ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ପୌରପାଳିକାର ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କୁ ଏଣିକି ଲୋକେ ସିଧାସଳଖ ନିର୍ବାଚିତ କରିବେ।
- ପୌରାଧ୍ୟକ୍ଷଙ୍କୁ ଏଣିକି ଲୋକେ ବାଛିବେ
- ସିଧାସଳଖ ହେବ ନିର୍ବାଚନ
- ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ରାଜ୍ୟ କ୍ୟାବିନେଟ
- ପୂର୍ବରୁ ମଧ୍ୟ ମିଳିଥିଲା ଏଭଳି ପ୍ରସ୍ତାବକୁ ମଞ୍ଜୁରୀ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଡ଼ ରାଜନୈତିକ ଖେଳ ଖେଳିଛନ୍ତି। ରାଜ୍ୟର ଶହେରୁ ଅଧିକ ପୌର ପାଳିକାରେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ପାଇଁ ଆଗରୁ ଯେଉଁଭଳି ପରୋକ୍ଷ ନିର୍ବାଚନ ହେଉଥିଲା ଏଣିକି ତାହା ଆଉ ହେବ ନାହିଁ। ପୌରାଧ୍ୟକ୍ଷ ଓ ଉପାଧ୍ୟକ୍ଷ ଏବେ ସିଧାସଳଖ ଲୋକଙ୍କ ଦ୍ୱାରା ନିର୍ବାଚିତ ହେବେ।
କର୍ପୋରେଟର ଓ କାଉନସିଲରଙ୍କ ଭଳି ମ୍ୟୁନିସିପାଲ କର୍ପୋରେସନ, ମ୍ୟୁନିସିପାଲିଟି ଓ ଏନଏସିର ସଭାପତିମାନଙ୍କୁ ଏଣିକି ସିଧାସଳଖ ଭୋଟରଙ୍କୁ ସାମ୍ନା କରିବାକୁ ହେବ। ଏ ନେଇ ଏକ ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ବୈଠକରେ ଗୃହୀତ ହୋଇଛି। ଶୁକ୍ରବାର ଦିନ ଯେଉଁ କ୍ୟାବିନେଟ ବୈଠକ ବସିଥିଲା ସେଥିରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ ଏହା ଉପରେ ମୋହର ଲଗାଯାଇଥିଲା।
ଏ ସମ୍ପର୍କରେ ଏକ ବିଧିବଦ୍ଧ ବିଲ ବିଧାନସଭାର ପରବର୍ତ୍ତୀ ଅଧିବେଶନରେ ଆସିବାର ସମ୍ଭାବନା ରହିଛି। ତେବେ ଏହି କ୍ୟାବିନେଟ ନିଷ୍ପତ୍ତିର ସମୟକୁ ନେଇ ରାଜନୀତି ମହଲରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି। ବିଧାନସଭା ଓ ଲୋକସଭା ପାଇଁ ଆଗୁଆ ନିର୍ବାଚନ ହେବାର କଳ୍ପନା ଜଳ୍ପନା ପ୍ରକାଶ ପାଇଥିବା ବେଳେ ପୌର ଅଧ୍ୟକ୍ଷ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେବା ପ୍ରସ୍ତାବ ପଛରେ କି କାରଣ ରହିଛି ସେନେଇ ଆଲୋଚନା ହେଉଛି।

ଆହୁରି ମଧ୍ୟ ସରକାର ୬୫ଟି ପୌର ପରିଷଦ ନିର୍ବାଚନକୁ ଆଉ ୬ ମାସ ପାଇଁ ଗଡ଼େଇଦେବା ସକାଶେ ନିଷ୍ପତ୍ତି ନେଇଥିବା କୁହାଯାଉଛି। ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ଶେଷ ହୋଇ ନଥିବା କାରଣରୁ ବର୍ତ୍ତମାନ ପୌର ନିର୍ବାଚନ କରିବା ଠିକ୍ ନୁହେଁ ବୋଲି ସରକାର ଚିନ୍ତା କରିଛନ୍ତି। ଚଳିତ ୧୮ ତାରିଖରେ ଅନେକ ପୌର ସଂସ୍ଥାର କାର୍ଯ୍ୟକାଳ ଶେଷ ହେବ। ତେଣେ ପୌର ନିର୍ବାଚନରେ ଆସନ ସଂରକ୍ଷଣକୁ ୫୦ ପ୍ରତିଶତରେ ସୀମିତ ରଖିବା ପାଇଁ ହାଇକୋର୍ଟ ଦେଇଥିବା ଏକ ରାୟ ବିରୋଧରେ ସରକାର ସୁପ୍ରିମକୋର୍ଟ ଯିବା ପାଇଁ ସ୍ଥିର କରିଥିବା ବିଷୟ ଜଣାପଡ଼ିଛି।

ପ୍ରତ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ମନେପକାଇ ଦିଆଯାଇପାରେ ଯେ ବିଜୁ ପଟ୍ଟନାୟକଙ୍କ ସରକାର ବେଳେ ଏଭଳି ଏକ ପ୍ରସ୍ତାବ ଆସିଥିଲା ଓ ଗୃହୀତ ମଧ୍ୟ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ବାତିଲ କରାଯାଇଥିଲା। ନବୀନ ସରକାର ଏବେ ସେହି ବ୍ୟବସ୍ଥାକୁ ପୁଣି ଲାଗୁ କରିବା ପାଇଁ ଚାହୁଁଛନ୍ତି। ସିଧାସଳଖ ନିର୍ବାଚନ ବ୍ୟବସ୍ଥାର ଅବଶ୍ୟ କେତେକ ଭଲ ଦିଗ ରହିଛି।

ପ୍ରଥମ କଥା ହେଉଛି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦକୁ ନେଇ ପୂର୍ବରୁ ଯେଉଁ ଘୋଡ଼ା ବେପାର ହେଉଥିଲା ତାହା ଆଉ ହେବ ନାହିଁ ଓ ଏଥିରେ ସ୍ୱଚ୍ଛତା ବଜାୟ ରହିବ। ଦ୍ୱିତୀୟରେ ଲୋକେ ସିଧାସଳଖ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ନିର୍ବାଚନ କଲେ ଉଚ୍ଚ ପଦବୀଧାରୀ ଜନସାଧାରଣଙ୍କ ନିକଟରେ ଅଧିକ ଉତ୍ତରଦାୟୀ ହେବେ। ତୃତୀୟ କଥା ହେଉଛି କମ ଯୋଗ୍ୟତା ଓ ପ୍ରଭାବ ବିସ୍ତାର କରିପାରୁଥିବା ବାହୁବଳୀ କର୍ପୋରେଟର ଓ କାଉନସିଲର ଯେଉଁଭଳି ପେଞ୍ଚ କରି ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଯାଉଥିଲେ ତାହା ଆଉ ହେବ ନାହିଁ।
ପୌର ସଂସ୍ଥାରେ ପ୍ରତ୍ୟକ୍ଷ ଅଧ୍ୟକ୍ଷ/ଉପାଧ୍ୟକ୍ଷ ନିର୍ବାଚନ ବ୍ୟବସ୍ଥା ଅନ୍ୟ କେତେକ ରାଜ୍ୟରେ ମଧ୍ୟ ରହିଛି। ଗତ ବର୍ଷ ମହାରାଷ୍ଟ୍ର ସରକାର ଏଭଳି ଏକ ପଦକ୍ଷେପ ନେଇଥିଲେ ଓ ପୌର ପରିଷଦ ଆଇନରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିଥିଲେ।
ବିଶ୍ୱ ତମାମ ମେୟର ପଦ ପାଇଁ ସିଧାସଳଖ ନିର୍ବାଚନ ହିଁ ହୋଇଥାଏ ଓ ନିଜ ମେୟର କିଏ ହେବେ ତାହା ଚୟନ କରିବାର ସୁଯୋଗ ଲୋକଙ୍କୁ ଦିଆଯାଇଥାଏ।ଯେହେତୁ ମେୟର ପଦବୀଟି ଅତ୍ୟନ୍ତ ମର୍ଯ୍ୟାଦାଜନକ ଓ ଗୁରୁତ୍ତ୍ୱପୂର୍ଣ୍ଣ ସେହି କାରଣରୁ ଲୋକେ ହିଁ ତାଙ୍କୁ ନିର୍ବାଚିତ କରିବା ଦରକାର ଏହା ହେଉଛି ପ୍ରତ୍ୟକ୍ଷ ନିର୍ବାଚନ ପଛରେ ଥିବା ଯୁକ୍ତି। କିନ୍ତୁ ଏଥିରେ ଅସୁବିଧା ବି ଅଛି। ଯଦି ପ୍ରତ୍ୟକ୍ଷ ନିର୍ବାଚନରେ ଜଣେ ଭୁଲ ପ୍ରାର୍ଥୀ ନିର୍ବାଚିତ ହୋଇ ଯାଆନ୍ତି ତେବେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ବଦଳା ଯାଇପାରିବ ନାହିଁ।
ଅର୍ଥ ଲୋଭ କିମ୍ବା ବାହୁ ବଳ ଦେଖାଇ ଯଦି ଜଣେ ପ୍ରାର୍ଥୀ ବନି ଯାଆନ୍ତି ତେବେ ସେ ପାଞ୍ଚ ବର୍ଷ ଏହି ପଦବୀରେ ରହିବାକୁ ବାଧ୍ୟ। ପରୋକ୍ଷ ନିର୍ବାଚନରେ କିନ୍ତୁ ଯେତେବେଳେ ଆବଶ୍ୟକ ହୁଏ ମେୟର/ଅଧ୍ୟକ୍ଷ/ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇପାରିବ ଏବଂ ତାଙ୍କ ସ୍ଥାନରେ ଅନ୍ୟ ଜଣକୁ ସେହି ପଦବୀରେ ବସା ଯାଇପାରିବ।


















