ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଦାମ ବାଣକୁ ନବୀନଙ୍କ ବ୍ରହ୍ମାସ୍ତ୍ର!

ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହେଲା। ଏକଦା ବିଜେଡିର ତୁଣ୍ଡ ଭାବେ ପରିଚିତ ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡିରୁ ବିଦା କରିଛନ୍ତି ନବୀନ ପଟ୍ଟନାୟକ। ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ବିଜେଡି ପକ୍ଷରୁ ଏହି ସୂଚନା ଦିଆଯିବା ପରେ ଦାମଙ୍କ ଖେଳ ଶେଷ ହୋଇଗଲା ବୋଲି ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି।

ବିଜେଡି ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ବିଜ୍ଞପ୍ତିରେ ଦାମଙ୍କୁ ବହିଷ୍କୃତ କରାଯିବାର କାରଣ ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ। ଦଳୀୟ କର୍ମୀ ଦାମଙ୍କ ବିରୋଧରେ ଫେରାଦ ହେବା ପରେ ନବୀନ ଏହି ପଦକ୍ଷେପ ନେଇଥିବା ଆଲୋଚନା ହେଉଛି।

କାହିଁକି ଗରଗର ହେଉଥିଲେ ଦାମ?

୨୦୧୪ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚତୁର୍ଥ ପାଳିର ସରକାର ଗଠନ ହେବା ପରେ ଦାମଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରିଥିଲେ ନବୀନ। ଦାମଙ୍କୁ ସମବାୟ ବିଭାଗର ମନ୍ତ୍ରୀ ପଦ ମିଳିଥିଲା। ହେଲେ ଏଥିରେ ସନ୍ତୁଷ୍ଟ ନଥିଲେ ଏହି ବରିଷ୍ଠ ନେତା। କନିଷ୍ଠ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳିଥିବାରୁ ଦାମ ଅସୁଖୀ ରହିଥିଲେ।  ସେହି ଦିନରୁ ଦାମ କନିଷ୍ଠ ନେତାଙ୍କୁ ସବୁ କ୍ଷେତ୍ରରେ ବିରୋଧ କରି ଆସୁଥିଲେ।

୨୦୧୬ରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ଦାମଙ୍କୁ କୃଷି ବିଭାଗର ମନ୍ତ୍ରୀ ପଦ ଦେଇଥିଲେ ନବୀନ। କିନ୍ତୁ ମାଲକାନଗରି ଜିଲ୍ଲା ମାଲ୍ୟବନ୍ତ ମହୋତ୍ସବରେ ବ୍ରାହ୍ମଣମାନଙ୍କ ବିରୋଧରେ ନକରାତ୍ମକ ଟିପ୍ପଣୀ ଦେବା ଅଭିଯୋଗରେ ୨୦୧୭ ଡିସେମ୍ବର ୧୭ରେ ଦାମ ମନ୍ତ୍ରୀପଦ ହରାଇଥିଲେ। ଖାଲି ସେତିକି ନୁହେଁ, ବିଜେଡିର ଉପ-ସଭାପତି ପଦରୁ ମଧ୍ୟ ଦାମଙ୍କୁ ବିଦା କରାଯାଇଥିଲା। ଏହାପରେ ଦାମ ବିଜେଡି ବିରୋଧରେ ଗୋଟିଏ ପରେ ଗୋଟିଏ ବାଣ ମାରି ଆସୁଥିଲେ।

ଦାମଙ୍କ ମୁହଁ ବନ୍ଦ କରିବା ପାଇଁ ବିଜେଡି ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଫିଟ୍ କରିଥିଲା। ସମ୍ବିତଙ୍କୁ ଦଳର ସାଧାରଣ ସମ୍ପାଦକ କରାଯାଇଥିଲା। ଦାମଙ୍କ ବଦଳରେ ତାଙ୍କ ପୁଅଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଖୋଜିଥିଲା ବିଜେଡି। ହେଲେ ଦାମ ମୁହଁ ବନ୍ଦ କରି ନଥିଲେ।

କିଛିଦିନ ହେଲା ଦାମ ଚାରା, ଓମଫେଡ୍, ସମବାୟ ଏବଂ ସ୍ୱାସ୍ଥ୍ୟ ବିଭାଗର ଦୁର୍ନୀତି କଥା ଉଠାଇ ଗଡଫାଦରଙ୍କୁ ଆଙ୍ଗୁଠି ଉଠାଇଥିଲେ। ଏହାସହ ସେପ୍ଟେମ୍ବର ୬ ତାରିଖରେ ଏରସମାରେ ଅନୁଷ୍ଠିତ ବିପ୍ଳବ ଦିବସରେ ଦାମ ଦଳ ବିରୋଧୀ କାମ କରିଥିବା ଅଭିଯୋଗ ହୋଇଥିଲା।

ଗତ ସୋମବାର ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଏବଂ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଦାମଙ୍କ ବିରୋଧରେ ଫେରାଦ ହୋଇଥିଲେ। ଦଳୀୟ କର୍ମୀଙ୍କୁ ନେଇ ନବୀନଙ୍କୁ ଅଭିଯୋଗପତ୍ର ଦେଇଥିଲେ। ଅଭିଯୋଗ ଗ୍ରହଣ କରିବା ପରେ ନବୀନ କହିଥିଲେ ଯେ ଏ ସମ୍ପର୍କରେ ବିଚାର କରିବେ। ଅଭିଯୋଗପତ୍ରକୁ ବିଚାର କରି ନବୀନ ଆଜି ଦାମଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି।

ପ୍ୟାରୀ ଯୁଗ ବେଳେ ହରାଇଥିଲେ ମନ୍ତ୍ରୀପଦ

ବିଜୁ ଜନତା ଦଳରେ ଯେତେବେଳେ ପ୍ୟାରୀମୋହନ ମହାପାତ୍ରଙ୍କ ରାଜୁତି ଚାଲିଥିଲା ସେତେବେଳେ ଦାମ ପ୍ୟାରୀଙ୍କୁ ବିରୋଧ କରୁଥିଲେ। ବିଜେଡିରେ ଦ୍ୱିତୀୟ କ୍ଷମତା କେନ୍ଦ୍ର ନାହିଁ ବୋଲି ଦାମ କହିବାରୁ ୨୦୦୭-୨୦୦୮ରେ ଦାମଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡ଼ିଥିବା ଚର୍ଚ୍ଚା ହୋଇଥିଲା। ମନ୍ତ୍ରୀପଦ ହରାଇବା ପରେ ଦାମ ବିଜୁ ବିଚାର ମଞ୍ଚ ଗଠନ କରିଥିଲେ। ବିଜୁ ଲିଗାସୀ ନେତାଙ୍କୁ ଏକାଠି କରିବାକୁ ଉଦ୍ୟମ କଲେ। କିନ୍ତୁ ଏହି ବିଚାର ମଞ୍ଚ ୨୦୦୯ ନିର୍ବାଚନ ପରେ କୁଆଡ଼େ ହଜିଗଲା। ୨୦୦୯ରେ ଦାମଙ୍କୁ ବିଜେଡି ଟିକେଟ ମିଳିଥିଲା।

ହେଲେ ଏବେ ଦାମ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ଦଳକୁ ଫେରିବାର ଆଶା ମଧ୍ୟ କମ୍। ଏପରିସ୍ଥଳେ ଦାମ ୨୦୧୯ ନିର୍ବାଚନରେ କ’ଣ କରିବେ ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦାମ ଅନ୍ୟ କେଉଁ ଦଳକୁ ଯିବେ ନା ବିଜୁ ବିଚାର ମଞ୍ଚକୁ ରାଜନୀତିକ ଦଳର ରୂପ ଦେବେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପାରାଦୀପରେ ଏଥର ସମ୍ବିତ!

ଦାମଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବା ପରେ ତାଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ଫ୍ରଣ୍ଟଲାଇନକୁ ଆଣିଥିଲା ବିଜେଡି। ସମ୍ବିତଙ୍କୁ ଦଳର ସାଧାରଣ ସମ୍ପାଦକ କରାଯାଇଛି। ବିଜେପୁର ଉପ-ନିର୍ବାଚନ ବେଳେ ସମ୍ବିତଙ୍କୁ ଦେଖିବାକୁ ମିଳିଥିବା ବେଳେ ପୁରୀରେ ଅନୁଷ୍ଠିତ ବିଜେଡି ପ୍ରତିଷ୍ଠା ଦିବସରେ ବି ସମ୍ବିତ ଉପସ୍ଥିତ ଥିଲେ। ନିକଟରେ ପାରାଦୀପରେ ହୋଇଥିବା ମହାନଦୀ ବଞ୍ଚାଅ ଆନ୍ଦୋଳନରେ ବି ସମ୍ବିତଙ୍କୁ ଦେଖିବାକୁ ମିଳିଥିଲା। ଏଣୁ ଏସବୁ କାର୍ଯ୍ୟଧାରାରୁ ସ୍ପଷ୍ଟ ହେଉଛି ଯେ ପାରାଦୀପରୁ ୨୦୧୯ରେ ସମ୍ବିତଙ୍କୁ ବିଜେଡି ଟିକେଟ ଦେଇପାରେ।

ଏପଟେ ରାଜନୀତିରେ ଇନିଂସ୍ ଆରମ୍ଭ କରିବା ପାଇଁ ସମ୍ବିତ ୨୦୦୯ରୁ ଆଗ୍ରହ ଦେଖାଇଛନ୍ତି। କିନ୍ତୁ ଦାମ ଚାହୁଁ ନଥିବାରୁ ସେ ନିର୍ବାଚନରେ ସାମିଲ୍ ହେଉ ନଥିଲେ ବୋଲି ସମ୍ବିତ କିଛିଦିନ ତଳେ ଗଣମାଧ୍ୟମରେ କହିଥିଲେ। ସେ ଆହୁରି କହିଥିଲେ ଯେ ୨୦୧୪ରେ ତାଙ୍କୁ ବିଜେଡି ଟିକେଟ ମିଳିଥିଲା। କିନ୍ତୁ ବାପା ଛିଡ଼ା ହେବାକୁ ଚାହିଁବାରୁ ସେ ନିର୍ବାଚନ ରାଜନୀତିରେ ସାମିଲ ହୋଇ ନଥିଲେ।

୧୯୭୯ରୁ ୨୦୧୪

ବିଜୁ ଜନତା ଦଳରେ ବିଜୁ ଲିଗାସୀ ନେତା ଯେଉଁ କେତେଜଣ ଥିଲେ ସେମାନଙ୍କ ଭିତରେ ଦାମ ଥିଲେ ଅନ୍ୟତମ। ବିଜୁ ବାବୁଙ୍କ ଡାକରାରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୭୯ରେ ସେ ପ୍ରଥମ ଥର ପାଇଁ ଜନତା ଦଳ ଟିକେଟରୁ ଏରସମା ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇଥିଲେ। ପାଞ୍ଚ ଥର ସେ ଏରସମା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୯ରୁ ଦାମ ପାରାଦୀପ ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି।

ଦୀର୍ଘ ରାଜନୀତିକ ଜୀବନ ଭିତରେ ଦାମ ୧୭ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହୋଇଛନ୍ତି। ଶେଷରେ ବେଲଗାମ ମନ୍ତବ୍ୟ ପାଇଁ ଦାମଙ୍କ ମୁଣ୍ଡରେ ନବୀନଙ୍କ ଖଣ୍ଡାଚୋଟ ପଡ଼ିଛି।

କ’ଣ କହିଲେ ଦାମ

ବୁଧବାର ସନ୍ଧ୍ୟାରେ ବିଜେଡିରୁ ବହିଷ୍କୃତ ହେବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଡାକ୍ତର ଦାମୋଦର ରାଉତ।

“ବହିଷ୍କାର ସମ୍ପର୍କରେ ମୁଁ କୌଣସି ଲିଖିତ ସୂଚନା ପାଇନି। ଗଣମାଧ୍ୟମରୁ ଖବର ପାଇଲି। ମତେ ବିନା କାରଣରେ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରାଯାଇଥିଲା। ବିନା କାରଣରେ ଦଳର ଉପ-ସଭାପତି ଏବଂ ପର୍ଯ୍ୟବେକ୍ଷକ ପଦରୁ ହଟାଇ ଦିଆଯାଇଥିଲା। ଏବେ ବିନା କାରଣରେ ଦଳରୁ ବହିଷ୍କାର କରାଯାଇଛି”, କହିଛନ୍ତି ଡାକ୍ତର ଦାମୋଦର ରାଉତ।

ଦାମ ଆହୁରି କହିଛନ୍ତି, “ମୁଁ ସାଧାରଣ ଜୀବନରେ ଥିଲି ଏବଂ ଆଗକୁ ରହିବି। ମୁଁ ନିର୍ବାଚନ ଲଢ଼ିବି। ନିର୍ବାଚନ ଲଢ଼ିବା ପାଇଁ କୌଣସି ଦଳୀୟ ଟିକେଟର ଆବଶ୍ୟକତା ନାହିଁ।”

Comment