ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଓ ବିରୋଧୀ ଦଳ ପକ୍ଷରୁ ସୋମବାର ଦିନ ଡକାଯାଇଥିବା ଭାରତ ବନ୍ଦ ଫଳରେ ଓଡ଼ିଶାରେ ୧୫ ଶହ କୋଟି ଟଙ୍କାର ବ୍ୟବସାୟ ମାରା ହୋଇଛି। ଦିନ ତମାମ ଦୋକାନ ବଜାର ବନ୍ଦ ରହିବା ଫଳରେ ବ୍ୟବସାୟୀମାନେ ଘୋର କ୍ଷତି ସହିଛନ୍ତି। ପେଟ୍ରୋଲ ଦର ବୃଦ୍ଧି ବିରୋଧରେ ଆହୂତ ଏହି ବନ୍ଦର ପ୍ରଭାବ ସମଗ୍ର ରାଜ୍ୟରେ ଦେଖିବାକୁ ମିଳିଥିଲା।
ରାଜ୍ୟର ଅଧିକାଂଶ ସହରରେ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ଓ ବ୍ୟବସାୟିକ କେନ୍ଦ୍ର ବନ୍ଦ ରହିଥିବା ଦେଖାଯାଇଥିଲା। ଅଘଟଣ ଆଶଙ୍କାରେ ବ୍ୟବସାୟୀମାନେ ନିଜ ଆଡ଼ୁ ଦୋକାନର ସଟର ପକାଇ ଦେଇଥିଲେ। ନିଖିଳ ଓଡ଼ିଶା ବ୍ୟବସାୟୀ ମହାସଂଘର ସଭାପତି ସୁଧାକର ପଣ୍ଡା କହିଛନ୍ତି ଯେ ଆଜିର ବନ୍ଦ ଯୋଗୁଁ ଆନୁମାନିକ ୧୫ ଶହ କୋଟି ଟଙ୍କାର ବ୍ୟବସାୟ ମାଡ଼ ଖାଇଛି।
ବନ୍ଦର ପ୍ରଭାବ ବ୍ୟାଙ୍କ କାରବାର ଉପରେ ମଧ୍ୟ ପଡ଼ିଥିଲା। ଆଜିର ବନ୍ଦ ଡାକରା ସତ୍ତ୍ୱେ ବ୍ୟାଙ୍କଗୁଡ଼ିକ ଖୋଲା ରହିଥିଲା। କିନ୍ତୁ ବିଶେଷ କୌଣସି କାରବାର ହୋଇନଥିଲା। ଗାଁ ଗହଳିରେ କଂଗ୍ରେସ କର୍ମୀମାନେ ବ୍ୟାଙ୍କ ଆଗରେ ପ୍ରତିବାଦ ଓ ଧାରଣା ଦେବା ଫଳରେ ବ୍ୟାଙ୍କ କାରବାରରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ଜଣେ ବ୍ୟାଙ୍କ ଅଧିକାରୀଙ୍କ କହିବା ଅନୁଯାୟୀ ଏହି ବନ୍ଦ ଯୋଗୁଁ ହଜାର ହଜାର କୋଟି ଟଙ୍କାର କାରବାର ବାଧାପ୍ରାପ୍ତ ହୋଇଛି।


















