ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଓଡ଼ିଶା ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ମାନସମନ୍ଥନ
  • ଓଡ଼ିଶା ଟୁରିଜିମ୍ କନକ୍ଲେଭରେ ଦିନ ତମାମ୍ ଚାଲିଲା ଆଲୋଚନା
  • ୬ଟି ଅଧିବେଶନରେ ମତ ରଖିଲେ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତି
  • ଆଲୋଚନାରେ ସାମିଲ ହେଲେ ହୋଟେଲ ମାଲିକ, ଟୁର୍ ଅପରେଟର୍, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ

“ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ଅଭାବ ନାହିଁ। ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଏବେ ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି”, କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍।

ଭୁବନେଶ୍ୱର ହୋଟେଲ ସ୍ୱସ୍ତିରେ ଆୟୋଜିତ ହୋଇଥିବା ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ’ର ତୃତୀୟ ସଂସ୍କରଣରଣର ଉଦଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ। ଭାରତ ସମେତ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ଉପରେ ସେ ଆଲୋକପାତ କରିଥିଲେ।

ରାଜ୍ୟପାଳ କହିଥିଲେ ଯେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଭାରତ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ଅନ୍ୟ ଦେଶ ତୁଳନାରେ ଭାରତର ପର୍ଯ୍ୟଟନ ଶିଳ୍ପ ଅଧିକ ସମୃଦ୍ଧଶାଳୀ ହେଉଛି। ଭାରତର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ରକୁ ଦେଖିବା ପାଇଁ ବିଦେଶରୁ ପର୍ଯ୍ୟଟକମାନେ ଆସୁଛନ୍ତି। ଭାରତ ଏବେ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ପାଲଟିଛି।

ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ପକ୍ଷରୁ ‘ଓଡ଼ିଶା ଟୁରିଜିମ୍ କନକ୍ଲେଭ’ ଆୟୋଜନ କରାଯାଇଛି। ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଏହି କନକ୍ଲେଭ ଆୟୋଜନ କରାଯାଉଛି।  ଦେଶ ବିଦେଶରୁ କିପରି ଅଧିକରୁ ଅଧିକ ପର୍ଯ୍ୟଟକମାନେ ଓଡ଼ିଶା ଆସିବେ ସେନେଇ ଦିନ ତମାମ୍ ମନ୍ଥନ ଚାଲିଥିଲା।

ହୋଟେଲ ମାଲିକ, ଟୁର୍ ଅପରେଟର୍, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ, ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତି, ବିଭିନ୍ନ ଶିଳ୍ପସଂସ୍ଥାର ଅଧିକାରୀ, ବୁଦ୍ଧିଜୀବୀ, ଗଣମାଧ୍ୟମର ସମ୍ପାଦକମାନେ ଯୋଗଦେଇ ନିଜର ମତ ରଖିଥିଲେ।

“ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରକୁ ଆଗକୁ ନେବାକୁ ହେଲେ ସମସ୍ତଙ୍କର ସହଯୋଗ ଦରକାର। କେବଳ ସରକାରଙ୍କ ଉପରେ ସବୁକଥା ଛାଡ଼ିଦେଲେ ଚଳିବ ନାହିଁ। ଏଥିପାଇଁ ଓଡ଼ିଶାର ଜନସାଧରଣଙ୍କ ସହଯୋଗ ଦରକାର। ଓଡ଼ିଶା ପର୍ଯ୍ୟଟନ ଶିଳ୍ପକୁ ଅଧିକ ସମୃଦ୍ଧ କରିବା ପାଇଁ ହେଲେ ଆମକୁ ଦୀର୍ଘମିଆଦୀ ଯୋଜନା କରିବାକୁ ପଡ଼ିବ”, ଏହି କନକ୍ଲେଭରେ ଯୋଗଦେଇ କହିଛନ୍ତି ସମ୍ବାଦ ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ।

ଏହି କନକ୍ଲେଭରେ ଯୋଗଦେଇ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ କହିଲେ ଯେ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବଡ଼ ସୁଯୋଗ ରହିଛି। ଓଡ଼ିଶା ସରକାର ଏଦିଗରେ ଅନେକ କାମ କରିଛନ୍ତି ଏବଂ ଆଗକୁ ମଧ୍ୟ ପଦକ୍ଷେପ ଜାରି ରଖିଛନ୍ତି।

‘କ୍ରୀଡ଼ା ପର୍ଯ୍ୟଟନର ଗୁରୁତ୍ୱ ଏବେ ସାରା ବିଶ୍ୱରେ ବୃଦ୍ଧି ପାଇଛି। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ କ୍ରୀଡ଼ା ଏକ ବଡ଼ ମାଧ୍ୟମ ପାଲଟିଛି। ଏଥିପ୍ରତି ସରକାର ସଚେତନ ଅଛନ୍ତି”, କହିଛନ୍ତି ବିଶାଲ ଦେବ।

ଓଡ଼ିଶା ଟୁରିଜିମ୍ କନକ୍ଲେଭର ଉଦଘାଟନୀ ଅଧିବେଶନରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସତ କୁମାର ତ୍ରିପାଠୀ ଯୋଗଦେଇ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଉପରେ ମତ ରଖିଥିଲେ।

ସେ କହିଥିଲେ ଯେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ସରକାରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସରକାର ମଧ୍ୟ ଏଦିଗରେ ଅନେକ କାମ କରୁଛନ୍ତି। ତେବେ ଓଡ଼ିଶାର ପର୍ଯ୍ୟଟନକ୍ଷେତ୍ରକୁ ଅଧିକ ଆକର୍ଷିତ କରିବା ପାଇଁ ସ୍ଥାନୀୟ ଲୋକ, ବ୍ୟବସାୟୀମାନେ ଆଗେଇ ଆସିବା ଦରକାର।

ଏହି କନକ୍ଳେଭରେ ୬ଟି ଅଧିବେଶନ ରହିଥିଲା। ଏଥିରେ ହୋଟେଲ ମାଲିକ, ଟୁର୍ ଅପରେଟର, ଗଣମାଧ୍ୟମର ସମ୍ପାଦକ ଏବଂ ବିଭିନ୍ନ କ୍ଷେତ୍ରରୁ ଆସିଥିବା ବୁଦ୍ଧିଜୀବୀମାନେ ଯୋଗଦେଇ ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଆଲୋଚନା କରିଥିଲେ।

ବିଭିନ୍ନ ଅଧିବେଶନରେ ପର୍ଯ୍ୟଟନ ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାୱାଲେ, କିଟ୍ ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ମାର୍କେଟିଙ୍ଗ ଏକ୍ସପର୍ଟ ପ୍ରଫେସର ସୂର୍ଯ୍ୟ ମିଶ୍ର, ଓଡ଼ିଶାଲାଇଭ୍‌ର ସିଇଓ ତଥା ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ, ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର, ଆଇଏଏସ୍‌ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ର, ପୋଲିସ କମିଶନର ସତ୍ୟଜିତ ମହାନ୍ତି, ହୋଟେଲ ଦ କ୍ରାଉନର ନିର୍ଦ୍ଦେଶକ ଦେବାଶିଷ ପଟ୍ଟନାୟକ, ଏୟାର ଏସିଆର ଜେନେରାଲ ମ୍ୟାନେଜର ସୁରେଶ ନାୟାର, ଏଚ୍‌ଆର୍‌ଏଓ ଅଧ୍ୟକ୍ଷ ଜେ କେ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

ଏହି କନକ୍ଲେଭରେ ଓଡ଼ିଶାଲାଇଭ୍‌ ଡିଜିଟାଲ ମିଡିଆ ପାର୍ଟନର୍‌ ରହିଥିଲା। ସକାଳ ୧୦ଟାରୁ ଓଡ଼ିଶାଲାଇଭ୍‌ର ଫେସବୁକ୍ ଏବଂ ୟୁଟ୍ୟୁବରେ ଟୁରିଜିମ୍ କନକ୍ଲେଭର ଲାଇଭ ଷ୍ଟ୍ରିମିଂ କରାଯାଇଥିଲା।

Comment