ଓଡ଼ିଶାଲାଇଭ୍ ବ୍ୟୁରୋ

  • ବାଲେଶ୍ୱରରେ ଏଫ୍ଏମ୍ ମେଡିକାଲ କଲେଜ 
  • ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
  • ଆଜିଠୁ ଆରମ୍ଭ ହେବ ପାଠପଢ଼ା
  • ମେଡିକାଲ କଲେଜ ପାଇଁ କ୍ରିୟାନୁଷ୍ଠାନ କମିଟି ୧୨ ବର୍ଷ ଧରି ଆନ୍ଦୋଳନ କରି ଆସୁଥିଲା

ପ୍ରତୀକ୍ଷାର ଅନ୍ତ ଘଟିଛି। ବାଲେଶ୍ୱରବାସୀଙ୍କର ଦୀର୍ଘଦିନର ଆଶା ପୂରଣ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ଉଦଘାଟନ କରିଛନ୍ତି। ଏହି ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ଅନନ୍ତ ଦାସ, ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା, ବିଧାୟକ ଓ ଅନ୍ୟାନ୍ୟ ଜିଲ୍ଲା ପଦାଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ଏହି ମେଡିକାଲ କଲେଜ ଦ୍ୱାରା ଉତ୍ତର ଓଡ଼ିଶାର ଜନତା ବିଶେଷ ଭାବେ ଉପକୃତ ହେବେ। ଏହାସହ ପଡ଼ୋଶୀ ରାଜ୍ୟ ଛତିଶଗଡ, ଝାଡଖଣ୍ଡର ରୋଗୀମାନେ ମଧ୍ୟ ଏହି ମେଡିକାଲ କଲେଜରେ ଚିକିତ୍ସିତ ହୋଇପାରିବେ। ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବାଲେଶ୍ୱର କ୍ରିୟାନୁଷ୍ଠାନ କମିଟି ଦୀର୍ଘ ଦିନ ଧରି ଦାବି କରି ଆସୁଥିଲା।

ମୁଖ୍ୟମନ୍ତ୍ରୀ ପୂର୍ବାହ୍ମ ୧୧ଟା ୨୫ ମିନିଟରେ ବାଲେଶ୍ୱରରେ ପହଞ୍ଚିବା ପରେ ୧୧.୩୦ରେ କଲେଜର ଅଡିଟୋରିୟମରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ମେଡିକାଲ କଲେଜ ପରିସରରେ ଫକୀର ମୋହନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

୧୦୦ଟି ସିଟ୍ ବିଶିଷ୍ଟ ଏହି ସରକାରୀ ମେଡିକାଲ କଲେଜରେ ପ୍ରଥମ ବର୍ଷରେ ୯୯ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଆଜିଠୁ ପାଠପଢ଼ା ଆରମ୍ଭ ହେବ।

Comment