ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ସଙ୍କଳ୍ପ ପ୍ରସ୍ତାବକୁ ବିରୋଧ କଲେ ବିରୋଧୀ
  • କକ୍ଷତ୍ୟାଗ କଲେ ବିଜେପି, କଂଗ୍ରେସ ସଭ୍ୟ
  • ସଙ୍କଳ୍ପ ପାରିତ ପାଇଁ ଭୋଟିଂ
  • ସପକ୍ଷରେ ଆସିଲା ୧୦୪ ଭୋଟ
  • ମୁଖ୍ୟମନ୍ତ୍ରୀ ପ୍ରଥମେ ଦେଲେ ଭୋଟ

ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ। ଏଥିପାଇଁ ଆଜି ରାସ୍ତା ଖୋଲିଛି। ରାଜ୍ୟ ସରକାର ଆଉ ଦୁଇ ପାଦ ଆଗକୁ ବଢ଼ିଛନ୍ତି। ବିଧାନସଭାରେ ଆଜି ବିଧାନ ପରିଷଦ ଗଠନ ପାଇଁ ସଙ୍କଳ୍ପ ପ୍ରସ୍ତାବ ପାରିତ ହୋଇଛି। ବିଧାନସଭାରେ ଶାସକ ଦଳର ସଂଖ୍ୟା ଗରିଷ୍ଠତା ଥିବାରୁ ସଙ୍କଳ୍ପ ପ୍ରସ୍ତାବ ସହଜରେ ପାରିତ ହୋଇଛି।

ବିଧାନ ପରିଷଦ ଗଠନ ପାଇଁ ଆଜି ଅପରାହ୍ଣ ଅଧିବେଶନରେ ଆଲୋଚନା ହୋଇଥିଲା। ଆଲୋଚନାରେ ଭାଗ ନେଇଥିଲେ ସବୁ ଦଳର ସଭ୍ୟ। କିନ୍ତୁ ରାଜ୍ୟ ସରକାରଙ୍କ ସଙ୍କଳ୍ପ ପ୍ରସ୍ତାବକୁ ବିରୋଧ କରିଥିଲେ ବିରୋଧୀ କଂଗ୍ରେସ ଏବଂ ବିଜେପି ସଭ୍ୟ।

ସରକାର ଆଣିଥିବା ସଙ୍କଳ୍ପ ପ୍ରସ୍ତାବରେ ତ୍ରୁଟି ଥିବା ଦର୍ଶାଇ କଂଗ୍ରେସ ଏବଂ ବିଜେପି ସଭ୍ୟ କକ୍ଷତ୍ୟାଗ କରିଥିଲେ। ବିରୋଧୀ ସଭ୍ୟଙ୍କ ଅନୁପସ୍ଥିତିରେ ସଙ୍କଳ୍ପ ପ୍ରସ୍ତାବ ପାରିତ ପାଇଁ ଭୋଟିଂ ହୋଇଥିଲା।

ଏହି ପ୍ରସ୍ତାବ ସପକ୍ଷରେ ଉପସ୍ଥିତ ଥିବା ସମସ୍ତ୍ୟ ବିଜେଡି ସଭ୍ୟ ଭୋଟ ଦେଇଥିଲେ। ସପକ୍ଷରେ ୧୦୪ଟି ଭୋଟ ଆସିଥିଲା। ପ୍ରଥମେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ଦେବା ପରେ ଅନ୍ୟ ବିଧାୟକମାନେ ଜଣ ଜଣ କରି ଭୋଟ ଦେଇଥିଲେ। ବିରୋଧୀ ସଭ୍ୟ ଗୃହରେ ନଥିବାରୁ ଏହି ପ୍ରସ୍ତାବ ପାରିତ ହୋଇଥିଲା।

“ଓଡ଼ିଶା ଦ୍ରୁତ ବିକାଶ ପଥରେ ଆଗଉଛି। ଓଡ଼ିଶାକୁ ଆହୁରି ଆଗକୁ ନେବାକୁ ହେଲେ ଓଡ଼ିଶା ବିଧାନ ପରିଷଦ ଗଠନ ହେବା ଦରକାର। ଏହା ଗଠନ ହେଲେ ଓଡ଼ିଶା ବିକାଶରେ ଅଧିକ ସହାୟକ ହେବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ସଙ୍କଳ୍ପ ପ୍ରସ୍ତାବ ଆଗତ କରିଥିଲେ।

ବିଧାନ ପରିଷଦରେ ୪୯ ଜଣ ସଭ୍ୟ ରହିବେ। ପ୍ରତି ୨ ବର୍ଷରେ ଏକ ତୃତୀୟାଂଶ ସଭ୍ୟ ଅବସର ଗ୍ରହଣ କରିପାରିବେ। ୧୬ ଜଣ ସଭ୍ୟଙ୍କୁ ବିଧାୟକମାନେ ନିର୍ବାଚିତ କରିବେ।

୧୬ ଜଣ ଜିଲ୍ଲାପରିଷଦ, ପଞ୍ଚାୟତ ସମିତି, ମ୍ୟୁନିସିପାଲିଟି ଦ୍ୱାରା ନିର୍ବାଚିତ ହେବେ। ସ୍ନାତକଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ଦ୍ୱାରା ୪ ଜଣ ନିର୍ବାଚିତ ହେବେ। ଶିକ୍ଷକଙ୍କୁ ନେଇ ଗଠିତ ଇଲେକ୍ଟୋରାଲ କଲେଜ ଦ୍ୱାରା ୪ ଜଣ ନିର୍ବାଚିତ ହେବେ। ବାକି ୯ ଜଣ କଳା, ସାହିତ୍ୟ, ସମାଜସେବା କ୍ଷେତ୍ରରୁ ମନୋନୀତ ହେବେ।

Comment