ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଧାନସଭାର ମୌସୁମୀ ଅଧିବେଶନ ହେବ ସର୍‌ଗର୍‌ମ୍। ଏଥିପାଇଁ ତିନି ଦଳ ପ୍ରସ୍ତୁତ କରିଛନ୍ତି ରଣନୀତି।

ମଙ୍ଗଳବାର ଦିନ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଅଳ୍ପ ଦିନ ଚାଲିବାକୁ ଥିଲେ ହେଁ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଅଧିବେଶନ ହେବାକୁ ଯାଉଛି। ବର୍ଷା ଅଧିବେଶନରେ କେଉଁ ପ୍ରସଙ୍ଗ ଉପରେ ଆଲୋଚନା ହେବ ସେନେଇ ଆଜି ରଣନୀତି ପ୍ରସ୍ତୁତ କରିଛନ୍ତି ତିନି ଦଳ।

ସୋମବାର ଦିନ ବସିଥିଲା ବିଜେଡି, ବିଜେପି ଓ କଂଗ୍ରେସର ବିଧାୟକ ଦଳ ବୈଠକ। ଶସକ ବିଜେଡିକୁ ଘେରିବା ପାଇଁ ବିରୋଧୀ କଂଗ୍ରେସ ଏବଂ ବିଜେପି ରଣନୀତି ପ୍ରସ୍ତୁତ କରିଥିବା ବେଳେ ବିଜେଡି ମଧ୍ୟ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ସଜ ହୋଇଛି।

ବିରୋଧୀ ବିଜେପି ଓ କଂଗ୍ରେସ ବେରୋଜଗାରୀ, ଦୁର୍ନୀତି ଓ ଚାଷୀଙ୍କ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବ। ସେହିଭଳି ଶାସକ ବିଜେଡି ମହାନଦୀ ଓ ପୋଲାଭରାମ ପ୍ରସଙ୍ଗ ଉଠାଇ ଗୃହକୁ ସର୍‌ଗର୍‌ମ୍ କରିବ।

ବିଧାନସଭାର ବର୍ଷା ଅଧିବେଶନ ଏଭଳି ସମୟରେ ଆରମ୍ଭ ହେଉଛି ଯେତେବେଳେ ଲୋକସଭା ଓ ବିଧାନସଭା ନିର୍ବାଚନ ନିର୍ଦ୍ଧାରିତ ସମୟ ପୂର୍ବରୁ ହେବାର ଆକଳନ କରାଯାଉଛି।

କଂଗ୍ରେସର ରଣନୀତି ହେଉଛି ଚାଷୀମାନଙ୍କ ସମସ୍ୟାକୁ ଉଠାଇ ସରକାରଙ୍କୁ ଘାଇଲା କରିବା। ଚାଷୀମାନଙ୍କ ପାଇଁ ଉଦ୍ଦିଷ୍ଟ ବୀମା ଟଙ୍କା ପ୍ରସଙ୍ଗ କଂଗ୍ରେସ ଉଠାଇବା ପାଇଁ ସ୍ଥିର କରିଛି। ବିଜେପି ପିସି କାରବାରକୁ ନେଇ ଗୃହରେ ହଟ୍ଟଗୋଳ କରିବା ପାଇଁ ସୁଯୋଗ ଖୋଜିବ। ବିଜେପି ପକ୍ଷରୁ ଚାଷୀ ପ୍ରସଙ୍ଗ ମଧ୍ୟ ଉଠାଯିବ। କେନ୍ଦ୍ର ସରକାରଙ୍କ ଯୋଜନାଗୁଡ଼ିକୁ ବିଜେଡି ଅପହରଣ କରି ନେବାର ଅଭିଯୋଗ ବିଜେପି କରି ଆସୁଛି। ଏଣୁ ଗୃହରେ ଏନେଇ ଜୋରଦାର ଚର୍ଚ୍ଚା ହେବାର ସମ୍ଭାବନା ରହିଛି।

ଏହି ଅଧିବେଶନ ଏଥିପାଇଁ ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ଯେ ଶାସକ ଦଳ ପକ୍ଷରୁ ବିଧାନ ପରିଷଦ ଗଠନ ପାଇଁ ବିଧବଦ୍ଧ ଭାବରେ ଏକ ବିଲ ଅଣାଯିବ। ଅଗ୍ରହର ବିଷୟ ହେଲା ଯେ ଅନ୍ୟ ଦଳର ସମର୍ଥନ ନଥିବା ସତ୍ତ୍ୱେ ସରକାର ବିଧାନ ପରିଷଦ ଗଠନ ପାଇଁ ବଦ୍ଧପରିକର।

କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଦଳ ପକ୍ଷରୁ ଲୋକାୟୁକ୍ତ ନିଯୁକ୍ତି ନେଇ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମଗାଯିବ। ସରକାରୀ ଯୋଜନା ଓ କାର୍ଯ୍ୟକ୍ରମରେ ହେଉଥିବା ବ୍ୟାପକ ଦୁର୍ନୀତି ଓ ଡାକ୍ତର ତଥା ଶିକ୍ଷକ ପଦବୀ ଖାଲି ପଡ଼ିବା ପ୍ରସଙ୍ଗ ଉପରେ ଦୃଷ୍ଟି ଆକର୍ଷଣ କରିବ ଦଳ।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ଯଦିଓ ପିସି କାରବାର ପୂରା ବନ୍ଦ ହୋଇଛି ବୋଲି ସରକାର ଦାବି କରୁଛନ୍ତି କିନ୍ତୁ ଏହା ନିର୍ଧୁମ ଚାଲୁଛି। ଶାସକ ଦଳ ପକ୍ଷରୁ କୁହାଯାଇଛି ଯେ ବିରୋଧୀଙ୍କର ଯେ କୌଣସି ପ୍ରଶ୍ନର ଉତ୍ତର ଦେବାକୁ ଆମେ ପ୍ରସ୍ତୁତ। ସଂସଦୀୟ ବ୍ୟାପାର ମନ୍ତ୍ରୀ ବି କେ ଆରୁଖ କହିଛନ୍ତି ଯେ ମହାନଦୀ ଓ ପୋଲାଭରାମ ବ୍ୟତୀତ କେନ୍ଦ୍ର ସରକାରଙ୍କ ଯୋଜନା ଅର୍ଥ କାଟଛାଣ୍ଟ କଥା ଆମେ ଉଠାଇବୁ।”

ମୋଟ ଛଅଟି ବିଲ ଏହି ଅଧିବେଶନରେ ଆସିବାର କାର୍ଯ୍ୟକ୍ରମ ରହିଛି।

LEAVE A REPLY

Please enter your comment!
Please enter your name here