କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ

ସରକାର ନିଜେ ଖୋଲିଥିବା ବିଦ୍ୟାଳୟମାନଙ୍କରେ ତାଲା ପକାଇଲେ।

ସାରା ରାଜ୍ୟରେ ଏବେ ୨୧୫୨ ସରକାରୀ ପ୍ରାଥମିକ ସ୍କୁଲରେ ତାଲା ପଡ଼ିଛି। ଏହି ସ୍କୁଲଗୁଡ଼ିକୁ ୧୯୫୪ଟି ବିଦ୍ୟାଳୟରେ ମିଶାଇ ଦେଇଛନ୍ତି ସରକାର। ତେବେ ସରକାର ଏହି ପଦକ୍ଷେପ କ’ଣ ପାଇଁ ନେଲେ ତାର  କାରଣ ଖୋଜୁଛନ୍ତି ଶିକ୍ଷାବିତ୍‌ମାନେ।

ପାଣି ପରି କୋଟି କୋଟି ଟଙ୍କା ସରକାର ପ୍ରାଥମିକ ଶିକ୍ଷା ପାଇଁ ଖର୍ଚ୍ଚ କରୁଛନ୍ତି। ଛାତ୍ରଛାତ୍ରୀଙ୍କୁ ସ୍କୁଲ ମୁହାଁ କରିବା ପାଇଁ ସରକାର ମାଗଣାରେ ବହି, ମଧ୍ୟାହ୍ନ ଭୋଜନ, ପୋଷାକ ଦେଉଛନ୍ତି। ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ଦେବା ପାଇଁ ଶିକ୍ଷକମାନଙ୍କୁ ତାଲିମ ଦିଆଯାଉଛି। ହେଲେ ସରକାରୀ ସ୍କୁଲରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ। ଅଭିଭାବକମାନେ ମଧ୍ୟ ସେମାନଙ୍କ ପିଲାଙ୍କୁ ସରକାରୀ ସ୍କୁଲରେ ପାଠ ପଢ଼ାଇବା ପାଇଁ ଆଗ୍ରହ ଦେଖାଉ ନାହାନ୍ତି। ଫଳରେ ସାରା ରାଜ୍ୟରେ ଖୋଲିଥିବା ହଜାର ହଜାର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ତାଲା ପକାଉଛନ୍ତି ସରକାର। ପ୍ରାଥମିକ ସ୍କୁଲରେ ଆଉ ପିଲା ହେଉ ନଥିବାରୁ ସରକାର ୧୦୦ ମିଟର ପାଖାପାଖି ଅଞ୍ଚଳରେ ଥିବା ହାଇସ୍କୁଲମାନଙ୍କରେ ମିଶ୍ରଣ କରିଦେଉଛନ୍ତି।

ପ୍ରାଥମିକ ସ୍କୁଲକୁ ହାଇସ୍କୁଲରେ ମିଶ୍ରଣ କରିବା ପାଇଁ ୨୦୧୮ ମେ ୧୪ ତାରିଖରେ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ରାଜ୍ୟର ୨୧୫୨ ପ୍ରାଥମିକ ସ୍କୁଲକୁ ଅନ୍ୟ ସ୍କୁଲମାନଙ୍କରେ ମିଶ୍ରଣ କରିବା ପାଇଁ ଜୁନ୍ ୨୯ରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା।

ରାଜ୍ୟର ଅନୁଗୁଳ ଜିଲ୍ଲାର ୫୬ଟି ବିଦ୍ୟାଳୟରେ ୬୦ଟି ପ୍ରାଥମିକ ବିଦ୍ୟାଳୟର ବିଲୟ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାରେ ୮୫ଟି ବିଦ୍ୟାଳୟରେ ୮୮ଟି , ବରଗଡ ଜିଲ୍ଲାରେ ୫୮ଟି ସ୍କୁଲରେ ୬୬ଟି, ଭଦ୍ରକରେ ୭୬ଟି ସ୍କୁଲରେ ୭୮ଟି ସ୍କୁଲ ବିଲୟ ହୋଇଛି।

ବଲାଙ୍ଗିରରେ ୫୫ଟିରେ ୫୯ଟି ସ୍କୁଲ, ବୌଦ୍ଧରେ ୧୪ଟିରେ ୧୫, କଟକରେ ୧୧୯ଟିରେ ୧୩୬, ଦେବଗଡ଼ରେ ୨୯ରେ ୨୯, ଢେଙ୍କାନାଳରେ ୬୭ରେ ୭୬ଟି ପ୍ରାଥମିକ ସ୍କୁଲ ବିଲୟ କରାଯାଇଛି।

ସେହିପରି ଗଜପତିରେ ୭୩ଟିରେ ୮୫, ଗଞ୍ଜାମରେ ୧୧୩ରେ ୧୨୩, ଜଗସିଂହପୁରରେ ୧୪୩ରେ ୧୬୩, ଯାଜପୁରରେ ୫୪ରେ ୫୬, ଝାରସୁଗୁଡ଼ାରେ ୪୮ରେ ୪୯, କଳାହାଣ୍ଡିରେ ୯୮ରେ ୧୦୫, କନ୍ଧମାଳରେ ୧୭ରେ ୧୯, କେନ୍ଦ୍ରାପଡାରେ ୯୭ରେ ୧୦୬, କେନ୍ଦୁଝରରେ ୧୧୮ରେ ୧୩୫, ଖୋର୍ଦ୍ଧାରେ ୬୮ରେ ୭୯, କୋରାପୁଟରେ ୪୨ରେ ୪୫, ମାଲକାନଗିରୀରେ ୧୫ରେ ୧୬, ମୟୂରଭଞ୍ଜରେ ୧୩୨ରେ ୧୪୬, ନବରଙ୍ଗପୁରରେ ୨୨ରେ ୨୪, ନୟାଗଡ଼ରେ ୭୨ରେ ୯୦, ନୂଆପଡ଼ାରେ ୧୪ରେ ୧୫, ପୁରୀରେ ୫୩ରେ ୫୯, ରାୟଗଡ଼ାରେ ୩୦ରେ ୩୨ଟି ସ୍କୁଲ ମିଶ୍ରଣ ହୋଇଛି।

ସମ୍ବଲପୁରରେ ୪୬ରେ ୫୦, ସୋନପୁରରେ ୪୬ରେ ୪୬ ଓ ସୁନ୍ଦରଗଡ଼ ଜିଲ୍ଲାରେ ୮୪ଟି ବିଦ୍ୟାଳୟରେ ୯୨ଟି ପ୍ରାଥମିକ ବିଦ୍ୟାଳୟକୁ ମିଶାଇ ଦେଇଛନ୍ତି ସରକାର।

ଖାଲି ଏତିକି ନୁହେଁ, ଗତ ୨୦୧୭ ମସିହାରେ ସାରା ରାଜ୍ୟରେ ୧୬୦୩ଟି ବିଦ୍ୟାଳୟକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେଇଥିଲେ ସରକାର। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟର ୩୭୫୫ଟି ସ୍କୁଲକୁ ବନ୍ଦ କରିସାରିଲେଣି ସରକାର।

୨୦୧୭ ମସିହାରେ ସରକାରଙ୍କର ଏହି ସ୍କୁଲଗୁଡ଼ିକୁ ବନ୍ଦ କରିଦେବାର ସର୍ତ୍ତ ରଖାଯାଇଥିଲା କି ଯେଉଁ ବିଦ୍ୟାଳୟରେ ୧୦ ଜଣରୁ କମ୍ ଛାତ୍ରଛାତ୍ରୀ ରହିଥିବେ ସେହି ବିଦ୍ୟାଳୟଗୁଡ଼ିକୁ ବନ୍ଦ କରିଦିଆଯିବ। ଚଳିତ ବର୍ଷ ଏହାର ସର୍ତ୍ତରେ ପରିବର୍ତ୍ତନ କରାଯାଇ ୧୦୦ ମିଟର ଦୂରତା ମଧ୍ୟରେ ରହିଥିବା କୌଣସି ହାଇସ୍କୁଲ ସହିତ ପ୍ରାଥମିକ ବିଦ୍ୟାଳୟ ହେଉ କି ହାଇସ୍କୁଲ ହେଉ ତାହକୁ ମିଶାଇବାର ଯୋଜନା ପ୍ରସ୍ତୁତ କରିଥିଲେ ସରକାର।

ସରକାରଙ୍କର ଏହି ଯୋଜନା କାର୍ଯ୍ୟକାରୀ ହେବାପରେ ସର୍ବଶିକ୍ଷା ଅଭିଯାନ ଯୋଜନାରେ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ବହୁ ସ୍କୁଲ ଗୃହ ଭୁତକୋଠିରେ ପରିଣତ ହୋଇଯାଇଛି। କେତେକ ସ୍ଥାନରେ ନୂଆ ବିଦିୟାଳୟରେ ଆବଶ୍ୟକ ଗୃହ ନଥିବାରୁ ମୂଳ ବିଦ୍ୟାଳୟରେ ରହିଥିବା କିଛି ଘରକୁ ନୂଆ ବିଦ୍ୟାଳୟ ବ୍ୟବହାର କରୁଛନ୍ତି। ଯେଉଁ ବିଦ୍ୟାଳୟର ଗୃହ ସମ୍ପୁର୍ଣ୍ଣ ବନ୍ଦ ହୋଇ ଯାଇଛି ସେଠାରେ ତାଲା ପଡ଼ିରହିଛି। ସରକାରଙ୍କର ଏହି ନୀତି ଯୋଗୁଁ ରାଜ୍ୟରେ ଖାଲି ପଡ଼ିଥିବା ବହୁ ଶିକ୍ଷକ ପଦବୀକୁ ଆଉ ପୂରଣ କରିବାକୁ ପଡ଼ିବ ନାହିଁ। ଫଳରେ ରାଜକୋଷରୁ ଆଉ ଅଧିକ ଅର୍ଥ ବ୍ୟୟବରାଦ ହେବ ନାହିଁ।

ଏହି ଯୋଜନାରେ ୧୮୮୮ ମସିହରେ ବ୍ରିଟିଶ ଶାସନ କାଳରୁ ନିର୍ମିତ ପାଟକୁରା ପ୍ରାଥମିକ ବିଦ୍ୟାଳୟରେ ତାଲା ପଡ଼ିଯିବା ଫଳରେ ସ୍ଥାନୀୟ ଶିକ୍ଷାବିତମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପାଟକୁରା ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଚିତ୍ର ପଟ୍ଟନାୟକଙ୍କ କହିବା କଥା କି ଏମିତି ସ୍କୁଲ ସହିତ ସ୍କୁଲକୁ ମିଶାଣ ଫଳରେ ସରକାର କେବଳ ଆର୍ଥିକ ଲାଭବାନ ହେଲେ ।

ଗୋଟିଏ ସ୍କୁଲ ସହିତ ଗୋଟିଏ କିମ୍ବା ୩ ରୁ ୪ଟି ସ୍କୁଲ ମିଶି ଯିବାରୁ ଅଧିକ ଦରମା ଦେଇ ପ୍ରଧାନ ଶିକ୍ଷକ ପଦବୀରେ ନିଯୁକ୍ତି କମ୍ କରିହେଲା। ଗତ ୨୦୦୨ ମସିହାରେ ସର୍ବଶିକ୍ଷା ଅଭିଯାନ ଯୋଜନାରେ ସରକାର ପ୍ରତି ଗାଁ କିମ୍ବା ପଡା ଗାଁରେ ବିଦ୍ୟାଳୟମାନ ଖୋଲି ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ପକ୍କାଘର ସବୁ ତିଆରି କଲେ। ଏବେ ସେହି ସବୁ ବିଦ୍ୟାଳୟ ସହିତ ଅନ୍ୟ ପୁରୁଣା ବିଦ୍ୟାଳୟରେ ତାଲା ପକାଇଲେ। ସର୍ବଶିକ୍ଷା ଅଭିଯାନ ଯୋଜନାରେ ଶିକ୍ଷା ବ୍ୟବସ୍ଥା ଯେବେଠାରୁ ଆରମ୍ଭ ହେଲା ସେବେଠାରୁ ସାରା ରାଜ୍ୟରେ ବେସରକାରୀ ବିଦ୍ୟାଳୟ ସଂଖ୍ୟା ବଢ଼ିବଢ଼ି ଚାଲିଲା।

ବେସରକାରୀ ବିଦ୍ୟାଳୟ ଖୋଲିବାରେ ବିଭିନ୍ନ କଟକଣା ଥିବା ବେଳେ ତାହାକୁ ଆଖି ବୁଝି ଦେଲେ ଶିକ୍ଷା ବିଭାଗ। ସରକାରୀ ଚାକିରିଆମାନେ ନିଜ ନିଜର ପିଲାମାନଙ୍କୁ ସରକାରୀ ବିଦ୍ୟାଳୟ ଛାଡ଼ି ବେସରକାରୀ ବିଦ୍ୟାଳୟରେ ପାଠ ପଢ଼ାଇବାକୁ ପସନ୍ଦ କଲେ। ଏପରିକି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବହୁ ଟଙ୍କା ଦରମାରେ ପାଠ ପଢ଼ାଉଥିବା ଶିକ୍ଷକ ତାର ନିଜ ପିଲାମାନଙ୍କୁ ନିଜ ସ୍କୁଲରେ ନପଢ଼ାଇ ବେସରକାରୀ ବିଦ୍ୟାଳୟରେ ମୋଟା ଅଙ୍କର ଦରମା ଦେଇ ପଢ଼ାଇବାକୁ ପସନ୍ଦ କଲେ।

ସରକାରୀ ବିଦ୍ୟାଳୟମାନଙ୍କରେ କେବଳ ଗରିବ ଶ୍ରେଣୀର ପିଲାମାନେ ମଧ୍ୟାହ୍ନ ଭୋଜନ, ଅଣ୍ଡା, ପୋଷାକ ଓ ପଢା ବହି ପାଇଁ ପାଠ ପଢ଼ିଲେ। ରାଜ୍ୟରେ ଆରମ୍ଭ ହେଲା ଦୁଇ ପ୍ରକାରର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା। ଏବେ ଏହି ଦୁଇ ପ୍ରକାରର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ମଧ୍ୟରୁ ବେସରକାରୀ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ପ୍ରତି ଗରିବ ଗୁରୁବା ପରିବରର ବାପା, ମା’ ମାନେ ବି ନିଜର ପିଲାମାନଙ୍କୁ ମୁଲ ଲାଗି ପଢ଼ାଇବାକୁ ମନ ବଳେଇଲେଣି।  ନୂଆ ନୂଆ ବେସରକାରୀ ବିଦ୍ୟାଳୟ ଗଢ଼ି ଉଠୁଥିବା ବେଳେ ସରକାର ବ୍ରିଟିଶ ଅମଳରୁ ଖୋଲାଯାଇଥିବା ବିଦ୍ୟାଳୟକୁ ବନ୍ଦ ନକରି ଉପାୟ ନାହିଁ।

ମୂଷା ଗାତ ବନ୍ଦ ନକରି ମୂଷା ମାରିବାକୁ ଘରେ ନିଆଁ ଲଗାଇ ଦେବା ନ୍ୟାୟରେ ସରକାର ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ସୁଧାର ନଆଣି ରାଜ୍ୟରେ ପୁରାତନ ସ୍କୁଲକୁ ବନ୍ଦ କରି ଦେଉଛନ୍ତି। ଏଥିରେ ଶିକ୍ଷା ବ୍ୟବସ୍ଥାରେ କି ପ୍ରକାର ସୁଧାର ଆସିବ ତାହା ଜଣାପଡ଼ୁ ନାହିଁ। ସରକାର ରାଜ୍ୟରେ ଏହି ଦ୍ୱେତ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ନକଲେ ଆଗାମୀ ଦିନ ମାନଙ୍କରେ ରାଜ୍ୟରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୁର୍ଣ୍ଣ ସରକାରଙ୍କ ହାତରୁ ଚାଲିଯାଇ ବ୍ୟବସାୟୀକରଣ ହୋଇଯିବା ଭଳି ମନେହେଉଛି।

Comment