ଓଡ଼ିଶାଲାଇଭ୍‌ ବ୍ୟୁରୋ

ତେଜିଲା ଶିକ୍ଷକ ଆନ୍ଦୋଳନ। ଗୁରୁଦିବସରେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କଲେ ଶିକ୍ଷକ। ଆନ୍ଦୋଳନକୁ ସମର୍ଥନ କରିଛନ୍ତି କଂଗ୍ରେସ, ବିଜେପି।

ପରମ୍ପରାରେ ଲାଗିଲା କଳଙ୍କ। ପବିତ୍ର ଗୁରୁଦିବସକୁ କଳା ଦିବସ ଭାବେ ପାଳନ କରିଛନ୍ତି ବ୍ଲକଗ୍ରାଣ୍ଟ ଶିକ୍ଷକ ଓ ଅଧ୍ୟାପକ। ପ୍ରତିଶ୍ରୁତି ଦେଇ ସରକାର ଦାବି ପୂରଣ କରି ନଥିବାରୁ କଳା ବ୍ୟାଜ୍ ପିନ୍ଧି ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନ ଚଳାଇଛନ୍ତି ଶିକ୍ଷକ।

୨୧ ଦିନ ଧରି ଧାରଣାରେ ବସିବା ପରେ ଆଜି କଳା ଦିବସ ପାଳିଛନ୍ତି ଶିକ୍ଷକ। ଏପଟେ ଶିକ୍ଷକଙ୍କ ଆନ୍ଦୋଳନକୁ ସମର୍ଥନ କରିଛି କଂଗ୍ରେସ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ବିଧାୟକମାନେ ଧାରଣାସ୍ଥଳକୁ ଆସି ଶିକ୍ଷକଙ୍କୁ ସମର୍ଥନ କରିଛନ୍ତି। ଗୁରୁଦିବସରେ ଶିକ୍ଷକମାନେ କଳା ବ୍ୟାଜ୍ ବାନ୍ଧି ରାଜରାସ୍ତାରେ ଆନ୍ଦୋଳନ କରୁଥିବାରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ।

“ପ୍ରାୟ ୬୦ ହଜାର ଶିକ୍ଷକ ପବିତ୍ର ଗୁରୁଦିବସକୁ ପ୍ରତ୍ୟାଖ୍ୟାନ କରି ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି। ସରକାର ସେମାନଙ୍କ ଦାବି ଶୁଣୁ ନାହାନ୍ତି। ସରକାର ପିଲାମାନଙ୍କୁ ପାଠ ପଢ଼ାଇ ମଣିଷ କରୁଥିବା ଶିକ୍ଷକମାନଙ୍କ ସମସ୍ୟା ସମାଧାନ ନକରିବା ଦୁର୍ଭାଗ୍ୟଜନକ”, କହିଛନ୍ତି ପିସିସି ସଭାପତି।

ଏପଟେ ବିଜେପି ସଭ୍ୟମାନେ ବିଧାନସଭାରେ ଶିକ୍ଷକମାନଙ୍କ ପ୍ରସଙ୍ଗ ଉଠାଇ ଗୃହ ହୁଲ୍‌ସ୍ତୁଲ୍ କରିଛନ୍ତି। ଅର୍ଥମନ୍ତ୍ରୀ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରୁଥିବା ବେଳେ ବିଜେପି ବିଧାୟକମାନେ ହୋ-ହଲ୍ଲା କରିଥିଲେ। ଏହି ହୋ-ହଲ୍ଲା ଭିତରେ ସରକାର ଅତିରିକ୍ତ ବଜେଟ୍ ଆଗତ କରିଥିଲେ।

୭ ଦଫା ଦାବି ନେଇ ଗତ ଦୁଇ ସପ୍ତାହେ ହେଲା ଆନ୍ଦୋଳନକୁ ଓହ୍ଲାଇଛି ଶିକ୍ଷକ, ଅଧ୍ୟାପକ ମିଳିତ ମଞ୍ଚ। ଦାବି ପୂରଣ ନହେଲେ ଆନ୍ଦୋଳନ ହଟିବ ନାହିଁ ଶିକ୍ଷକ, ଅଧ୍ୟାପକ ଜିଦ୍ ଧରିବା ପରେ ସଚିବାଳୟରେ ବସିଥିଲା ମନ୍ତ୍ରୀସ୍ତରୀୟ ବୈଠକ। ହେଲେ ମନ୍ତ୍ରୀ ସ୍ତରୀୟ ବୈଠକରେ କୌଣସି ସମାଧାନର ପନ୍ଥା ବାହାରି ପାରି ନଥିଲା। ଶେଷରେ ଦାବି ପୂରଣ ପାଇଁ ସେପ୍ଟେମ୍ବର ୪ ତାରିଖ ଯାଏଁ ସରକାରଙ୍କୁ ସମୟ ଦେଇଥିଲା ସଂଘ। ହେଲେ ଦାବି ପୂରଣ ହୋଇ ନଥିବାରୁ ଗୁରୁ ଦିବସ କଳା ଦିବସ ଭାବେ ପାଳନ କରିବାକୁ ସଂଘ ନିଷ୍ପତ୍ତି ନେଇଛି।

ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ପାଇଁ ଦାବି କରୁଛନ୍ତି ଶିକ୍ଷକ। ସରକାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ପ୍ରତିଶ୍ରୁତି ପୂରଣ ହୋଇ ନଥିବାରୁ ଆନ୍ଦୋଳନ ତେଜିଛି। ଏହାସହ ୬ ତାରିଖରୁ ୧ ଲକ୍ଷ ୮୦ ହଜାର ସ୍କୁଲରେ ଶିକ୍ଷକମାନେ ତାଲା ପକାଇବାକୁ ଚେତାବନୀ ଦେଇଛି ସଂଘ।

Comment