ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କଂଗ୍ରେସର ଭାରତ ବନ୍ଦ
  • ଗୋଲାପ ଫୁଲ ଦେଇ ଲୋକଙ୍କୁ ସଚେତନ କଲେ କର୍ମୀ
  • ମହିଳା ଓ ଛାତ୍ର କଂଗ୍ରେସ କର୍ମୀଙ୍କ ରାଲି
  • ଏଜି ଛକରେ ପ୍ରତିବାଦ କଲେ ପିସିସି ସଭାପତି
  • ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଦେଇଥିଲା ଭାରତ ବନ୍ଦ ଡାକରା। ଏହି ବନ୍ଦକୁ ବିରୋଧୀ ଦଳ ସମର୍ଥନ କରିଥିବାରୁ ସଫଳ ହୋଇଛି। ଓଡ଼ିଶାରେ କଂଗ୍ରେସ ସମେତ ବାମ ଦଳ ବନ୍ଦ କରିଥିବାରୁ ସାଧାରଣ ଜୀବନଯାତ୍ରା ଠପ୍ ହୋଇଯାଇଛି।

ସକାଳ ୬ଟାରୁ ଆରମ୍ଭ ହୋଇଥିଲା ଆନ୍ଦୋଳନ। ହାତରେ ପ୍ଲାକାର୍ଡ ଧରି ରାଜରାସ୍ତାକୁ ଓହ୍ଲାଇଥିଲେ କଂଗ୍ରେସ କର୍ମୀ। ଦୋକାନ, ବଜାର ବନ୍ଦ କରିଥିଲେ। ସରକାରୀ ଅଫିସ ମଧ୍ୟ ମଧ୍ୟ କରିଥିଲେ କଂଗ୍ରେସ କର୍ମୀ। ଭୁବନେଶ୍ୱର ଏଜି ଛକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଧାରଣାରେ ବସିଥିଲେ। ତେବେ ନିଆରା ଢଙ୍ଗରେ ଆଜି କଂଗ୍ରେସ ପ୍ରତିବାଦ କରିଥିଲା। ପୋଡ଼ାଜଳା ପରିବର୍ତ୍ତେ ଗୋଲାପ ଫୁଲ ଦେଇ ଲୋକଙ୍କୁ ସଚେତନ କରିଥିଲେ କଂଗ୍ରେସ କର୍ମୀ।

କଂଗ୍ରେସ ମହିଳା ଏବଂ ଛାତ୍ର ସଙ୍ଗଠନ ମଧ୍ୟ ରାଲି କରି ତୈଳ ଦର ବୃଦ୍ଧିର ପ୍ରତିବାଦ କରିଥିଲା।

କଂଗ୍ରେସ ସମେତ ସିପିଆଇ, ସିପିଆଇ(ଏମ୍) ଆନ୍ଦୋଳନକୁ ଓହ୍ଲାଇଥିବାରୁ ଟ୍ରେନ୍ ଓ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା। ଜାତୀୟ ରାଜପଥରେ ଶହ ଶହ ଟ୍ରକ, ବସ୍ ଅଟକି ରହିଥିବା ବେଳେ ଟ୍ରେନ ସେବା ବ୍ୟାହତ ହୋଇଥିଲା। ରେଳ ଷ୍ଟେସନ ଏବଂ ବସ୍‌ଷ୍ଟାଣ୍ଡରେ ଯାତ୍ରୀ ଦୁର୍ଦ୍ଦଶା ଭୋଗିଥିଲେ।

ସିଟି ବସ୍ ଏବଂ ଅଟୋ ଚଳାଚଳ ବନ୍ଦ ଥିବାରୁ ଯାତ୍ରୀଙ୍କ ସମସ୍ୟା ଆହୁରି ବଢ଼ି ଯାଇଥିଲା।

“ଓଡ଼ିଶାବାସୀଙ୍କୁ ତେଲ ଦର ବହୁତ ବାଧିଛି। କଂଗ୍ରେସର ବନ୍ଦକୁ ସାଧାରଣ ଲୋକେ ସମର୍ଥନ କରିଛନ୍ତି। ସେଥିପାଇଁ ଓଡ଼ିଶାବାସୀଙ୍କୁ ଆମେ ଧନ୍ୟବାଦ ଜଣାଉଛୁ। ଶାନ୍ତିପୂର୍ଣ୍ଣ ଭାବେ ଆଜି ବନ୍ଦ ପାଳନ କରାଯାଇଛି”, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

କାଁ ଭାଁ ଉତ୍ତେଜନା

ବନ୍ଦ ବେଳେ କାଁଭାଁ ସ୍ଥାନରେ ଦେଖାଦେଇଥିଲା ଉତ୍ତେଜନା। ଭୁବନେଶ୍ୱର ସତସଙ୍ଗ ବିହାର ଛକରେ ପୋଲିସ ଭ୍ୟାନରେ କଂଗ୍ରେସ କର୍ମୀ ପତାକା ମାରିଥିଲେ। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା।

ପୁରୀ ଜିଲ୍ଲା କାକଟପୁର ବ୍ଲକରେ କଂଗ୍ରେସ କର୍ମୀ ତହସିଲ ଅଫିସରେ ଧସେଇ ପଶି କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ ଅଫିସରେ ମଧ୍ୟ କଂଗ୍ରେସ କର୍ମୀ ଧସେଇ ପଶିଥିଲେ।

ବିଧାନସଭାରେ ବି ତେଲ ତାତି

ବିଧାନସଭାରେ ତେଲ ଦର ବୃଦ୍ଧିର ତାତି ଦେଖିବାକୁ ମିଳିଛି। କଂଗ୍ରେସ ସଭ୍ୟ ତେଲ ଦର ବୃଦ୍ଧିକୁ ନେଇ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଗୃହରେ ହୋ-ହଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହ ମୁଲତବି କରିଦେଇଥିଲେ। ପରେ କଂଗ୍ରେସ ବିଧାୟକମାନେ ଏଜି ଛକରେ ପ୍ରତିବାଦ କରିଥିଲେ।

“କେନ୍ଦ୍ର ଏବଂ ରାଜ୍ୟ ସରକାର ଗରିବ ଲୋକଙ୍କ କଥା ବୁଝୁ ନାହାନ୍ତି। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ନିୟନ୍ତ୍ରଣ କରିପାରୁ ନାହାନ୍ତି। ସରକାରକୁ ଆସିବା ପୂର୍ବରୁ ମୋଦି ଗୋଟେ କଥା କହିଥିଲେ। ଶାସନକୁ ଆସିବା ପରେ ମୋଦି ତାଙ୍କ ଅସଲ ରୂପ ଦେଖାଇଦେଲେ। ଲୋକେ ଏହାକୁ ବରଦାସ୍ତ କରିବେ ନାହିଁ”, କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।

Comment