ଓଡ଼ିଶାଲାଇଭ୍ ବ୍ୟୁରୋ
ଟ୍ରେଣ୍ଟବ୍ରିଜ ଟେଷ୍ଟରେ ଭାରତ ଦମଦାର ବିଜୟ। ଇଂଲଣ୍ଡକୁ ୨୦୩ ରନରେ ପରାସ୍ତ କରିଛି ଭାରତ।
ଚଳିତ ୩ୟ ଟେଷ୍ଟ ମ୍ୟାଚ୍ରେ ଦମଦାର ବିଜୟ ହାସଲ କରିଛି ଭାରତୀୟ ଦଳ। ଶେଷ ଦିନରେ ଜିତିବା ପାଇଁ ଭାରତ ଆଉ ମାତ୍ର ଗୋଟିଏ ୱିକେଟ ଦୂରରେ ଥିବାବେଳେ ଆଣ୍ଡରସନଙ୍କୁ ଆଉଟ କରି ଅଶ୍ଵିନ ଭାରତକୁ ସିରିଜରେ ପ୍ରଥମ ବିଜୟ ଆଣିଦେଇଥିଲେ। ଫଳରେ ୫ଟିକିଆ ଟେଷ୍ଟ ମ୍ୟାଚ୍ ସିରିଜ ୨-୧ ସ୍ଥିତିକୁ ଆସିଛି।
୫୨୧ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ଇଂଲଣ୍ଡ ଏକଦା ୬୨ରନରେ ୪ ଉଇକେଟ ହରାଇ ସଂକଟରେ ପଡ଼ିଥିଲା। ମ୍ୟାଚ ମଙ୍ଗଳବାର ଶେଷ ହୋଇଯିବ ବୋଲି ଆଶା କରାଯାଉଥିଲା। ମାତ୍ର ଉଇକେଟକିପର ଜୋସ୍ ବଟଲର (୧୦୬) ଓ ବେନ୍ ଷ୍ଟୋକ୍ସ (୬୨) ୫ମ ଉଇକେଟରେ ଶତକୀୟ (୧୬୯ରନ) ଭାଗୀଦାରି କରି ଭାରତର ବିଜୟ ପଥରେ ବାଧା ସୃଷ୍ଟି କରିଥିଲେ।
ମାତ୍ର ପରେ ବୁମ୍ରା ଚମତ୍କାର ବୋଲିଂ କରି ଘରୋଇ ଦଳର ମିଡଲ ଅର୍ଡରରେ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ବୁମ୍ରା ତାଙ୍କ ଦ୍ୱିତୀୟ ସ୍ପେଲ୍ରେ ବଟଲର ଜନି ବେୟାରଷ୍ଟୋ (୦), କ୍ରିସ୍ ଓକ୍ସ (୪) ଓ ଷ୍ଟୁଆର୍ଟ ବ୍ରଡ୍ (୨୦)ଙ୍କୁ ଆଉଟ କରିଦେଇଥିଲେ। ଇଂଲଣ୍ଡ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ଏହାର ଦ୍ୱିତୀୟ ଇନିଂସରେ ୯ଉଇକେଟ ବିନିମୟରେ ୩୧୧ରନ କରିପାରିଥିଲା। ଦଳ ହାତରେ ଆଉ ଗୋଟିଏ ଉଇକେଟ ରହିଥିବାବେଳେ ବିଜୟ ପାଇଁ ୨୧୦ ରନ ଆବଶ୍ୟକ କରୁଛି। ଆଡିଲ ରଶିଦ ୩୦ ଓ ଜେମ୍ସ ଆଣ୍ଡରସନ ୮ ରନ କରି ଅପରାଜିତ ଥିଲେ।
ଫଳରେ ଜିତିବା ପାଇଁ ବୁଧବାର ୫ମ ତଥା ଅନ୍ତିମ ଦିନରେ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିଥିଲା। ଅଶ୍ଵିନ ଶେଷ ଉଇକେଟ ନେଇ ଭାରତକୁ ବିଜୟ ଦେଇଥିଲେ।
ଟସ୍ ହାରି ପ୍ରଥମ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ଇନିଂଶରେ ୩୨୯ରନ୍ କରିଥିଲା। ଏହାର ଜବାବରେ ଇଂଲଣ୍ଡ ଟିମ୍ ମାତ୍ର ୧୬୧ ରନ୍ରେ ଅଲଆଉଟ ହୋଇଯାଇଥିଲା। ଭାରତ ଦ୍ଵିତୀୟ ଇନିଂଶ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରି ଇଂଲଣ୍ଡ ସାମ୍ନାରେ ବିଶାଳ ୫୨୧ରନ୍ର ବିଜୟ ଲକ୍ଷ୍ୟ ରଖିଥିଲା।


















