ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଆସନ୍ତୁ ଜାଣିବା କେଉଁ ସବୁ ସିନେମା ସୁପରଷ୍ଟାର ରଣବୀର କପୁର ଆଗରୁ ଛାଡ଼ିଛନ୍ତି, ଯାହା ପରେ ରଣବୀର ସିଂହଙ୍କ ହାତକୁ ଯାଇଛି…

୩୦୦ କୋଟିର ସୁପରଷ୍ଟାର ରଣବୀର କପୁର ‘ତଖ୍‌ତ’ ସିନେମାରେ ରଣବୀର ସିଂହଙ୍କ ସହ କାମ କରିବାକୁ ମନା କରିଛନ୍ତି। ଏହା ଅବଶ୍ୟ ତାଙ୍କର ପ୍ରଥମ ସିନେମା ନୁହେଁ, ଯାହାକୁ ସେ ରିଜେକ୍ଟ କରିଛନ୍ତି।

ବଲିଉଡର ଲୋକପ୍ରିୟ ନିର୍ମାତା- ନିର୍ଦ୍ଦେଶକ କରଣ ଜୋହର ତାଙ୍କର ମଲ୍ଟି ଷ୍ଟାରର୍ ମୁଭି ‘ତଖ୍‌ତ’ରେ ରଣବୀର ସିଂହ ଓ ରଣବୀର କପୁର ଉଭୟଙ୍କୁ କାଷ୍ଟ୍ କରିବାକୁ ଚାହୁଁଥିଲେ। ଏଥିପାଇଁ ରଣବୀର ସିଂହ ତ ସଙ୍ଗେ ସଙ୍ଗେ ରାଜି ହୋଇଗଲେ, ହେଲେ ରଣବୀର କପୁର ମନା କରିଦେଲେ।

‘ତଖ୍‌ତ’ରେ ଦୁଇ ରଣବୀରଙ୍କୁ ଦୁଇଭାଇ ଭୂମିକାରେ ନେବାର ଯୋଜନା କରିଥିଲେ କରଣ ଜୋହର୍‌। ଏଥିରେ ରଣବୀର ସିଂହଙ୍କୁ ମିଳିଛି ଦାରା ସିକୋହର ଭୂମିକା। ରଣବୀର କପୁରଙ୍କୁ ‘ତଖ୍‌ତ’ରେ ଔରଙ୍ଗଜେବ୍‌ ଭୂମିକା ପାଇଁ ଅଫର୍‌ ଦିଆଯାଇଥିଲା। କିନ୍ତୁ ରଣବୀର କପୁର ଅରାଜି ହେବାପରେ ସେହି ଭୂମିକାଟି ମିଳିଛି ଭିକି କୌଶଲଙ୍କୁ।

ଏହା ଅବଶ୍ୟ ଭିନ୍ନ କଥା ଯେ, କରଣ ଜୋହରଙ୍କ ‘କଫି ଉଇଥ୍‌ କରଣ୍‌’ ଶୋ’ରେ ଉଭୟ ରଣବୀର ସିଂହ ଓ ରଣବୀର କପୁର ଏକାଠି ନଜର ଆସିଛନ୍ତି।

ବ୍ୟାଣ୍ଡ୍ ବାଜା ବାରାତ୍‌

ବଲିଉଡର ହାର୍ଟଥ୍ରୋବ୍‌ ରଣବୀର କପୁର କ୍ୟାରିଅର୍‌ର ପ୍ରାରମ୍ଭିକ ପର୍ଯ୍ୟାୟରେ ୟଶରାଜ୍‌ ଫିଲ୍ମସର ‘ବଚନା ଏ ହସିନୋଁ’ରେ କାମ କରିଥିଲେ। ତା’ପରେ ତାଙ୍କୁ ସେହି ବ୍ୟାନରର ଅନ୍ୟ ଏକ ସିନେମା ‘ବ୍ୟାଣ୍ଡ୍ ବାଜା ବାରାତ୍’ରେ ନାୟକ ଭୂମିକା ଲାଗି ଅଫର୍‌ ହୋଇଥିଲା। କିନ୍ତୁ ସେ ଏହି ଫିଲ୍ମକୁ ରିଜେକ୍ଟ କରିଥିଲେ।

ଯଦି ରଣବୀର କପୁର ‘ବ୍ୟାଣ୍ଡ୍ ବାଜା ବାରାତ୍’ ସାଇନ୍ କରିଥାନ୍ତେ, ତେବେ ହୁଏ ରଣବୀର ସିଂହଙ୍କର ଏହି ଫିଲ୍ମ ଜରିଆରେ ବଲିଉଡରେ ଏଣ୍ଟ୍ରି ହୋଇନଥାନ୍ତା। ‘ବ୍ୟାଣ୍ଡ୍ ବାଜା ବାରାତ୍’ ହିଟ୍ ହେଲା ଓ ରଣବୀର ସିଂହ ବନିଗଲେ ହଟ୍‌ଷ୍ଟାର୍।

ରାମଲୀଲା

ପ୍ରଖ୍ୟାତ ନିର୍ମାତା- ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ସାୱରିୟା’ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ ରଣବୀର କପୁର। ଏହା ସୁପରଫ୍ଲପ୍‌ ହୋଇଥିଲା। ତା’ପରେ ଭଂସାଲୀ ଯେତେବେଳେ ‘ରାମଲୀଳା’ ନିର୍ମାଣ କରିବାକୁ ବାହାରିଲେ, ସେତେବେଳେ ପ୍ରଥମେ ସେ ଏଥିରେ ନାୟକ ହେବା ପାଇଁ ରଣବୀର କପୁରଙ୍କୁ ପ୍ରସ୍ତାବ ଦେଇଥିଲେ। ହେଲେ ପୁଣିଥରେ ରିସ୍କ୍ ଉଠାଇବା ଲାଗି ରାଜି ହୋଇନଥିଲେ ରଣବୀର। ସେ ମନା କରିଥିଲେ। ଏହା ପରେ ରଣବୀର ସିଂହଙ୍କର ଏଣ୍ଟ୍ରି ହୋଇଥିଲା।

ଦିଲ୍ ଧଡ଼କ୍‌ନେ ଦୋ

ଜୋୟା ଅଖତରଙ୍କ ମଲ୍ଟି ଷ୍ଟାରର୍ ସିନେମା ‘ଦିଲ୍‌ ଧଡ଼କନେ ଦୋ’ର ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଥିଲେ ରଣବୀର କପୁର। ଏହାର ନିର୍ଦ୍ଦେଶିକା ଜୋୟା ଅଖତର ପ୍ରଥମେ ରିଅଲ୍ ଭାଇ-ଭଉଣୀ ରଣବୀର କପୁର ଓ କରିନା କପୁରଙ୍କୁ ନେଇ ମେନ୍ ଲିଡ୍‌ରେ ନେଇ ‘ଦିଲ୍ ଧଡକ୍‌ନେ ଦୋ’ ନିର୍ମାଣ କରିବାକୁ ଚାହୁଁଥିଲେ।

ଏଥିଲାଗି ଜୋୟା ଉଭୟ ରଣବୀର ଓ କରିନାଙ୍କୁ ଅଫର୍ ଦେଇଥିଲେ। କରିନା ରାଜି ଥିଲେ, ହେଲେ ରଣବୀର କପୁର ମନା କରିଥିଲେ। ଏଣୁ କରିନା କପୁର ଖାନ୍‌ଙ୍କ ହାତରୁ ବି ‘ଦିଲ୍ ଧଡ୍‌କନେ ଦୋ’ ଖସିଗଲା।

ତା’ପରେ ଜୋୟା ରଣବୀର ସିଂହ ଓ ପ୍ରିୟଙ୍କା ଚୋପ୍ରାଙ୍କୁ ନେଇଥିଲେ ‘ଦିଲ୍‌ ଧଡକ୍‌ନେ ଦୋ’ରେ।

ବେଫିକ୍ରେ

ଦିଲୱାଲେ ଦୁଲହନିଆ ଲେଯାଏଙ୍ଗେ, ମୋହବତେଁ ଏବଂ ରବ୍‌ନେ ବନାଦି ଯୋଡ଼ି ଭଳି ବ୍ଲକବଷ୍ଟର ରୋମାଣ୍ଟିକ ଫିଲ୍ମର ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା। ତାଙ୍କର ଚତୁର୍ଥ ସିନେମା ‘ବେଫିକ୍ରେ’ରେ ରଣବୀର କପୁରଙ୍କୁ ନେବାକୁ ଚାହୁଁଥିଲେ। ଏଥିପାଇଁ ସେ ତାଙ୍କୁ ଅଫର୍ ମଧ୍ୟ ଦେଇଥିଲେ।

ହେଲେ ରଣବୀର କପୁରଙ୍କୁ ‘ବେଫିକ୍ରେ’ର ସ୍କ୍ରିପ୍ଟ ପସନ୍ଦ ନ ଆସିବା କାରଣରୁ ସେ ଏଥିରେ କାମ କରିବାକୁ ମନା କରିଦେଇଥିଲେ। ତା’ପରେ ସେହି ସିନେମାରେ ଆଦିତ୍ୟ ରଣବୀର ସିଂହଙ୍କୁ ନେଇଥିଲେ।

ଗଲିବୟ

ମହିଳା ନିର୍ଦ୍ଦେଶକ ଜୋୟା ଅଖତର୍ ତାଙ୍କର ନିର୍ଦ୍ଦେଶିତ ଫିଲ୍ମ ‘ଗଲିବୟ’ ପାଇଁ ବି ରଣବୀର କପୁରଙ୍କୁ ଆପ୍ରୋଚ୍‌ କରିଥିଲେ। ହେଲେ ବାରମ୍ବାର ଗାୟକ ଭୂମିକା ନିଭାଇ ବିରକ୍ତ ହୋଇଥିବା ରଣବୀର କପୁର ସେହି ଫିଲ୍ମକୁ ରିଜେକ୍ଟ କରିଲେ। ପରେସେହି ଭୂମିକାଟି ମଧ୍ୟ ରଣବୀର ସିଂହଙ୍କୁ ମିଳିଲା।

 

Comment