ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଚିଲିକାରେ ୱାଟର ଏରୋଡ୍ରମକୁ ବିରୋଧ
  • ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଲା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ
  • ବିଦେଶାଗତ ପକ୍ଷୀ ଏବଂ ଡଲଫିଲନଙ୍କ ପ୍ରତି ବିପଦ ସୃଷ୍ଟି ହେବ
  • ୨ ଲକ୍ଷ ମତ୍ସ୍ୟଜୀବୀ ରୋଜଗାର ହରାଇବେ

ଚିଲିକାରେ ପ୍ରସ୍ତାବିତ ୱାଟର ଏରୋଡ୍ରମକୁ ନା କହିଛନ୍ତି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)। ଚିଲିକାରେ ୱାଟର ଏରୋଡ୍ରମ ପ୍ରତିଷ୍ଠା ହେଲେ ଜୈବ ବିବିଧତା ପ୍ରତି ବିପଦ ରହିଥିବା ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛି ସିଡିଏ।

ଏହାସହ ଚିଲିକାକୁ ଆସୁଥିବା ବିଦେଶାଗତ ପକ୍ଷୀ ଏବଂ ଡଲଫିଲନଙ୍କ ପ୍ରତି ବିପଦ ସୃଷ୍ଟି ହେବ ବୋଲି ସିଡିଏ କହିଛି। ୨ ଲକ୍ଷ ମତ୍ସ୍ୟଜୀବୀ ଜୀବିକା ହରାଇବେ ବୋଲି ସିଡିଏ କହିଛି। ଏହିସବୁ କାରଣ ପାଇଁ ଚିଲିକାରେ ୱାଟର ଏରୋଡ୍ରମ ସମ୍ଭବ ନୁହେଁ ବୋଲି ସରକାରଙ୍କୁ ସିଡିଏ ରିପୋର୍ଟ ଦେଇଛି।

ବିଧାନସଭାରେ ମଧ୍ୟ ବିରୋଧ ଉଠିଛି। ବ୍ରହ୍ମଗିରି ବିଧାୟକ ଏହି ପ୍ରସଙ୍ଗ ଉଠାଇ ସିଧାସଳଖ ବିରୋଧ କରିଥିଲେ। କେନ୍ଦ୍ର ସରକାର ଏହି ପ୍ରସ୍ତାବକୁ ପ୍ରତ୍ୟାହାର କରି ନିଅନ୍ତୁ ବୋଲି ସେ ବିଧାନସଭାରେ ଦାସବର୍ମା କହିଛନ୍ତି। ଚିଲିକା ସମ୍ପର୍କରେ ସାମାନ୍ୟତମ ଧାରଣା ନଥିବା ଲୋକ ୱାଟର ଏରୋଡ୍ରମ ସପକ୍ଷରେ ମତ ଦେବା ଦୁର୍ଭାଗ୍ୟଜନକ।

ପୂର୍ବରୁ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଏବଂ ମନ୍ତ୍ରୀ ମହେଶ୍ୱରୂ ମହାନ୍ତି ମଧ୍ୟ ୱାଟର ଏରୋଡ୍ରମ ପ୍ରସ୍ତାବକୁ ବିରୋଧ କରିଥିଲେ। ବିଜେପି ବିଧାୟକ ଦିଲ୍ଲୀପ ରାୟ ମଧ୍ୟ ଏନେଇ କେନ୍ଦ୍ର ସରକାର ପୁନଃବିଚାର କରିବାକୁ ଦାବି କରିଥିଲେ।

ଅଗଷ୍ଟ ୧୧ରେ ଚିଲିକାରେ ୱାଟର ଏରୋଡ୍ରମ ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ଦେଇଥିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ।

ଜୁନ୍ ୧୪ ଓ ୧୫ ତାରିଖରେ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ମହାପ୍ରବନ୍ଧକ ସଙ୍ଗୀତା ମହାୟଙ୍କ ନେତୃତ୍ୱରେ ଏକ ଟିମ୍ ଚିଲିକାରେ ବିମାନବନ୍ଦର ପାଇଁ ଫିଜିବିଲିଟି ଷ୍ଟଡି କରିଥିଲେ। ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ବିମାନବନ୍ଦର ନିର୍ମାଣ ହେବ ବୋଲି ସେତେବେଳେ କୁହାଯାଉଥିଲା।

ଏହାସହ ସ୍ପାଇସ୍ ଜେଟ୍, ଭୁବନେଶ୍ୱର ପାଣିପାଗ କେନ୍ଦ୍ର, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଏବଂ ଜମସମ୍ପଦ ବିଭାଗ ଅଧିକାରୀଙ୍କୁ ନେଇ ଗଠନ ହୋଇଥିବା ସ୍ୱତନ୍ତ୍ର ଟିମ୍ ଏନେଇ ସର୍ଭେ ମଧ୍ୟ କରିଥିଲେ।

ଭାରତୀୟ ବିମାନବନ୍ଦରର ବୈଷୟିକ ଟିମ୍ ସାତପଡ଼ା ଏବଂ ବାଲୁଗାଁ ପାର୍ଶ୍ୱରୁ ଚିଲିକାକୁ ସର୍ଭେ କରିଥିଲେ। ଚିଲିକା ମଝିରେ କିପରି ବିମାନ ଅବତରଣ କରିବ ଏବଂ କେଉଁ ଦିଗରେ ବିମାନ ବନ୍ଦର କଲେ ସମସ୍ୟା ହେବନି ସେନେଇ ସର୍ଭେ ହୋଇଥିଲା।

କେନ୍ଦ୍ର ବେସାମରିକ ଜାହାଜ ଚଳାଚଳ ମନ୍ତ୍ରାଳୟ ସର୍ଭେ ରିପୋର୍ଟକୁ ତର୍ଜମା କରି ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ।

Comment