ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ

ଏଠାକାର ଜଣେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ତୁରନ୍ତ ଫୋନ୍ କରି ଡକାଗଲା ଜନନୀ ଏକ୍ସପ୍ରେସକୁ। କାଦୁଅରେ ପଚ୍ ପଚ୍ ଥିଲା ଗାଁର ରାସ୍ତା। ଯେନତେନ ଗାଁରେ ପହଞ୍ଚିବା ସକ୍ଷମ ହେଲା ଆମ୍ବୁଲାନ୍ସଟି। ହେଲେ ଗର୍ଭବତୀ ମହିଳାଙ୍କୁ ଗାଁରୁ ଚିକିତ୍ସାଳୟକୁ ଆଣୁଥିବା ବେଳେ ଆମ୍ବୁଲାନ୍ସଟି କାଦୁଅରେ ଫସିଯାଇଥିଲା।

ଗୋଟିଏ ପଟେ ଗର୍ଭବତୀଙ୍କୁ ଅସହ୍ୟ ଯନ୍ତ୍ରଣା ହେଉଥିବା ବେଳେ ଅନ୍ୟପଟେ ଗାଡ଼ି ଆଉ ଗଡ଼ି ପାରୁନଥିଲା। ପରେ ସ୍ଥାନୀୟ ଯୁବକମାନେ ଆମ୍ବୁଲାନସକୁ ଠେଲି ଠେଲି କାଦୁଅରୁ ବାହାର କରିଥିଲେ। ଏଭଳି ଅଭବାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ।

ମାଥିଲି ବ୍ଲକ ଅନ୍ତର୍ଗତ ସିନ୍ଧାବେଡ଼ା ମୁଖ୍ୟରାସ୍ତାରେ ଚେଡେଙ୍ଗା ପଞ୍ଚାୟତରୁ ଗର୍ଭବତୀ ମହିଳାଙ୍କୁ ନେଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣୁଥିବା ୧୦୨ ଆମ୍ବୁଲାନ୍ସଟି କାଦୁଅ ରାସ୍ତାରେ ଦବି ଯାଇଥିଲା। ଡ୍ରାଇଭରର ବହୁ ଚେଷ୍ଟା ସତ୍ତ୍ୱେ ଗାଡ଼ି ଆଉ ଆଗକୁ ଗଡ଼ି ପାରୁନଥିଲା। ଗାଡି ଦବି ଯାଇଥିବା ଦେଖି ସିନ୍ଧାବେଡ଼ା ଗ୍ରାମର କିଛି ସହୃଦୟ ଯୁବକ କାଦୁଅରୁ ଗାଡ଼ିକୁ ବାହାର କରିବାକୁ ଚେଷ୍ଟା ଆରମ୍ଭ କରିଦେଲେ। ସମସ୍ତେ ଏକାଠି ହୋଇ କାଦୁଅ ଭିତରେ ପଶି ଥିବା ଗାଡ଼ିକୁ ଠେଲିଥିଲେ।

କିଛି ସମୟ ପରେ ଆମ୍ବୁଲାନ୍ସ ଦବି ଯାଇଥିବା ସ୍ଥାନରୁ ବାହାରିଥିଲା। ପରେ ଗର୍ଭବତୀ ମହିଳାଙ୍କୁ ଆଣି ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏଭଳି ଘଟଣା ମାଲକାନଗିରି ଜିଲ୍ଲାରେ ପ୍ରଥମ ଥର ନୁହେଁ, ବରଂ ବାରମ୍ବାର ଦେଖିବାକୁ ମିଳୁଛି। କେବଳ ଆମ୍ବୁଲାନ୍ସ ନୁହେଁ ଅନ୍ୟ ଯାନବାହାନ ମଧ୍ୟ ଅନୁରୂପ ଭାବେ ରାସ୍ତାରେ ଫସିଯାଉଥିବା ସିନ୍ଧାବେଡ଼ା ଗ୍ରାମର ଯୁବକମାନେ ପ୍ରକାଶ କରିଛନ୍ତି। ମାଥିଲିଠାରୁ କାଳିଆଗୁଡ଼ା ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ପଡିଛି।

ଏହାଛଡ଼ା ବାରମ୍ବାର ରାସ୍ତା ମରାମତି ପାଇଁ ଗଣମାଧ୍ୟମରେ ପ୍ରସାରଣ ମଧ୍ୟ ହେଉଛି। ହେଲେ ଜିଲ୍ଲା ପ୍ରଶାସନ ତରଫରୁ ଏହାକୁ ବେଖାତିର କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତାରେ ମାଥିଲି ଉତ୍କଳମଣୀ ଗୋପବନ୍ଧୁ ମହାବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ଆଦି ରହିଛି। ପ୍ରତିଦିନ ଛାତ୍ରୀଛାତ୍ରମାନେ ଏହି ରାସ୍ତାରେ ଯାତୟତ କରି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ମରାମତି କରନ୍ତୁ ବୋଲି ଦାବି କରିଛନ୍ତି ଗ୍ରାମବାସୀ।

LEAVE A REPLY

Please enter your comment!
Please enter your name here