ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ୧୨ ଦିନରେ ତୃତୀୟ ଥର ପାଇଁ ବଢ଼ିଛି ପେଟ୍ରୋଲ ଦର। ଆଜି ପେଟ୍ରୋଲ ଲିଟର ୩୯ ପଇସା ବୃଦ୍ଧି ପାଇଛି। ଫଳରେ ଦିଲ୍ଲୀରେ ପେଟ୍ରୋଲ ଲିଟର ୮୦ ଟଙ୍କା ୩୮ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ୮୭ ଟଙ୍କା ୭୭ ପଇସା ହୋଇଛି।

ଦିଲ୍ଲୀରେ ଡିଜେଲ ଲିଟର ୭୨ ଟଙ୍କା ୫୧ ପଇସା ହୋଇଥିବା ବେଳେ ମୁମ୍ବାଇରେ ୭୬ ଟଙ୍କା ୯୮ ପଇସାରେ ପହଞ୍ଚିଛି।

ଭୁବନେଶ୍ବରରେ ପେଟ୍ରୋଲ ଲିଟର ୭୯ ଟଙ୍କା ୨୭ ପଇସା ହୋଇଛି। ପେଟ୍ରୋଲ ମୂଲ୍ୟ ଦିନକୁ ଦିନ ବଢ଼ୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି।

କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ମୂଲ୍ୟ ନିୟନ୍ତ୍ରଣ କରିପାରୁ ନଥିବାରୁ ସୋମବାର ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ। ସବୁ ଦଳ ଏହି ବନ୍ଦକୁ ସମର୍ଥନ କରିବାକୁ ଆହ୍ୱାନ କରିଛନ୍ତି କଂଗ୍ରେସ ନେତା ଅଶୋକ ଗେହଲଟ୍, ଅହମ୍ମଦ ପଟେଲ ଏବଂ ମୋତିଲାଲ ଭୋରା।

ଭାରତ ବନ୍ଦକୁ ସମର୍ଥନ କରିବା ପାଇଁ ସମାଜବାଦୀ ପାର୍ଟି, ଏନ୍‌ସିପି, ଆର୍‌ଜେଡି ଏବଂ ବାମଦଳ ସହ ଆଲୋଚନା କରାଯାଇଥିବା କହିଛନ୍ତି ଅହମ୍ମଦ ପଟେଲ।

“ଉପା ସରକାର ବେଳେ ଯେତେବେଳେ ପେଟ୍ରୋଲ ଦର ବଢ଼ିଥିଲା ସେତେବେଳେ ଆମେ ଟିକସ ହ୍ରାସ କରିଥିଲୁ। କିନ୍ତୁ ବିଜେପି ତାହା କରୁ ନାହିଁ। ଫଳରେ ଲୋକଙ୍କ ମୁଣ୍ଡରେ ବୋଝ ଲଦି ଦେଇଛନ୍ତି କେନ୍ଦ୍ର ସରକାର। ଅର୍ଥନୀତିକୁ ଠିକ୍ ଭାବେ ପରିଚାଳନା କରିପାରୁ ନାହାନ୍ତି କେନ୍ଦ୍ର ସରକାର”, କହିଛନ୍ତି ଅଶୋକ ଗେହଲଟ।

ଓଡ଼ିଶାରେ ମଧ୍ୟ କଂଗ୍ରେସ ଭାରତ ବନ୍ଦ ପାଇଁ ସଜବାଜ ହୋଇଛି। ବନ୍ଦକୁ ସମର୍ଥନ କରିବା ପାଇଁ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

Comment