ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ୩ୟ ଟେଷ୍ଟମ୍ୟାଚ୍ରେ ବିଜୟ ଦ୍ୱାରରେ ପହଞ୍ଚିଯାଇଛି ଭାରତୀୟ ଦଳ। ଜିତିବା ପାଇଁ ଭାରତ ଆଉ ମାତ୍ର ଗୋଟିଏ ୱିକେଟ ଦୂରରେ ରହିଛି।
ଟ୍ରେଣ୍ଟବ୍ରିଜଠାରେ ଚାଲିଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଭାରତ ବିଜୟ ଦ୍ୱାର ଦେଶରେ ପହଞ୍ଚିଛି। ୫୨୧ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ଇଂଲଣ୍ଡ ଏକଦା ୬୨ରନରେ ୪ ଉଇକେଟ ହରାଇ ସଂକଟରେ ପଡ଼ିଥିଲା। ମ୍ୟାଚ ମଙ୍ଗଳବାର ଶେଷ ହୋଇଯିବ ବୋଲି ଆଶା କରାଯାଉଥିଲା। ମାତ୍ର ଉଇକେଟକିପର ଜୋସ୍ ବଟଲର (୧୦୬) ଓ ବେନ୍ ଷ୍ଟୋକ୍ସ (୬୨) ୫ମ ଉଇକେଟରେ ଶତକୀୟ (୧୬୯ରନ) ଭାଗୀଦାରି କରି ଭାରତର ବିଜୟ ପଥରେ ବାଧା ସୃଷ୍ଟି କରିଥିଲେ।
ମାତ୍ର ପରେ ବୁମ୍ରା ଚମତ୍କାର ବୋଲିଂ କରି ଘରୋଇ ଦଳର ମିଡଲ ଅର୍ଡରରେ ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ବୁମ୍ରା ତାଙ୍କ ଦ୍ୱିତୀୟ ସ୍ପେଲ୍ରେ ବଟଲର ଜନି ବେୟାରଷ୍ଟୋ (୦), କ୍ରିସ୍ ଓକ୍ସ (୪) ଓ ଷ୍ଟୁଆର୍ଟ ବ୍ରଡ୍ (୨୦)ଙ୍କୁ ଆଉଟ କରିଦେଇଥିଲେ। ଇଂଲଣ୍ଡ ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ଏହାର ଦ୍ୱିତୀୟ ଇନିଂସରେ ୯ଉଇକେଟ ବିନିମୟରେ ୩୧୧ରନ କରିପାରିଥିଲା। ଦଳ ହାତରେ ଆଉ ଗୋଟିଏ ଉଇକେଟ ରହିଥିବାବେଳେ ବିଜୟ ପାଇଁ ୨୧୦ ରନ ଆବଶ୍ୟକ କରୁଛି। ଆଡିଲ ରଶିଦ ୩୦ ଓ ଜେମ୍ସ ଆଣ୍ଡରସନ ୮ ରନ କରି ଅପରାଜିତ ରହିଛନ୍ତି।
ଜିତିବା ପାଇଁ ବୁଧବାର ୫ମ ତଥା ଅନ୍ତିମ ଦିନରେ ପଡ଼ିଆକୁ ଓହ୍ଲାଇବାକୁ ପଡ଼ିବ। ୫୨୧ ରନ୍ ବିଜୟଲକ୍ଷ୍ୟର ପିଛା କରୁଥିବା ଇଂଲଣ୍ଡ ମଙ୍ଗଳବାର ୪ର୍ଥ ଦିନ ଶେଷରେ ୯ ୱିକେଟ ହରାଇ ୩୧୧ ରନ୍ କରିଛି। ଯଦି ବୁଧବାର ପୂରା ଦିନ ବର୍ଷା ଯୋଗୁଁ ବାତିଲ ନହୁଏ; ତେବେ ଭାରତକୁ ବିଜୟରୁ କେହି ରୋକିପାରିବେ ନାହିଁ।
















