କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ

  • କେନ୍ଦ୍ରାପଡ଼ା ଓ ପଟ୍ଟାମୁଣ୍ଡାଇ ସହର ଜଳାର୍ଣ୍ଣବ
  • ତହସିଲ ରେକର୍ଡ ରୁମରେ ପଶିଲା ପାଣି
  • ଜିଲ୍ଲାପାଳ ଅଫିସର ପାଚେରୀ ଭୁଶୁଡ଼ିଲା
  • ଚାଷଜମି ଜଳମଗ୍ନ, ବିଭିନ୍ନ ଗାଁରେ ପଶିଲା ପାଣି
  • ୭ ହଜାରରୁ ଅଧିକ କଚ୍ଚା ଘର ଭାଙ୍ଗିଲା
  • କ୍ଷୟକ୍ଷତି ଆକଳନ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଲଗାଣ ବର୍ଷାରେ ବେହାଲ୍ ହୋଇଯାଇଛି କେନ୍ଦ୍ରାପଡ଼ା ଜିଲ୍ଲା।  ହଜାର ହଜାର ଲୋକ ଜଳବନ୍ଦୀ ରହିଥିବା ବେଳେ ବହୁ କଚ୍ଚା ଘର ଭାଙ୍ଗି ଯାଇଛି। ବହୁ ଲୋକଙ୍କ ଘରେ ପାଣି ପଶି ଯାଇଛି। ବିଶେଷକରି କେନ୍ଦ୍ରାପଡ଼ା ସହର ଓ ପଟ୍ଟାମୁଣ୍ଡାଇ ସହରର ବର୍ଷାରେ ସଙ୍ଗୀନ ହୋଇଯାଇଛି।। ଚାଷଜମିରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି।

ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା ବ୍ଲକରେ ୩୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଡେରାବିଶରେ ୨୯୮ ମିଲିମିଟର, ମାର୍ଶାଘାଇରେ ୩୩୬ ମିଲିମିଟର, ମହାକାଳପଡ଼ାରେ ୩୨୦ ମିଲିମିଟର, ଗରଦପୁରରେ ୨୪୦ ମିଲିମିଟର, ପଟ୍ଟାମୁଣ୍ଡାଇରେ ୩୧୧ ମିଲିମିଟର, ଆଳିରେ ୨୨୬ ମିଲିମିଟର ଓ ରାଜକନିକାରେ ୧୮୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଜିଲ୍ଲାରେ ମୋଟ ୨୪୪୫ ମିଲିମିଟର ବର୍ଷା ହୋଇଥିବା ବେଳେ ହାରାହାରି ଗୋଟିଏ ଦିନରେ ୨୭୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ଆଜି ସକାଳ ୮ଟାରୁ ବର୍ଷା କାଚୁ ଥିବାରୁ ବର୍ଷାର ପରିମାଣ ପ୍ରାୟ ଦୁଇଗୁଣରୁ ଅଧିକ ହେବାର ସମ୍ଭାବନା ରହିଛି।

କେନ୍ଦ୍ରାପଡ଼ା ସହରର ତିନି ମୁହାଣି ଏନ୍ ଏଚ୍ କଲୋନି, ବଉଳ ବିହାର କଲୋନିରେ ରହୁଥିବା ପ୍ରାୟ ଶତାଧିକ ପରିବାର ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ସେହିପରି ସହରର ଦିଲାରପୁର, ଗୋପ, କଜଳା ଟାଉନ ବଳରାମପୁର ଆଦି ଗାଁରେ ପାଣି ପଶି ଯାଇଛି।

କେନ୍ଦ୍ରାପଡ଼ା ତିନିମୁହାଣିଠାରେ ଥିବା ସହରର ୧ ନମ୍ବର ଫାଣ୍ଡି ପାଣି ଘେରରେ ରହିଛି। କେନ୍ଦ୍ରାପଡ଼ା ତହସିଲ କାର୍ଯ୍ୟାଳୟରେ ବର୍ଷା ପାଣି ପ୍ରବେଶ କରିଛି। ପାଣି ନିଷ୍କାସନ ପାଇଁ କୌଣସି ସୁବିଧା ନାହିଁ। ତହସିଲ ଅଫିସର ରେକର୍ଡ ରୁମ୍‌ରେ ପ୍ରବେଶ କରି ବହୁ ଗୁରୁତ୍ୱପୁର୍ଣ୍ଣ ରେକର୍ଡ ନଷ୍ଟ ହୋଇଥିବା ଆଶଙ୍କା ଦେଖାଦେଇଛି।

ନାଳ ନର୍ଦ୍ଦମାର ପାଣି ଘର ଭିତରେ ପ୍ରବେଶ କରିବାରୁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି।

ସେହିପରି ପଟ୍ଟାମୁଣ୍ଡାଇ ସହରରେ ଥିବା ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ବର୍ଷା ପାଣି ପଶି ଯାଇଥିବାରୁ ରୋଗୀମାନେ ଅସୁବିଧା ଭୋଗିଛନ୍ତି। ପଟ୍ଟାମୁଣ୍ଡାଇ ବାଳିକା ସ୍କୁଲ ସହ ମାର୍କେଟର ୨୦ଟି ଦୋକାନ ଘରେ ପାଣି ପଶି ବହୁ ପରିମାଣର ସାମଗ୍ରୀ ନଷ୍ଟ ହୋଇଛି।

ପଟ୍ଟାମୁଣ୍ଡାଇ ସହରର ପୋଖରିଆପଡ଼ା, ହରିଜନ ସାହି, ମୁସଲମାନ ବସ୍ତି, ଗୋଛାୟତ ସାହି, ଅଳଭା, ମାଟିଆ, କଷଣଅଣ୍ଟା ଗାଁରେ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି। ସହରରେ ଥିବା ଆର୍ ଡି ଅଫିସ ଓ ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ମଧ୍ୟରେ ପାଣି ପଶି ଯାଇଛି। କେତେକ ସ୍ଥାନରେ ବର୍ଷା ପାଣିକୁ ନିଷ୍କାସନ କରିବାକୁ ପୌରସଂସ୍ଥା ପକ୍ଷରୁ ପାଣିପମ୍ପ ବସାଯାଇଛି।

କଟକ ଚାନ୍ଦବାଲି ରାସ୍ତା ନିର୍ମାଣ ସମୟରେ ଜଳ ନିଷ୍କାସନ ପ୍ରତି ଗୁରୁତ୍ୱ ଦିଆଯାଇ ନଥିବାରୁ ପଟ୍ଟାମୁଣ୍ଡାଇ ବ୍ଲକର ଗୋଗୁଆଠାରୁ ପଟ୍ଟାମୁଣ୍ଡାଇ ସହର ଯାଏଁ ବିଲବାଡ଼ି ସବୁ ବୁଡ଼ିଯାଇଛି। ପଟ୍ଟାମୁଣ୍ଡାଇ ବ୍ଲକର ରତନପଡ଼ା ହରିଜନ ସାହି  ଓ ଡେରାବିଶର ମଙ୍ଗଳପୁର ଗାଁରେ ଲୋକେ ପାଣି ଘେରରେ ରହିଛନ୍ତି।

ଜିଲ୍ଲାରେ ଲଗାଣ ବର୍ଷା ଜନିତ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାଶରଥୀ ଶତପଥୀ ସମସ୍ତ ତହସିଲଦାର, ବିଡିଓ ପୌରସଂସ୍ଥାର ନିର୍ବାହୀ ଅଧିକରୀମାନଙ୍କୁ କ୍ଷୟକ୍ଷତିର ରିପୋର୍ଟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲଗାଣ ବର୍ଷାରେ ଜିଲ୍ଲାରେ ୭ ହଜାରରୁ ଅଧିକ କଚ୍ଚା ଘର ଭାଙ୍ଗି ଯାଇଥିବା ଜିଲ୍ଲାପାଳ କହିଛନ୍ତି।

ପାଣିଘେରରେ ରହିଥିବା ଲୋକମାନଙ୍କୁ ସହାୟତା ଦେବାକୁ ଲୋକେ ସରକାରୀ ବାବୁମାନଙ୍କୁ ଜଣାଇବାକୁ ଟେଲିଫୋନ କରୁଥିବା ବେଳେ ବାବୁମାନେ ମୋବାଇଲ ଫୋନକୁ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି।

Comment