ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ମେଗାଷ୍ଟାର ସିଦ୍ଧାନ୍ତ କେତେଥର ଅନ୍ୟ କଳାକାର ଛାଡ଼ିଥିବା ସିନେମାରେ କାମ କରିଛନ୍ତି। ଆସନ୍ତୁ ଜାଣିବା ସେହି ସିନେମା ସମ୍ପର୍କରେ…

ଓଲିଉଡର ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ବିଗତ ୨୫ ବର୍ଷ ଭିତରେ ଶହେରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି। ସେ ‘ଶ୍ରଦ୍ଧାଞ୍ଜଳି’ ସିନେମାରୁ ହିରୋ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ତା’ପରେ ସିଦ୍ଧାନ୍ତ ନାୟକ, ଖଳନାୟକ, ସହନାୟକ ଓ ଚରିତ୍ର ଅଭିନେତା ଭାବେ ନଜର ଆସିଛନ୍ତି ରୂପେଲି ପରଦା ଉପରେ। ସିଦ୍ଧାନ୍ତ ଜଣେ ବଡ଼ ଷ୍ଟାର ହେଲେ ବି ଅନ୍ୟ କଳାକାର ଛାଡ଼ିଥିବା ସିନେମାରେ ଅଭିନୟ କରିବାକୁ କୁଣ୍ଠାବୋଧ କରିନାହାନ୍ତି।

ବାବୁସାନ୍ ଓ ବୁଦ୍ଧାଦିତ୍ୟଙ୍କ ସ୍ଥାନରେ ସିଦ୍ଧାନ୍ତ

ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ଶୁଭାଶିଷ ପତି ‘ଗଡବଡ଼’ ଫିଲ୍ମ ପରେ ‘ଗୁଣ୍ଡା’ ଟାଇଟଲ୍‌ରେ ଏକ ଓଡ଼ିଆ ସିନେମା କାମ ଆରମ୍ଭ କରିଥିଲେ। ‘ଗୁଣ୍ଡା’ର ସ୍କ୍ରିପ୍ଟ ପ୍ରସ୍ତୁତ ବେଳେ ହିଁ ନିର୍ଦ୍ଦେଶକ ଭାବିଥିଲେ ଯେ ଏଥିରେ ବାବୁସାନଙ୍କୁ ସାଇନ୍‌ କରିବେ।

‘ଗୁଣ୍ଡା’ ପାଇଁ ଶୁଭାଶିଷ ପତି ପ୍ରଥମେ ସୁପରଷ୍ଟାର ବାବୁସାନଙ୍କୁ ଅଫର୍ ଦେଇଥିଲେ। ହେଲେ ବାବୁସାନ୍ ମୁଖ୍ୟତଃ ରୋମାଣ୍ଟିକ୍- କମେଡ଼ି ଫିଲ୍ମରେ କାମ କରୁଥିବା ହେତୁ ‘ଗୁଣ୍ଡା’ ଭଳି ଆକସନ୍‌ ଫିଲ୍ମରେ ଟାଇଟଲ୍‌ ରୋଲ୍‌ କରିବାକୁ ରାଜି ହୋଇନଥିଲେ। ଏହା ସେତେବେଳେ ବେଶ୍ ଚର୍ଚ୍ଚାର ବିଷୟ ମଧ୍ୟ ହୋଇଥିଲା।

ବାବୁସାନ୍‌ ମନା କରିବା ପରେ ନିର୍ଦ୍ଦେଶକ ‘ଗୁଣ୍ଡା’ର ଅଫର୍ ଦେଇଥିଲେ ବୁଦ୍ଧାଦିତ୍ୟ ମହାନ୍ତିଙ୍କୁ। ବୁଦ୍ଧାଦିତ୍ୟ କାହାଣୀ ଶୁଣିବା ପରେ ରାଜି ବି ହୋଇଥିଲେ। ବୁଦ୍ଧାଦିତ୍ୟ ‘ଗୁଣ୍ଡା’ ବନିବେ ବୋଲି ଚାରିଆଡେ ହେଲା। କିନ୍ତୁ ସେ ବି ସମୟ ଦେଇନପାରିବାରୁ ପ୍ରୋଜେକ୍ଟର ସୁଟିଂ ଏକାଧିକବାର ଘୁଞ୍ଚିଥିଲା। ଅବଶେଷରେ ବୁଦ୍ଧାଦିତ୍ୟଙ୍କୁ ନ ନେଇ ଅନ୍ୟ କୌଣସି ନାୟକଙ୍କୁ ନେଇ ‘ଗୁଣ୍ଡା’ ଫିଲ୍ମ ନିର୍ମାଣ କରିବାର ମନସ୍ଥ କରିଥିଲେ ନିର୍ଦ୍ଦେଶକ ଶୁଭାଶିଷ ପତି। ତା’ପରେ ଶୁଭାଶିଷ ପତି ସେହି ଅଫର୍ ନେଇ ପହଞ୍ଚିଥିଲେ ସିଦ୍ଧାନ୍ତ ମହାପାତ୍ରଙ୍କ ପାଖରେ। ଆଗରୁ ସିଦ୍ଧାନ୍ତ ଶୁଭାଶିଷଙ୍କ ନିର୍ଦ୍ଦେଶିତ ‘ଗଡ଼ବଡ଼’ରେ ଅଭିନୟ କରିଥିଲେ। ଏ ଦୃଷ୍ଟିରୁ ସିଦ୍ଧାନ୍ତ ସହଜରେ ରାଜି ହୋଇଥିଲେ। ଅବଶେଷରେ ବାବୁସାନ ଓ ବୁଦ୍ଧାଦିତ୍ୟ ଛାଡ଼ିଥିବା ସିନେମା ‘ଗୁଣ୍ଡା’ରେ ହିରୋ ବନିଥିଲେ ସିଦ୍ଧାନ୍ତ। ଏହି ସିନେମାଟି ହିଟ୍‌ ମଧ୍ୟ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମିହିର ଦାସ, ହିମିକା, ରକ୍ ପାତ୍ର, ମାମୁନୀ ମିଶ୍ର, ନିକିତା ଓ ବାପି ରାୟ ପ୍ରମୁଖ ଅଭିନୟ କରିଥିଲେ।

ସମରେଶଙ୍କ ସ୍ଥାନରେ ସିଦ୍ଧାନ୍ତ

୨୦୧୪ରେ ରିଲିଜ୍‌ ହୋଇଥିବା ଏକ ହିଟ୍‌ ଓଡ଼ିଆ ସିନେମା ହେଲା ‘ପର୍ଶୁରାମ’। ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ତଥା ସୁଧାଂଶୁ ମୋହନ ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ଅରିନ୍ଦମ୍, ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ସିଦ୍ଧାନ୍ତଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା।

ତେବେ ସିଦ୍ଧାନ୍ତ ପ୍ରଥମେ ଏହି ଫିଲ୍ମର ଅଙ୍ଗ ନଥିଲେ। ‘ପର୍ଶୁରାମ’ର କାଷ୍ଟିଂରେ ପ୍ରଥମେ ସିଦ୍ଧାନ୍ତ ନଥିଲେ। ସେହି ଭୂମିକାଟି ମିଳିଥିଲା ଜଣାଶୁଣା ଅଭିନେତା ସମରେଶ ରାଉତରାୟଙ୍କୁ। କିନ୍ତୁ ଏକ ଆକସନ୍ ଦୃଶ୍ୟର ସୁଟିଂ ବେଳେ ସମରେଶ ଗଭୀର ଆଘାତ ପାଇଥିଲେ, ଫଳତଃ ସେ ସୁଟିଂ କରିବାକୁ ସକ୍ଷମ ହୋଇନଥିଲେ। ଏହାପରେ ଅନ୍ୟ କୌଣସି କଳାକାର ନେଇ ଫିଲ୍ମଟି କମ୍ପ୍ଲିଟ୍ କରାଯିବାର ଯୋଜନା ହେଲା।

ସେତେବେଳେ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ଆଖି ଆଗରେ ନାଚି ଉଠିଥିଲା ସିଦ୍ଧାନ୍ତଙ୍କ ଚେହେରା। ବାସ୍ ସିଦ୍ଧାନ୍ତଙ୍କୁ ଆପ୍ରୋଚ୍ କରାଗଲା। ସମରେଶ କରିପାରିନଥିବା ସେହି ଭୂମିକାରେ ସିଦ୍ଧାନ୍ତ ଅଭିନୟ କରିବାକୁ ରାଜି ହୋଇଥିଲେ। ‘ପର୍ଶୁରାମ’ ପୂର୍ବରୁ ସିଦ୍ଧାନ୍ତ ପ୍ରଯୋଜକ ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ‘ଆଖିରେ ଆଖିରେ’ ଓ ‘ଗୋଲାପି ଗୋଲାପି’ ସିନେମାରେ କାମ କରିସାରିଥିଲେ। ‘ପର୍ଶୁରାମ’ରେ ସିଦ୍ଧାନ୍ତଙ୍କ ଭୂମିକାଟି ବି ଦମ୍‌ଦାର ଥିଲା।

Comment