ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ବିଜେଡିରୁ ବହିଷ୍କାର ହେବା ପରେ ଆଜି ଦମ୍ ଦେଖାଇଛନ୍ତି ଦାମ। ଓଡ଼ିଶାଲାଇଭ୍କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଦାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସିଧା ନିଶାନା କରିଛନ୍ତି।
“ନବୀନ ପଟ୍ଟନାୟକଙ୍କ ପ୍ରତି ମୋର ଭୁଲ୍ ଧାରଣା ଥିଲା। ବିଜୁ ବାବୁଙ୍କ ପୁଅ ହୋଇଥିବାରୁ ସେ ତାଙ୍କ ନୀତି ଆଦର୍ଶରେ ଚାଲିବେ ବୋଲି ବିଶ୍ୱାସ ରହିଥିଲା। କିନ୍ତୁ ମତେ ବହିଷ୍କାର କରିବା ପରେ ମୋର ଧାରଣା ବଦଳିଗଲା। ଦଳରେ ଯେଉଁମାନେ ଦୁର୍ନୀତି, ଭ୍ରଷ୍ଟାଚାର କରୁଛନ୍ତି ସେମାନଙ୍କୁ ନବୀନ ଭଲ ପାଉଛନ୍ତି। ଯେଉଁମାନେ ଦୁର୍ନୀତି, ଭ୍ରଷ୍ଟାଚାରର ପେଡ଼ି ଖୋଲୁଛନ୍ତି ସେମାନଙ୍କୁ ନବୀନ ଦଳରୁ ତଡ଼ୁଛନ୍ତି। ଏହା ମୋ’ କ୍ଷେତ୍ରରେ ଘଟିଛି”, କହିଛନ୍ତି ଡାକ୍ତର ଦାମୋଦର ରାଉତ।
ବୁଧବାର ଦିନ ଦଳରୁ ବହିଷ୍କାର ହେବାର କିଛି ସମୟ ପୂର୍ବରୁ ଦାମ ଗଣମାଧ୍ୟମରେ ନବୀନଙ୍କୁ ପ୍ରଶଂସା କରିଥିଲେ। ନବୀନଙ୍କୁ ଭଲ ଲୋକ ଏବଂ ଅନ୍ତର୍ଜାତୀୟ ସ୍ତରର ଚିତ୍ରକର ବୋଲି କହିଥିଲେ। ହେଲେ ବହିଷ୍କାର ହେବା ପରେ ଦାମ ନବୀନ ଏବଂ ବିଜେଡିକୁ ଟାର୍ଗେଟ କରିଛନ୍ତି।
ରାଜନୀତିକ ଦଳ ନୁହେଁ ‘ବିଜେଡି’
ବିଜୁ ଜନତା ଦଳର ନୀତି ନାହିଁ। ଏଣୁ ସେ ରାଜନୀତିକ ଦଳ ହେଲା କେମିତି? ବିଭିନ୍ନ ସମୟରେ ରାଜନୀତିକ ଦଳର ବୈଠକ ବସେ। ହେଲେ ବିଜେଡିର କେବେ ବୈଠକ ବସିଛି କି? କାର୍ଯ୍ୟକାରୀ କମିଟି ବୈଠକ ବି ବିଜେଡିରେ ବସେ ନାହିଁ ବୋଲି କହିଛନ୍ତି ଦାମ। ‘ଏସବୁ କାମ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହିଁ ହେଉଛି’, ଓଡ଼ିଶାଲାଇଭ୍କୁ କହିଛନ୍ତି ଦାମ।
ନବୀନଙ୍କ ଇଙ୍ଗିତରେ ହିଁ ସବୁ ହେଉଛି
ଗତ କିଛିଦିନ ହେଲା ଗଡ୍ଫାଦର ପ୍ରସଙ୍ଗ ଉଠାଇ ରାଜନୀତିରେ ହଟଚମଟ ସୃଷ୍ଟି କରିଥିବା ଦାମ ଆଜି ନବୀନଙ୍କୁ ଦାୟୀ କରିଛନ୍ତି। ନବୀନଙ୍କ ଇଙ୍ଗିତରେ ବିଜେଡିରେ ସବୁକିଛି ହେଉଛି ବୋଲି ଦାମ କହିଛନ୍ତି।
ଦାମ କହିଛନ୍ତି, “ମୁଁ ଏବେ ବି କହୁଛି ନବୀନ ବାବୁ ଜଣେ ଭଲ ଲୋକ। ଚିତ୍ରଶିଳ୍ପୀ ଭାବେ ତାଙ୍କର ଭଲ ସୁନାମ ରହିଛି। ହେଲେ ସେ ୫୦ ବର୍ଷ ପରେ ରାଜନୀତିକୁ ଆସିଥିବାରୁ ମୋର ଧାରଣା ଥିଲା ଯେ ଦୁର୍ନୀତି, ଭ୍ରଷ୍ଟାଚାରକୁ ସେ ପ୍ରଶୟ ଦେବେ ନାହିଁ। କିନ୍ତୁ ମତେ ବହିଷ୍କାର କରିବା ପରେ ମୁଁ ସ୍ପଷ୍ଟ ହୋଇଗଲି ଯେ ଦୁର୍ନୀତିଗ୍ରସ୍ତଙ୍କୁ ନବୀନ ଭଲ ପାଉଛନ୍ତି।”
ବୈଜୟନ୍ତଙ୍କୁ ପ୍ରଶଂସା
ବୈଜୟନ୍ତ ପଣ୍ଡା ହେଉଛନ୍ତି ଜଣେ ନିତିବାନ ଏବଂ ସତ୍ୟନିଷ୍ଠ ଲୋକ। ବିଜେଡି ମତେ ବହିଷ୍କାର କରିବା ପରେ ବୈଜୟନ୍ତ ମତେ ଭେଟିବାକୁ ଆସିଥିଲେ। ଏହାଛଡ଼ା ଆଉ କିଛି ନୁହେଁ। ଗଣମାଧ୍ୟମରେ ଏହାକୁ ନେଇ ଅପପ୍ରଚାର କରାଯାଉଛି। କେବଳ ବୈଜୟନ୍ତ ନୁହଁନ୍ତି ରାଜ୍ୟର ବିଭିନ୍ନ ଆଡ଼ୁ ଲୋକେ ମତେ ଫୋନ କରି ସାହସ ଦେଉଛନ୍ତି।
ପାରାଦୀପବାସୀଙ୍କ ସେବା କରିବି
“ବିଜୁ ବାବୁ ପାରାଦୀପକୁ ଭଲ ପାଉଥିଲେ। ମତେ ଚାକିରୀରୁ ଛଡ଼ାଇ ଆଣି ପାରାଦୀପର କଥା ବୁଝିବାକୁ ଦାୟିତ୍ବ ଦେଇଥିଲେ। ସେବେଠାରୁ ମୁଁ ପାରାଦୀପ କଥା ବୁଝୁଛି। ଆଗକୁ ମଧ୍ୟ ପାରାଦୀପ କଥା ବୁଝିବି। ମୁଁ କେଉଁ ଦଳକୁ ଯିବାର ନାହିଁ କି କୌଣସି ମଞ୍ଚ ଗଠନ କରିବାର ନାହିଁ। ପାରାଦୀପବାସୀଙ୍କ ସହ ଆଲୋଚନା କରି ମୁଁ ଆଗାମୀ ପଦକ୍ଷେପ ନେବି”, ଓଡ଼ିଶାଲାଇଭ୍କୁ କହିଛନ୍ତି ଦାମ।
ନିର୍ବାଚନ ଲଢ଼ିବି, ବିଧାନସଭା ଆସିବି
ବିଜେଡିରୁ ବହିଷ୍କୃତ ହେବା ପରେ ଦାମ ତାଙ୍କ ଦମ୍ ଦେଖାଇଛନ୍ତି। ୨୦୧୯ ନିର୍ବାଚନରେ ଦାମ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି।
ଦାମ କହିଛନ୍ତି, “ମୁଁ ପାରାଦୀପବାସୀଙ୍କ ସହ ଥିଲି ଏବଂ ଆଗକୁ ରହିବି। ୨୦୧୯ରେ ମୁଁ ନିର୍ବାଚନ ଲଢ଼ି ବିଧାନସଭାକୁ ଆସିବି।”
ଦାମ ଆହୁରି କହିଛନ୍ତି ଯେ ନିର୍ବାଚନ ଲଢ଼ିବା ପାଇଁ କୌଣସି ଦଳୀୟ ଟିକେଟର ଆବଶ୍ୟକତା ନାହିଁ। ଲୋକେ ମତେ ଭଲ ପାଉଛନ୍ତି ଏବଂ ସେମାନେ ହିଁ ଭୋଟ ଦେଇ ମତେ ବିଧାନସଭାକୁ ନିର୍ବାଚିତ କରିବେ।
ନବୀନ କହିଲେ ବହିଷ୍କାରର କାରଣ
ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ପରେ ଆଜି ଦାମଙ୍କ ବହିଷ୍କାର ସମ୍ପର୍କରେ ପ୍ରତିକ୍ରିୟା ଦେଇଛନ୍ତି।
“ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ସେ ସବୁବେଳେ ଦାୟିତ୍ୱହୀନ ମନ୍ତବ୍ୟ ଦିଅନ୍ତି। ତାଙ୍କ ଅଭିଯୋଗ ସବୁବେଳେ ହାସ୍ୟାସ୍ପଦ”, କହିଛନ୍ତି ନବୀନ ପଟ୍ଟନାୟକ।
ବିଜୁ ଅନୁଗତ ନୂଆ ଦଳ ଗଠନ କରିବେ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ଯେ ଏହାର କୌଣସି ପ୍ରଭାବ ବିଜେଡି ଉପରେ ପଡ଼ିବ ନାହିଁ।
ଦାମଙ୍କୁ ବୁଧବାର ସନ୍ଧ୍ୟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶରେ ଦଳରୁ ବହିଷ୍କାର କରାଗଲା ବୋଲି ବିଜେଡି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଥିଲା। ହେଲେ ବହିଷ୍କାରର କାରଣ ସମ୍ପର୍କରେ କିଛି ଉଲ୍ଲେଖ କରାଯାଇ ନଥିଲା। ଆଜି ନବୀନ ବହିଷ୍କାରର କାରଣ ସ୍ପଷ୍ଟ କରିଛନ୍ତି। ହେଲେ ଦଳରୁ ବହିଷ୍କାର ହୋଇଥିବା ସମ୍ପର୍କରେ କୌଣସି ଲିଖିତ ପତ୍ର ଗୁରୁବାର ସନ୍ଧ୍ୟା ସୁଦ୍ଧା ଦାମ ପାଇ ନଥିବା ଜଣାପଡ଼ିଛି।


















