ଓଡ଼ିଶାଲାଇଭ୍ ବ୍ୟୁରୋ

ପାସପୋର୍ଟ ଆବେଦନକାରୀଙ୍କ ପାଇଁ ଖୁସି ଖବର। ଏବେ ପାସପୋର୍ଟ ପାଇଁ ଆବେଦନକାରୀଙ୍କୁ ଥାନାକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ କି ପୋଲିସ ବାବୁଙ୍କୁ ଘୁଷ୍ ଦେବାକୁ ପଡ଼ିବ ନାହିଁ।

ପାସପୋର୍ଟ ଆବେଦନକାରୀଙ୍କୁ ଭେରିଫିକେଶନ ପାଇଁ ଏବେ ପୋଲିସ ଷ୍ଟେସନ ଯିବାକୁ ପଡ଼ିବନାହିଁ। ଏହାସହ ପୋଲିସ ବାବୁ ମଧ୍ୟ ଆବେଦନକାରୀଙ୍କ ଦୁଆର ମୁହଁକୁ ଆସିବେ ନାହିଁ। ବିଦେଶ ମନ୍ତ୍ରାଳୟ ପୋଲିସ ରିପୋର୍ଟ ପାଇଁ ଭେରିଫିକେଶନ ପ୍ରକ୍ରିୟାକୁ ହଟାଇ ଦେଇଛନ୍ତି।

ନୂଆ ପ୍ରକ୍ରିୟା ମୁତାବକ ପୋଲିସକୁ କୌଣସି ପ୍ରକାରର ପଚାରଉଚରା କରିବାପାଇଁ ଆବେଦନକାରୀଙ୍କୁ ଡ଼କାଇବା କିମ୍ବା ତାଙ୍କ ଘରକୁ ଯିବାକୁ ଦରକାର ପଡ଼ିବନାହିଁ। ପାସପୋର୍ଟ ଲାଗି ବୈଦେଶିକ ମନ୍ତ୍ରାଳୟ ନୂତନ ଫର୍ମ ଜାରି କରିଛି, ଯେଉଁଥିରେ ଆବେଦନକାରୀଙ୍କ ପାସପୋର୍ଟ ଭେରିଫିକେଶନର ଆବଶ୍ୟକତା ପଡ଼ିବ ନାହିଁ।

ଏ ନେଇ ଭୁବନେଶ୍ୱର ଡିସିପିଙ୍କ ଅଧ୍ୟକ୍ଷତାରେ ଗତ ଗୁରୁବାର ଭୁବନେଶ୍ୱରର ସମସ୍ତ ଥାନା ଅଧିକାରୀ ଓ ପାସପୋର୍ଟ ଭେରିଫିକେଶନ କରୁଥିବା ଅଫିସରମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ପୂର୍ବରୁ କୌଣସି ଭାରତୀୟ ନାଗରିକ ପାସପୋର୍ଟ ପାଇଁ ଆବେଦନ କରିସାରିଲା ପରେ ସମ୍ପୃକ୍ତ ଜିଲ୍ଲାର ଗୋଇନ୍ଦା ବିଭାଗ ଜରିଆରେ ପାସପୋର୍ଟ ଆବେଦନ କରିଥିବା ବ୍ୟକ୍ତିଙ୍କ ଅଞ୍ଚଳର ଥାନାକୁ ପଠାଇ ଦିଆଯାଉଥିଲା।

ସେଠାରେ ଥାନା ଅଧିକାରୀମାନେ ଆବେଦନକାରୀଙ୍କୁ ଥାନାକୁ ଡକାଇ ଭେରିଫିକେଶନ କରିବାପରେ ଜିଲ୍ଲା ଗୋଇନ୍ଦା ବିଭାଗକୁ ପଠାଉଥିଲେ। ଏହାପରେ ଉକ୍ତ ବ୍ୟକ୍ତି ପାସପୋର୍ଟ ପାଉଥିଲା। ଏଭଳି ପ୍ରକ୍ରିୟା ଦ୍ୱାରା ଜନସାଧାରଣ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହାବ୍ୟତୀତ ପାସପୋର୍ଟ ଭେରିଫିକେଶନ କରୁଥିବା ସମସ୍ତ ପୋଲିସ କର୍ମଚାରୀଙ୍କୁ ବୈଦେଶିକ ମନ୍ତ୍ରଣାଳୟ ତରଫରୁ ଅର୍ଥ ଦିଆଯାଉଛି। ଖାସ୍ ସେଥିପାଇଁ ଏହି ନୂତତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଡିସିପି ସମସ୍ତ ଥାନାଧିକାରୀ ଓ ପାସପୋର୍ଟ ଭେରିଫିକେଶନ କରୁଥିବା ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comment