ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡ ସୁପରଷ୍ଟାର ବାବୁସାନଙ୍କ କ୍ଷେତ୍ରରେ ଏମିତି କଥା ବି ଘଟିଛି, ଯାହା ଆପଣ ନିଶ୍ଚୟ ଜାଣିବାକୁ ଚାହିଁବେ…

ଓଲିଉଡ ସୁପରଷ୍ଟାର ବାବୁସାନଙ୍କ କ୍ଷେତ୍ରରେ ଏମିତି କିଛି କଥା ସବୁ ଯାହା ସିନେପ୍ରେମୀଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଏ। ସେଭଳି ଘଟଣାକୁ ଆସନ୍ତୁ ମନେ ପକାଇବା…

ବାବୁସାନଙ୍କ ସ୍ଥାନରେ ସମ୍ବିତ

ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା କିଛି ବର୍ଷ ତଳେ ‘ଆରେ ମୋ’ ଟିକି ଚଢ଼େଇ’ ନାଆଁରେ ଏକ ସିନେମାର ନିର୍ଦ୍ଦେଶନା ଦେବେ ବୋଲି ଘୋଷଣା କରାଯାଇଥିଲା। ଏହି ସିନେମାର ପ୍ରଯୋଜନା କରୁଥିଲେ ବିପ୍ଳବ ଜେନା।

ସବୁଠୁ ବଡ଼ କଥା ହେଲା ପ୍ରଥମେ ଯେତେବେଳେ ଏହି ଫିଲ୍ମର ଘୋଷଣା ହେଲା, ସେତେବେଳେ ଏଥିରେ ବାବୁସାନ୍‌ ଓ ପ୍ରିୟାଙ୍କୁ ନାୟକ –  ନାୟିକା ଭୂମିକାରେ ନିଆଯାଇଛି ବୋଲି କୁହାଗଲା। ସେତେବେଳକୁ ବାବୁସାନ୍‌ ଓ ପ୍ରିୟା କେବଳ ଗୋଟିଏ ସିନେମାରେ ଏକାଠି କାମ କରିଥାନ୍ତି।

ସେହି ସିନେମାଟି ହେଲା ଜଣାଶୁଣା ପ୍ରଯୋଜକ ବିଜୟ କନ୍ଦୋଇଙ୍କ ପ୍ରଯୋଜିତ ତଥା ଲୋକପ୍ରିୟ ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଦୋସ୍ତି’। ଏହି ଫିଲ୍ମର ସ୍କ୍ରିପ୍ଟ କାମ ମଧ୍ୟ ସରିଯାଇଥିଲା। ହେଲେ ‘ଆରେ ମୋ’ ଟିକି ଚଢ଼େଇ’ର ନିର୍ମାଣ ସେତେବେଳେ ହୋଇପାରିନଥିଲା।

ପୁଣି ପ୍ରାୟ ଦୁଇ ବର୍ଷ ପରେ ସେହି ଫିଲ୍ମଟି ଫ୍ଲୋରକୁ ଯିବ ବୋଲି ଚର୍ଚ୍ଚା ହେଲା। ହେଲେ ସେତେବେଳକୁ କାଷ୍ଟିଂ ବଦଳିଗଲା। ଯେଉଁ ‘ଆରେ ମୋ ଟିକି ଚଢ଼େଇ’ରେ ବାବୁସାନଙ୍କୁ ହିରୋ ଭାବେ ନିଆଯିବାର ଥିଲା, ସେଠି ବାବୁସାନ୍‌ଙ୍କ ବଦଳରେ ଓଲିଉଡର ଆଉ ଜଣେ ନାୟକ ସମ୍ବିତଙ୍କୁ ନିଆଗଲା।

ସମ୍ବିତ ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲେଖିଚି ନାଆଁ ତୋ’ର’ରେ ନାୟକ ଭାବେ କାମ କରିଛନ୍ତି। ବାବୁସାନଙ୍କ ସ୍ଥାନ ତ ନେଲେ ସମ୍ବିତ୍। ହେଲେ ‘ଆରେ ମୋ’ ଟିକି ଚଢ଼େଇ’ ଫ୍ଲୋରକୁ ଗଲା ନାହିଁ। ଆଜି ଯାଏଁ ସେ ପ୍ରୋଜେକ୍ଟ ବନ୍ଦ ରହିଛି।

ବାବୁସାନ୍ଙ୍କ ଜାଗା ନେଇଥିଲେ ଅଭିଷେକ

ଓଲିଉଡ ସୁପରଷ୍ଟାର ବାବୁସାନ୍‌ଙ୍କ ପାଖକୁ ବହୁ ସିନେମାର ଅଫର୍ ଆସେ, ହେଲେ ସେଥିମଧ୍ୟରୁ ସେ ନିଜକୁ ଭଲ ଲାଗୁଥିବା ଅଫର୍‌କୁ ଗ୍ରହଣ କରନ୍ତି। ହେଲେ ବେଳେ ବେଳେ ଏମିତି ବି ହୋଇଛି ଯେ, ତାଙ୍କୁ ଯେଉଁ ପ୍ରଯୋଜନା ସଂସ୍ଥା ଚୁକ୍ତିବଦ୍ଧ କରିଥାନ୍ତି, ସେହି ପ୍ରଯୋଜକ ବାବୁସାନଙ୍କୁ ଅନ୍ୟ ଏକ ଫିଲ୍ମରେ ନିଅନ୍ତି।

ଓଲିଉଡର ଲୋକପ୍ରିୟ ପ୍ରଯୋଜକ ସୀତାରାମ ଅଗ୍ରୱାଲ ବାବୁସାନଙ୍କୁ ନେଇ ପ୍ରଥମେ ନିର୍ମାଣ କରିଥିଲେ ‘ଆଖିରେ ଆଖିରେ’। ଏହା ସୁପରହିଟ୍ ହେବା ପରେ ସେ ବାବୁସାନଙ୍କୁ ହିରୋ ଭାବେ ନେଇ କ୍ରମାଗତ ଭାବେ ଲେଖୁ ଲେଖୁ ଲେଖି ଦେଲି, ଭଲ ପାଏ ତତେ ୧୦୦ରୁ ୧୦୦ ଓ ସୁପର ମିଛୁଆ ଆଦି ହିଟ୍‌ ଫିଲ୍ମ ନିର୍ମାଣ କରିଥିଲେ।

ଏହାପରେ ୨୦୧୬ରେ ପ୍ରଯୋଜକ ସୀତାରାମ ଅଗ୍ରୱାଲ ‘ଚୁପ୍‌ ଚୁପ୍‌ ଚୋରି ଚୋରି’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରିବାର ଯୋଜନା କରିଲେ। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ସୁଧାଂଶୁ ମୋହନ ସାହୁ। ଏହି ଓଡ଼ିଆ ସିନେମାରେ ନାୟକ ଭାବେ ବାବୁସାନ ଓ ନାୟିକା ରୂପେ ରୀୟା ଦେଙ୍କୁ ପ୍ରଥମେ ନିଆଯାଇଥିଲା।

ହେଲେ ସ୍କ୍ରିପ୍ଟ ପ୍ରସ୍ତୁତ ଶେଷ ହେବା ପରେ ଉଭୟ ନିର୍ମାତା ଓ ନିର୍ଦ୍ଦେଶକ ଅନୁଭବ କଲେ ଯେ ‘ଚୁପ୍‌ ଚୁପ୍‌ ଚୋରି ଚୋରି’ରେ ବାବୁସାନ୍‌ ଫିଟ୍‌ ହେଉନାହାନ୍ତି। ଏଣୁ ବାବୁସାନଙ୍କ ଜାଗାରେ ଅନ୍ୟ ଜଣେ ନାୟକ ଅଭିଷେକଙ୍କୁ ନିଆଯାଇଥିଲା।

କିନ୍ତୁ ଫିଲ୍ମରେ ନାୟିକା ଭୂମିକାରେ ରହିଥିଲେ ରୀୟା। ତା’ ଭିତରେ ପ୍ରଯୋଜକ ସୀତାରାମ ଅଗ୍ରୱାଲ ନିର୍ଦ୍ଦେଶକ ଅଶୋକ ପତିଙ୍କୁ ଧରି ‘ତୁ ଯେ ସେଇ’ ଟାଇଟଲ୍‌ରେ ଅନ୍ୟ ଏକ ସିନେମାର ନିର୍ମାଣ କରିଥିଲେ। ସେହି ସିନେମାରେ ବାବୁସାନଙ୍କୁ ନାୟକ ଭୂମିକାରେ ନେଇଥିଲେ। ସେଥିରେ ବାବୁସାନଙ୍କ ବିପକ୍ଷରେ ଦୁଇ ଜଣ ନାୟିକା ଶୀତଲ ଓ ରିୟାଙ୍କୁ ନିଆଯାଇଥିଲା।

ଆଉ ଏକ ମଜା କଥା ହେଲା ଯେ, ଆମେ ‘ତୁ ଯେ ସେଇ’ ରିଲିଜ୍‌ ହେଲା ଓ ପରେ ଆସିଥିଲା ‘ଚୁପ୍‌ ଚୁପ୍‌ ଚୋରି ଚୋରି’।

Comment