ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

  • ବିଜେଡିକୁ ଚଳାଉଛନ୍ତି ତିନି ନେତା, ଜଣେ ଆଇଏଏସ୍ ଅଫିସର
  • ଯେପର୍ଯ୍ୟନ୍ତ ବିଧାୟକ ଅଛି ସେ ପର୍ଯ୍ୟନ୍ତ ମୁଁ ବିଜେଡିରେ: ଦାମ
  • ଯେଉଁଦିନ ବିଜୁ ଶବ୍ଦ କଟିଯିବ ମୁଁ ସେଦିନ ବିଜେଡିରେ ନଥିବି: ଦାମ
  • ଦାମଙ୍କ ସପକ୍ଷରେ ବାହାରିଲେ ସମର୍ଥକ
  • ପ୍ରଶାନ୍ତ-ବିଷ୍ଣୁଙ୍କ କୁଶପୁତ୍ତଳିକା ଦାହ

“ବିଜେଡିକୁ ଏବେ ଜଣେ ଆଇଏଏସ୍ ଅଫିସର ଏବଂ ତିନି ଜଣ ନେତା ଚଳାଉଛନ୍ତି। ବିଧାୟକ ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ ଏବଂ ବବିଙ୍କ ଦ୍ୱାରା ବିଜେଡି ପରିଚାଳିତ ହେଉଛି। ଦଳରେ ବିଜୁ ଲିଗାସୀ ନାହିଁ। ଏଣୁ ମୁଁ ସେ ଦଳରେ ବି ନାହିଁ”, କହିଛନ୍ତି ଡାକ୍ତର ଦାମୋଦର ରାଉତ।

ନବୀନ ନିବାସରେ ଦାମଙ୍କ ବିରୋଧରେ ଜଗତସିଂହପୁର ଜିଲ୍ଲାର ବିଜେଡି କର୍ମୀ ନବୀନ ପଟ୍ଟନାୟକଙ୍କୁ ଫେରାଦ ହେବା ପରେ ଆଜି ଦାମ ଦଳୀୟ ନେତାଙ୍କୁ ବାଣ ମାରିଛନ୍ତି। ଦଳ ଯେଉଁମାନେ ଚଳାଉଛନ୍ତି ଏବଂ ଜଗତ୍‌ସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଏବଂ ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କ ଉପରେ ବି ମନଭରି ବର୍ଷିଛନ୍ତି ଦାମ।

ଦାମ ଆହୁରି କହିଛନ୍ତି, “ମୋ ଅଜାଣତରେ ମନ୍ତ୍ରୀପଦରୁ ମତେ କାଢ଼ିଦେଲେ। ଦଳର ଉପ-ସଭାପତି ଓ ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ବାହାର କରିଦେଲେ। ମୋ ପାଖରେ ଆଉ କିଛି ନାହିଁ। ମତେ କ’ଣ ସେମାନେ ବାହାର କରିବେ?”

ଦାମ କିଛିଦିନ ହେଲା ଦଳର ନେତାଙ୍କ ବିରୋଧରେ ଗଣମାଧ୍ୟମରେ ବିଷୋଦ୍‌ଗାର କରୁଛନ୍ତି। କୃଷି, ସମବାୟ ଓ ସ୍ୱାସ୍ଥ୍ୟ ବିଭାଗର ଗୁମର ଖୋଲି ହଟଚମଟ ସୃଷ୍ଟି କରିଥିଲେ। ଆଉ ଏହାରି ଭିତରେ ଜଗତ୍‌ସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଏବଂ ବାଲିକୁଦା – ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ସମର୍ଥକଙ୍କୁ ନେଇ ନବୀନ ନିବାସରେ ଫେରାଦ ହୋଇଥିଲେ। ନବୀନଙ୍କୁ ଲିଖିତ ଅଭିଯୋଗ ଦେଇ ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଦାମ ଖୁବଶୀଘ୍ର ବିଜେଡିରୁ ବିଦା ହେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି।

“ଦଳର ସଭାପତି ସବୁ ଜାଣିଛନ୍ତି। ସେ ଯାହା ନିଷ୍ପତ୍ତି ନେବେ ସେଥିରେ ମୋର କିଛି କହିବାର ନାହିଁ। ମୁଁ ଯେ ପର୍ଯ୍ୟନ୍ତ ବିଧାୟକ ଅଛି ସେ ପର୍ଯ୍ୟନ୍ତ ବିଜେଡିରେ ରହିବି। ଯେଉଁଦିନ ବିଜୁ ଶବ୍ଦ କଟିଯିବ ସେଦିନଠାରୁ ମୁଁ ଆଉ ଦଳରେ ରହିବିନି”, କହିଛନ୍ତି ଡାକ୍ତର ଦାମୋଦର ରାଉତ।

ଏରସମା ଲୋକ ନୁହନ୍ତି ପ୍ରଶାନ୍ତ

ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀର ବିଧାୟକ ହେଉଛନ୍ତି ପ୍ରଶାନ୍ତ ମୁଦୁଲି। ଏରସମାରେ ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହ ହୋଇଥିଲା। ୧୯୪୨ରେ ଥାନାପୋଡ଼ି ହୋଇଥିଲା। ସେଥିପାଇଁ ଏରସମାର କ୍ଲବ ପିଲାମାନେ ସେପ୍ଟେମ୍ବର ୬ରେ ବିପ୍ଲବ ଦିବସ ପାଳନ କରିଥାନ୍ତି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୀତିକ ଦଳର ନେତା ଯୋଗ ଦେଇଥାନ୍ତି। ହେଲେ ପ୍ରଶାନ୍ତ ମୁଦୁଲି ସେଠାକୁ ଯାଆନ୍ତି ନାହିଁ। ପ୍ରଶାନ୍ତ ମୁଦୁଲି ଏରସମା ଲୋକ ନୁହନ୍ତି। ଏଣୁ ଏରସମା ଇତିହାସ କଥା କହିଲେ କାଳେ ତାଙ୍କୁ ଖରାପ ଲାଗିବ ସେଥିପାଇଁ ସେ କେଉଁବର୍ଷ ଏହି ସଭାକୁ ଆସନ୍ତି ନାହିଁ।

“ଏରସମା ହେଉଛି ମୋର ଜନ୍ମ ମାଟି। ପ୍ରତିବର୍ଷ ସେ ସଭାକୁ ମୁଁ ଯାଏ। ସେଠାରେ କିଛି ରାଜନୈତିକ ଆଲୋଚନା ହୁଏନାହିଁ। ମୁଁ ଏହି ସଭାରେ ଏରସମାର ଇତିହାସକୁ ମନେପକାଇଥିଲି। ହେଲେ ପ୍ରଶାନ୍ତ ମୁଦୁଲିଙ୍କୁ କାହିଁକି ବାଧିଲା ତାହା ମୁଁ ବୁଝିପାରୁନି”, କହିଛନ୍ତି ଦାମ।

ପ୍ରଶାନ୍ତ ମୁଦୁଲି ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଅଛନ୍ତି। ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ପ୍ରତିବର୍ଷ ୧ କୋଟି ୧୪ ଲକ୍ଷ ଟଙ୍କାର କ୍ରିଟିକାଲ୍ ଫଣ୍ଡ ଦେଇଥାନ୍ତି। କିନ୍ତୁ ମୋ’ ନିର୍ବାଚନମଣ୍ଡଳୀକୁ ଟଙ୍କାଟିଏ ଦେଇ ନାହାନ୍ତି ପ୍ରଶାନ୍ତ ମୁଦୁଲି।

ବିଷ୍ଣୁ ଦାସ ବିଧାୟକ ହୋଇପାରି ନାହାନ୍ତି

୨୦୧୪ରେ ବିଷ୍ଣୁ ଚରଣ ଦାସ ବିଧାୟକ ନିର୍ବାଚନରେ ପରାଜିତ ହୋଇଥିଲେ। କିଛିଦିନ ସେ ରାଜ୍ୟସଭାକୁ ଯାଇଥିଲେ। ହେଲେ ଦିଲ୍ଲୀରେ ପଡ଼ିଯିବାରୁ ସେ ପଳାଇ ଆସିଲେ। ଏବେ ସେ ଓଡ଼ିଶା ଯୋଜନା ବୋର୍ଡର ଅଧ୍ୟକ୍ଷ ଅଛନ୍ତି। ହେଲେ ସେ ଓଡ଼ିଶା ଯୋଜନା ବୋର୍ଡର ଆନୁଆଲ ପ୍ଲାନିଂ କେତେ ତାହା ସେ କହିପାରିବେ କି ନାହିଁ ତାହା ସନ୍ଦେହଘେରରେ ବୋଲି ଦାମ କହିଛନ୍ତି।

ବିଷ୍ଣୁ ଦାସ ପ୍ରତି ୧୫ ଦିନରେ ଥରେ ପାରାଦୀପ ଯାଆନ୍ତି। କିନ୍ତୁ ସେଠାରେ ସେ ବିଜେଡି ଲୋକଙ୍କ ସହ ମିଶନ୍ତି। ନାହିଁ। ବିଜେଡିର ଯେଉଁମାନେ ଚରମ ଶତ୍ରୁ କଂଗ୍ରେସ ନେତାଙ୍କ ସହ ସେ ମିଶନ୍ତି।

ଜଗତସିଂହପୁରରେ ତେଜିଛି ବିଜେଡି ରାଜନୀତି। ଦାମଙ୍କୁ ସମର୍ଥନ କରି ସମର୍ଥକମାନେ ବାହାରିଛନ୍ତି। ଏରସମା ଏବଂ ପାରାଦୀପରେ ବିଧାୟକ ପ୍ରଶାନ୍ତ ମୁଦୁଲି ଓ ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସଙ୍କ କୁଶବୁତ୍ତଳିକା ଦାହ କରାଯାଇଛି।

LEAVE A REPLY

Please enter your comment!
Please enter your name here