ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୋମବାରଠାରୁ ଶିକ୍ଷକ ଆନ୍ଦୋଳନ ବ୍ୟାପକ ହେବ। ଗାଁରେ ପଦଯାତ୍ରା କରିବେ ଶିକ୍ଷକ।

ସୋମବାରଠାରୁ ତେଜିବ ଶିକ୍ଷକ ଆନ୍ଦୋଳନ। ମନ୍ତ୍ରୀସ୍ତରୀୟ ବୈଠକ ବିଫଳ ହୋଇଥିବାରୁ ଶିକ୍ଷକମାନଙ୍କ ଭିତରେ ଅସନ୍ତୋଷ ବଢ଼ିଛି। ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚର ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ହୋଇଛି।

ରବିବାର ଯାଏଁ ଶିକ୍ଷକମାନେ ରାଜଧାନୀ ଭୁବନେଶ୍ୱରରେ ଧାରଣାରେ ବସିବେ। ସୋମବାରଠାରୁ ଶିକ୍ଷକମାନେ ଗାଁକୁ ଯିବେ। ପ୍ରତି ପଞ୍ଚାୟତରେ ପଦଯାତ୍ରା କରି ଲୋକଙ୍କୁ ସଚେତନ କରିବେ। ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି।

ଶିକ୍ଷକଙ୍କ ସମସ୍ୟା ସମାଧାନ ପାଇଁ ଆଜି ବସିଥିଲା ମନ୍ତ୍ରୀସ୍ତରୀୟ ବୈଠକ। ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ପ୍ରତିନିଧିମାନେ ବି ଉପସ୍ଥିତ ଥିଲେ। ଦୀର୍ଘ ସମୟ ଧରି ଆଲୋଚନା ଚାଲିଲା। କିନ୍ତୁ ସମାଧାନର ରାସ୍ତା କିଛି ବାହାରିଲା ନାହିଁ।

ଶିକ୍ଷକଙ୍କ ସମସ୍ୟା ସମାଧାନ ପାଇଁ ସରକାର ତିନି ମାସ ସମୟ ମାଗିଲେ। ହେଲେ ଏଥିରେ ରାଜି ହୋଇ ନଥିଲା ମିଳିତ ମଞ୍ଚ। ବୈଠକ ଶେଷ ହେବା ପରେ ଆନ୍ଦୋଳନ ଜାରି ରହିବ ବୋଲି ଶିକ୍ଷକମାନେ କହିଛନ୍ତି।

ମନ୍ତ୍ରୀସ୍ତରୀୟ ବୈଠକ ପରେ ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚର ଷ୍ଟିୟରିଂ କମିଟି ବୈଠକ ବସିଥିଲା। ଏହି ବୈଠକରେ ଆନ୍ଦୋଳନର ପରବର୍ତ୍ତୀ ରଣନୀତି ସମ୍ପର୍କରେ ଆଲୋଚନା ହୋଇଥିଲା। ସରକାର ଦାବି ଶୁଣୁ ନଥିବାରୁ ଆନ୍ଦୋଳନ ଗାଁକୁ ନେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

ଏହାସହ ଗୁରୁବାରଦିନ ଲୋୟର ପିଏମ୍‌ଜିରେ ଶିକ୍ଷକମାନେ ଗଣେଶ ପୂଜା ପାଳନ କରିବାକୁ ଘୋଷଣା କରିଥିବା ବେଳେ ଶୁକ୍ରବାର ଦିନ ନୂଆଁଖାଇ ପାଳନ କରିବେ। ଏହା ପୂର୍ବରୁ ଶିକ୍ଷକମାନେ ଗୁରୁ ଦିବସକୁ କଳାଦିବସ ଭାବେ ପାଳନ କରିଥିଲେ।

୨୭ ଦିନ ହେଲା ଲୋୟର ପିଏମଜିରେ ଶିକ୍ଷକମାନେ ଧାରଣାରେ ବସିଛନ୍ତି। ବ୍ଳକଗ୍ରାଣ୍ଟ ଉଚ୍ଛେଦ କରି ପୂର୍ଣ୍ଣ ଅନୁଦାନ ଦେବାକୁ ଶିକ୍ଷକମାନେ ଦାବି କରୁଛନ୍ତି। ଦୁଇ ଦୁଇ ଥର ମନ୍ତ୍ରୀସ୍ତରୀୟ ବୈଠକ ବସିଥିଲେ ମଧ୍ୟ କିଛି ସୁଫଳ ମିଳୁନି। ଫଳରେ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ସଂଘ ନିଷ୍ପତ୍ତି ନେଇଛି।

Comment