ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସେପ୍ଟେମ୍ବର ୫ରୁ ତେଜିବ ଶିକ୍ଷକ ଆନ୍ଦୋଳନ
  • ଦୁଇ ସପ୍ତାହ ହେଲା ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ
  • ୧ ଲକ୍ଷ ୮୦ ହଜାର ସ୍କୁଲରେ ପଡ଼ିବ ତାଲା

ସେପ୍ଟେମ୍ବର ୫ରୁ ଆନ୍ଦୋଳନକୁ ଓହ୍ଲାଇବେ ଶିକ୍ଷକ ଓ ଅଧ୍ୟାପକ। ସରକାର ସେମାନଙ୍କ ଦାବି ଶୁଣୁ ନଥିବାରୁ ବ୍ଲକଗ୍ରାଣ୍ଟ ସ୍କୁଲ ଓ କଲେଜରେ ପଡ଼ିବ ତାଲା। ସେପ୍ଟେମ୍ବର ୫ ଗୁରୁଦିବସକୁ କଳା ଦିବସ ଭାବେ ପାଳନ କରିବେ ଶିକ୍ଷକ ଓ ଅଧ୍ୟାପକ।

୭ ଦଫା ଦାବି ନେଇ ଗତ ଦୁଇ ସପ୍ତାହେ ହେଲା ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶିକ୍ଷକ, ଅଧ୍ୟାପକ ମିଳିତ ମଞ୍ଚ। ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ପାଇଁ ଦାବି କରୁଛନ୍ତି ଶିକ୍ଷକ। ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରତିଶ୍ରୁତି ପୂରଣ ହୋଇ ନଥିବାରୁ ଆନ୍ଦୋଳନ ତେଜିଛି। ସେପ୍ଟେମ୍ବର ୪ ସୁଦ୍ଧା ଦାବି ପୂରଣ ନହେଲେ ୧ ଲକ୍ଷ ୮୦ ହଜାର ସ୍କୁଲରେ ଶିକ୍ଷକମାନେ ତାଲା ପକାଇବାକୁ ଚେତାବନୀ ଦେଇଛି ସଂଘ।

ବର୍ତ୍ତମାନ ୪ ହଜାର ସ୍କୁଲରୁ ପାଖାପାଖି ୬୦ ହଜାରରୁ ଅଧିକ ଶିକ୍ଷକ ଏବଂ ଅଧ୍ୟାପକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ସେପ୍ଟେମ୍ବର ୫ରୁ ଶିକ୍ଷକ ଆନ୍ଦୋଳନ ତେଜିଲେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରିଟେଷ୍ଟ ପରୀକ୍ଷା ପ୍ରଭାବିତ ହେବ।

“ସରକାର ଆମ ଦାବି ଶୁଣୁ ନଥିବାରୁ ଆମେ ବାରମ୍ବାର ରାଜରାସ୍ତାକୁ ଆସୁଛୁ। ଏଥିପାଇଁ ରାଜ୍ୟ ସରକାର ଦାୟୀ। ଗୁରୁ ଦିବସକୁ କଳା ଦିବସ ପାଳନ କରିବାକୁ କୌଣସି ଅଧ୍ୟାପକ ବା ଶିକ୍ଷକ ଚାହିଁବେନି। ହେଲେ  ଆମେ ବାଧ୍ୟ ହେଉଛୁ”, କହିଛନ୍ତି ଅଧ୍ୟାପକ ପ୍ରଭାସିନି ପଣ୍ଡା ।

ଓଡ଼ିଶା ସ୍କୁଲ କଲେଜ ମିଳିତ ମଞ୍ଚର ଅନ୍ୟତମ ଆବାହକ ଗୋଲକ ନାୟକ କହିଛନ୍ତି ଯେ ରାଜ୍ୟସରକାର ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଶିକ୍ଷକମାନଙ୍କୁ ଗୁରୁର ମାନ୍ୟତା ଦେଉ ନାହାନ୍ତି। ଗୁରୁ ଦିବସ ଭଳି ମହାନ ପରମ୍ପରାକୁ ଆମେ କଳା ଦିବସ ଭାବେ ପାଳିବାକୁ ବାଧ୍ୟ ହେଉଛୁ। ଏହି ଆନ୍ଦୋଳନ ପାଇଁ  ୩୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେବ।

Comment