ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ବ୍ୟତୀତ ଆଉ ଚାରୋଟି ସହରରେ ଏହି ନୂଆ ଘଣ୍ଟା ସର୍ବସାଧାରଣ ସ୍ଥାନରେ ଲଗାଯିବ।

ସମୟର ମୂଲ୍ୟ କିଛି ଲୋକଙ୍କ ପାଇଁ ହୁଏତ କୌଣସି ମାନେ ରଖେ ନାହିଁ। କିନ୍ତୁ ଯେଉଁମାନେ ସମୟର ମୂଲ୍ୟକୁ ବୁଝନ୍ତି ଓ ସେହି ଅନୁଯାୟୀ କାମ କରନ୍ତି ସେମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ବଡ଼ ବଡ଼ ସହରରେ ବାସ କରୁଥିବା ଓ ଠିକ୍ ସମୟରେ ସବୁ କାମ କରିବା ପାଇଁ ଯେଉଁମାନେ ବଦ୍ଧପରିକର ଖାସ ସେମାନଙ୍କ ସକାଶେ ଏକ ସ୍ୱତନ୍ତ୍ର ଧରଣର ଘଣ୍ଟା ଏବେ ବସାଯିବ। ଏଥିରେ ପ୍ରକୃତ ସମୟ ତ ଜଣାପଡ଼ିବ, କିନ୍ତୁ ସମୟର ବ୍ୟବଧାନ ବି ନାନୋ ସେକେଣ୍ଡରେ ଦେଖାଯାଇପାରିବ।

ଏବେ ଯେଉଁ ସବୁ ଘଣ୍ଟା ବ୍ୟବହାର ହେଉଛି ସେଥିରେ ସମୟର ବ୍ୟବଧାନ ୬୦ରୁ ୯୦ ସେକେଣ୍ଡ ପର୍ଯ୍ୟନ୍ତ ହୋଇଥାଏ। ଭୁବନେଶ୍ୱର ବ୍ୟତୀତ ଆଉ ଚାରୋଟି ସହରରେ ଏହି ନୂଆ ଘଣ୍ଟା ସର୍ବସାଧାରଣ ସ୍ଥାନରେ ଲଗାଯିବ। ଏହି ସହରଗୁଡ଼ିକ ହେଉଛି ଫରିଦାବାଦ, ଗୌହାଟୀ, ବେଙ୍ଗାଳୁରୁ ଓ ଅହମ୍ମଦାବାଦ।

ଏହି ସ୍ୱତନ୍ତ୍ର ଘଡ଼ିକୁ ତିଆରି କରିଛନ୍ତି ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ ବା ସିଏସଆଇଆର ଅନ୍ତର୍ଗତ ଜାତୀୟ ପଦାର୍ଥବିଜ୍ଞାନ ପ୍ରାୟୋଗଶାଳା (ଏନପିଏଲ)। ଏହି ଘଣ୍ଟାରେ ଏକ ଅଟୋମିକ ବେସ ଥାଏ। ବର୍ତ୍ତମାନ ଏହିଭଳି ଘଣ୍ଟାକୁ କେବଳ ଇସ୍ରୋ ହିଁ କାମରେ ଲଗାଇପାରୁଛି। ଉପଗ୍ରହ ପ୍ରେରଣ ବେଳେ ଏହି ଘଣ୍ଟାକୁ ଭିତ୍ତି କରି ଉତକ୍ଷେପଣ ହୋଇଥାଏ।

ସରକାରଙ୍କ ଅନ୍ୟ ବିଭାଗମାନେ ମଧ୍ୟ ଏହି ଘଣ୍ଟାକୁ କାମରେ ଲଗାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଲିଗାଲ ମେଟ୍ରୋଲୋଜି ବିଭାଗ ପ୍ରଥମେ ଏହାକୁ ବ୍ୟବହାର କରିବା ଆରମ୍ଭ କରିଛି। ସେହି ବିଭାଗର ନିର୍ଦ୍ଦେଶ ଅନୁସାରେ ଏହି ସ୍ୱତନ୍ତ୍ର ଘଣ୍ଟାମାନ ଲାଗିବ। ବିଭାଗ ପକ୍ଷରୁ ଏ ବାବଦକୁ ୧୦୦ କୋଟି ଟଙ୍କା ଏନପିଏଲକୁ ଦିଆଯାଇଛି। ପ୍ରତ୍ୟେକ ଘଣ୍ଟାର ମୂଲ୍ୟ ଆନୁମାନିକ ୨୦ କୋଟି ହେବ। ଏନପିଏଲ ପକ୍ଷରୁ ଘଣ୍ଟା ତିଆରି ପାଇଁ କାମ ଆରମ୍ଭ ହୋଇଥିଲା ବେଳେ ଆସନ୍ତା ଅଢ଼େଇ ବର୍ଷ ଭିତରେ ସ୍ୱତନ୍ତ୍ର ଘଡ଼ି ସବୁ କାମ କରିବା ଆରମ୍ଭ ହେବ।

ଏନପିଏଲର ନିର୍ଦ୍ଦେଶକ ଡକ୍ଟର ଡିକେ ଓସ୍ୱାଲଙ୍କ କହିବା ଅନୁଯାୟୀ ଆମେରିକା ଭଳି ଦେଶରେ ଏହି ଧରଣର ଘଣ୍ଟା ଲଗା ଯାଇଥାଏ। ଆମେରିକାରେ ବିଭିନ୍ନ ସ୍ଥାନରେ ଏ ରକମର ୪୦ଟି ଘଣ୍ଟା ଲାଗିଛି। ଏହି ଘଣ୍ଟାକୁ ଦେଖି ହିଁ ସେଠାରେ ଲୋକେ ନିଜ ଦୈନନ୍ଦିନ ଜୀବନଚର୍ଯ୍ୟା ଓ କାମଦାମ କରିଥାନ୍ତି।

ଓସ୍ୱାଲ କହିଛନ୍ତି ଯେ ଆର୍ଥିକ ସେବା ଓ ଟେଲିକମ ସେବା ପାଇଁ ଏହି ଘଣ୍ଟା ବିଶେଷ ସହାୟକ ହୋଇଥାଏ। ସେୟାର ବଜାରଠାରୁ ଆରମ୍ଭ କରି ବ୍ୟାଙ୍କ କାରବାର ପର୍ଯ୍ୟନ୍ତ ଏହି ଘଡ଼ିର ପ୍ରଚୁର ଆବଶ୍ୟକତା ରହିଛି। କାରଣ ଗୋଟିଏ ଗୋଟିଏ ସେକେଣ୍ଡରେ କାରବାର ତଳ ଉପର ହୋଇଯାଇଥାଏ। ଏଣୁ ଏହି ଘଣ୍ଟାର ସମୟକୁ ଦେଖି ଚାଲିଲେ ବହୁତ ଲାଭ ହୋଇଥାଏ। ତାଛଡ଼ା ସାଇବର ଅପରାଧକୁ ରୋକିବାରେ ମଧ୍ୟ ଏହି ଘଡ଼ି କାମ ଦେବ ବୋଲି ଆଶା କରାଯାଉଛି।

Comment