ଓଡ଼ିଶାଲାଇଭ୍ ବ୍ୟୁରୋ

- ଭୁବନେଶ୍ୱରରେ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା
- ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
- ବିଜେଡିର ବହୁ ବରିଷ୍ଠ ନେତା ସାମିଲ
- ପିସିସି ସଭାପତି ଓ ବିରୋଧୀ ଦଳ ନେତା ଦେଲେ ଶ୍ରଦ୍ଧାଞ୍ଜଳି
- ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ବରିଷ୍ଠ ନେତା ଉପସ୍ଥିତ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ବିଜେପି ପକ୍ଷରୁ ଆୟୋଜିତ ହୋଇଛି ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା। ଏହି ସ୍ମୃତିସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ବାଜପେୟୀଙ୍କ ସ୍ମୃତିଚାରଣ କରିଛନ୍ତି। ବାଜପେୟୀଙ୍କୁ ଜଣେ ମହାନ ନେତା ଭାବେ ଅଭିହିତ କରିଛନ୍ତି ନବୀନ।
“ରାଜନୀତିରୁ ବହୁ ଊର୍ଦ୍ଧ୍ୱରେ ଥିଲେ ଅଟଳ ବିହାରୀ ବାଜପେୟୀ। ସେ ଥିଲେ ଜଣେ ଦକ୍ଷ ରାଜନେତା। ତାଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ଭାରତକୁ ଭଲ ଦିଗଦର୍ଶନ ମିଳିଥିଲା। ରାଜନୀତି ସହ ସେ ଭଲ କବିତା ଲେଖି ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିଲେ। ଓଡ଼ିଶା ପାଇଁ ବାଜପେୟୀଙ୍କର ଥିଲା ସ୍ୱତନ୍ତ୍ର ଅବଦାନ। ଓଡ଼ିଶାକୁ ସେ ଭଲ ପାଉଥିଲେ। ଓଡ଼ିଶାବାସୀ ବାଜପେୟୀଙ୍କୁ ସବୁଦିନ ପାଇଁ ମନେରଖିବେ”, କହିଛନ୍ତି ନବୀନ ପଟ୍ଟନାୟକ।
ନବୀନଙ୍କ ସମେତ ବିଜେଡିର ବହୁ ବରିଷ୍ଠ ନେତା ସ୍ମୃତିସଭାରେ ଯୋଗଦେଇ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ ପ୍ରମୁଖ ଯୋଗ ଦେଇଥିଲେ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟ ଦଳର ନେତାମାନେ ଏହି ସଭାରେ ଉପସ୍ଥିତ ରହି ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ।
ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଗତକାଲି ବିଜେପି ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଥିଲେ।
ବିଜେପି ପକ୍ଷରୁ ଗତକାଲି ବାଜପେୟୀଙ୍କ ଚିତାଭସ୍ମ ପୁରୀ ମହୋଦଧିରେ ବିସର୍ଜନ କରାଯାଇଛି। ଭୁବନେଶ୍ୱରରୁ ଚିତାଭସ୍ମକୁ ବିରାଟ ଶୋଭାଯାତ୍ରାରେ ପୁରି ଅଭିମୁଖେ ନିଆଯାଇଥିଲା।


















