ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ଯୁବ ଭୋଟରଙ୍କ ଉପରେ ଆଖି ପକାଇଛନ୍ତି ନବୀନ ପଟ୍ଟନାୟକ।

ପାଖେଇ ଆସୁଛି ୨୦୧୯ ନିର୍ବାଚନ। ୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ସବୁ ଦଳ ପ୍ରସ୍ତୁତ କରୁଛନ୍ତି ରଣନୀତି। ହେଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଣନୀତି ପ୍ରସ୍ତୁତ କରିବାରେ ଅନ୍ୟ ଦଳଠାରୁ ଦୁଇ ପାଦ ଆଗରେ ଅଛନ୍ତି। ବିଭିନ୍ନ ବର୍ଗର ଭୋଟରଙ୍କୁ ଖୁସି କରିବା ପରେ ଯୁବ ଭୋଟରଙ୍କ ଉପରେ ଫୋକସ୍ କରିଛନ୍ତି।

ଯୁବ ଭୋଟରଙ୍କ ଉପରେ ଭରସା କରି ନବୀନ ୨୦୧୯ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି।

୨୦୧୪ ନିର୍ବାଚନରେ ନରେନ୍ଦ୍ର ମୋଦି ଯୁବ ଭୋଟରଙ୍କ ଉପରେ ଗୁରୁତ୍ୱ ଦେଇଥିଲେ। ଯୁବ ଭୋଟରଙ୍କ ଭୋଟ ପାଇ ମୋଦି ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୧୯ରେ ମଧ୍ୟ ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି ମୋଦି। ଏହି ରେସ୍‌ରେ ଏବେ ସାମିଲ ହୋଇଛନ୍ତି ନବୀନ। ଓଡ଼ିଶାର ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ନବୀନ ଗୋଟିଏ ପରେ ଗୋଟିଏ ଯୋଜନା କରି ଚାଲିଛନ୍ତି।

କିଛିଦିନ ତଳେ ଗଠନ ହୋଇଥିଲା ବିଜୁ ଯୁବ ବାହିନୀ। କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅଧିନରେ ଏହି ସଙ୍ଗଠନ ଖୋଲାଯାଇଛି। ଓଡ଼ିଶାର ସମସ୍ତ ପଞ୍ଚାୟତ ଏବଂ ପୌରାଞ୍ଚଳରେ ଏହି ବାହିନୀ ଗଠନ କରାଯାଇଛି। ଗାଁ ଗହଳିର ଯୁବକମାନଙ୍କୁ ଏକାଠି କରି ଗାଁରେ ଉନ୍ନୟନମୂଳକ କାମ କରିବା ଲକ୍ଷ୍ୟରେ ଏହି ସଙ୍ଗଠନ ଗଠନ କରାଯାଇଛି। ନୂଆ ନେତୃତ୍ୱ ତିଆରି କରିବା ଲକ୍ଷ୍ୟରେ ଏହି ସଙ୍ଗଠନ ଗଠନ କରାଯାଇଛି।

ତେବେ ଏହାକୁ ଆହୁରି ଆଗକୁ ନେବା ପାଇଁ ‘ବିଜୁ ଯୁବ ବାହିନୀ’ ଯୋଜନା ଅଧିନରେ ଗତ ୨୭ ତାରିଖରେ ଏକ ନୂଆ କ୍ୟାମ୍ପେନ ଶୁଭାରମ୍ଭ କରିଛନ୍ତି ନବୀନ। ଏହାର ନାଁ ରହିଛି ‘ମୁଁ ହିରୋ… ମୁଁ ଓଡ଼ିଶା’। ଗାଁ ଗହଳିରେ ଥିବା ଲୁକ୍କାୟିତ ପ୍ରତିଭାମାନଙ୍କୁ ଖୋଜି ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ କରିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି।

ଯୁବକମାନଙ୍କୁ ବିଜେଡି ଆଡ଼କୁ ଟାଣିବା ପାଇଁ ରାଜ୍ୟ ସରକାର ନିଯୁକ୍ତିର ଥୋପ ଦେଖାଇଥିଲେ। ୨୦୧୬ରେ ରାଜ୍ୟ ସରକାର ସ୍କିଲ୍‌ଡ ଇନ୍ ଓଡ଼ିଶା ଖୋଲି ଯୁବକମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥିଲେ। ଡକ୍ଟର ସୁବ୍ରତ ବାଗ୍‌ଚିଙ୍କୁ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ କରି ବିଭିନ୍ନ ସ୍ଥାନରେ କର୍ମଶାଳାମାନ ଆୟୋଜନ କଲେ।

ହେଲେ ଏଥିରେ ଯୁବ ଭୋଟରଙ୍କୁ ବାନ୍ଧି ରଖିବାରେ ସମର୍ଥ ହେଲାନି ବିଜେଡି। ଶେଷରେ ଗତ ମାର୍ଚ୍ଚ ମାସରେ ବିଜୁ ଯୁବ ମାହିନୀ ନାଁରେ ନୂଆ ସଙ୍ଗଠନ ଗଠନ କଲେ ସରକାର। ମୁମ୍ବାଇ ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ ବିଜେଡିରେ ମିଶିବା ପରେ ତାଙ୍କୁ ଯୁବ ବାହିନୀର ଦାୟିତ୍ୱ ଦିଆଗଲା। ସେହିଦିନରୁ ବିଜୁ ଯୁବ ବାହିନୀ ବ୍ୟାନରରେ ଗାଁ ଗହଳିରେ ଯୁବକମାନଙ୍କୁ ସଙ୍ଗଠିତ କରୁଛି ବିଜେଡି।

ବିଜୁ ଯୁବ ବାହିନୀକୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଅଧିନରେ ପରିଚାଳନା କରି ଏହାକୁ ସରକାରୀ ଯୋଜନା ଭାବେ ଘୋଷଣା କରାଯାଉଛି। କିନ୍ତୁ ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ଏହିସବୁ ପଦକ୍ଷେପ ନିଆଯାଇଥିବା ଚର୍ଚ୍ଚା ହେଉଛି।

ବିଜୁ ଯୁବ ବାହିନୀ ଗଠନ ହେବା ପୂର୍ବରୁ ଯୁବ ବିଜେଡି ପକ୍ଷରୁ ସମ୍ପର୍କ ଅଭିଯାନ ଶୁଭାରମ୍ଭ କରାଯାଇଥିଲା। ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତିଙ୍କୁ ଏହି ଅଭିଯାନରେ ଆଗରେ ରଖି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନବରଙ୍ଗପୁର ଓ କୋରାପୁଟରେ ସମାବେଶ କରାଯାଇଥିଲା। କିନ୍ତୁ ଏହି ସମାବେଶ ଆଉ ଆଗକୁ ଯାଇପାରି ନଥିଲା। ଶେଷରେ ଗାଁ ଗାଁର ଯୁବକମାନଙ୍କୁ ଏକାଠି ରଖିବା ପାଇଁ ବିଜୁ ଯୁବ ବାହିନୀ ଗଠନ କରାଯାଇଥିବା ଆଲୋଚନା ହେଉଛି।

ଯୁବ ଭୋଟରଙ୍କ ଉପରେ ବିଜେଡି ଫୋକସ୍ କରିବା ପରେ ବିଜେପି ମଧ୍ୟ ପଛରେ ପଡ଼ିନି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଏପ୍ରିଲ ୧ରେ ‘ନୂଆ ଓଡ଼ିଶା ନିର୍ମାଣ ଅଭିଯାନ’ ନାଁରେ ସଙ୍ଗଠନ ଗଠନ କରିଛନ୍ତି। ଏହି ସଙ୍ଗଠନରେ ଶହ ଶହ ଯୁବକମାନଙ୍କୁ ସାମିଲ କରି ଚନ୍ଦ୍ରଭାଗା ବେଳାଭୂମିରେ ଧର୍ମେନ୍ଦ୍ର ସେମାନଙ୍କୁ ଶପଥ ପାଠ କରାଇଥିଲେ। ‘ବିଜୁ ଯୁବ ବାହିନୀ’କୁ ଟକ୍କର ଦେବା ପାଇଁ ଧର୍ମେନ୍ଦ୍ର ଏହି ଅଭିଯାନ ଆରମ୍ଭ କରିଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା।

ସବୁଠୁ ବଡ଼ କଥା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବ ଭୋଟରଙ୍କୁ ଉପରେ ସବୁବେଳେ ଗୁରୁତ୍ବ ଦେଇ ଆସୁଛନ୍ତି। ୨୦୧୪ରେ ଯୁବ ଭୋଟରଙ୍କ ଭୋଟ ପାଇ ମୋଦି ପ୍ରଧାନମନ୍ତ୍ରୀ ହୋଇଥିବାରୁ ୨୦୧୯ ପାଇଁ ମଧ୍ୟ ମୋଦି ନୂଆ ଭୋଟରଙ୍କ ଉପରେ ଫୋକସ୍ କରିଛନ୍ତି। ୨୦୧୯ରେ ଆସିବାକୁ ଥିବା ୧.୩୩ ମିଲିୟନ ନୂଆ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ମୋଦି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।

ମୋଦି ଏବଂ ବିଜେପିକୁ କାଉଣ୍ଟର କରିବା ପାଇଁ ଓଡ଼ିଶାରେ ନବୀନ ଓ ବିଜେଡି ଯୁବ ଭୋଟରଙ୍କୁ ପ୍ରାଧାନ୍ୟ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସେଥିପାଇଁ ୨୦୧୯ ପୂର୍ବରୁ ବିଜୁ ଯୁବ ବାହିନୀ ଏବଂ ମୁଁ ହିରୋ… ମୁଁ ଓଡ଼ିଶା କ୍ୟାମ୍ପେନ ଆରମ୍ଭ କରି ନବୀନ ଯୁବ ଭୋଟରଙ୍କ ନିକଟତର ହେବାକୁ ଉଦ୍ୟମ ଚଳାଇଛନ୍ତି।

Comment