କହିଥିଲେ। ହେଲେ ନିରଞ୍ଜନ ଆଜି ଭିନ୍ନ କଥା କହିଛନ୍ତି। ଗୋଟିଏ ପରିବାରରୁ ଏକାଧିକ ଲୋକଙ୍କୁ ଟିକେଟ ଦିଆଯାଇପାରେ ବୋଲି କହିଛନ୍ତି ପିସିସି ସଭାପତି। ଯେଉଁ ପରିବାର ରାଜନୀତି ସହ ସଂପୃକ୍ତ ଥିବେ ସେମାନଙ୍କୁ ଏକାଧିକ ଟିକେଟ ଦେବା ନେଇ ବିଚାର କରାଯିବ। ତେବେ ୱାନ ଫ୍ୟାମିଲି ୱାନ ଟିକେଟ ଫର୍ମୁଲାରେ ନିରଞ୍ଜନ କାହିଁକି ସଂଶୋଧନ କଲେ ବୋଲି ଚର୍ଚ୍ଚା ବଢ଼ିଛି।

ଯେଉଁ ପ୍ରାର୍ଥୀମାନେ ଦୋଷୀ ସାବ୍ୟ ହୋଇ ଜେଲ୍ ଯାଇଥିବେ ସେମାନଙ୍କୁ ଟିକେଟ ଦିଆଯିବ ନାହିଁ ବୋଲି କହିଛନ୍ତି ନିରଞ୍ଜନ। ଆକ୍ରୋଶମୂଳକ ଭାବେ ଯେଉଁମାନେ ଗିରଫ ହୋଇଥିବେ ସେମାନଙ୍କ କଥାକୁ ବିଚାର କରାଯିବ।

୨୦୧୯ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିବା ମୁଡ୍‌ରେ ରହିଛି କଂଗ୍ରେସ। ଅଗଷ୍ଟ ଶେଷ ସୁଦ୍ଧା ୫୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ପ୍ରଭାରୀ ସମନ୍ୱୟ କମିଟି ବୈଠକ ବେଳେ କହିଥିଲେ। କିନ୍ତୁ ଅଗଷ୍ଟ ଶେଷ ହେବାକୁ ବସିଲାଣି କଂଗ୍ରେସର ଟିକେଟ କସରତ ଶେଷ ହେଉନି। ୫୦ ପ୍ରତିଶତ ପ୍ରାର୍ଥୀ ତାଲିକା ସେପ୍ଟେମ୍ବର ମାସକୁ ଘୁଞ୍ଚିଛି। ତେବେ କାହାର ଟିକେଟ କଟିବ ଏବଂ କାହାର ରହିବ ତାକୁ ନେଇ ଆଶାୟୀଙ୍କ ମହଲରେ ଉତ୍କଣ୍ଠା ବଢ଼ିଛି।

Comment