ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପରଦାରେ ମୁକ୍ତିଲାଭ କରିବ ଓଡ଼ିଆ ସିନେମା ‘ଲଭ୍ ଏକ୍ସପ୍ରେସ୍’।

ପ୍ରଯୋଜକ ସୀତାରାମ ଅଗ୍ରୱାଲଙ୍କ ପ୍ରଯୋଜିତ ଓଡ଼ିଆ ସିନେମା ‘ଲଭ୍ ଏକ୍ସପ୍ରେସ୍’ ଗଣେଶ ପୂଜାରେ ମୁକ୍ତିଲାଭ କରିବ ବୋଲି ବହୁ ଆଗରୁ ପ୍ରଯୋଜନା ସଂସ୍ଥା ପକ୍ଷରୁ ଘୋଷଣା କରାଯାଇଥିଲା। ହେଲେ ଫିଲ୍ମର କାମ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ସରିନଥିଲା, ଯେଉଁଥିପାଇଁ ଏହାର ରିଲିଜ୍‌କୁ ଘୁଞ୍ଚାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ‘ଲଭ୍‌ ଏକ୍ସପ୍ରେସ’ର ଗୋଟିଏ ଗୀତର ସୁଟିଂ ବାକି ରହିଛି। ତେଣେ ଅବଶ୍ୟ ସିନେମାର ପୋଷ୍ଟ୍ ପ୍ରଡକ୍ସନ କାମ ଜୋରସୋରରେ ଚାଲିଛି। ଏବେ ଏହି ସିନେମା ଗଣେଶ ପୂଜାରେ ତ ରିଲିଜ୍‌ ହୋଇପାରିଲାନି। ପ୍ରଶ୍ନ ଉଠୁଛି ଫିଲ୍ମଟି କେବେ ରିଲିଜ୍‌ ହେବ।

ଯାହା ଜଣାପଡ଼ୁଛି ପ୍ରଯୋଜକ ଦଶହରାରେ ‘ଲଭ୍ ଏକ୍ସପ୍ରେସ୍‌’କୁ ରିଲିଜ୍ କରିବା ମୁଡ୍‌ରେ ନାହାନ୍ତି। କାରଣ ପୂଜାରେ ଅନୁଭବଙ୍କ ଅଭିନୀତ ‘ପ୍ରେମ କୁମାର’ ଓ ବାବୁସାନଙ୍କ ‘ଶ୍ରୀମାନ୍‌ ସୁରଦାସ’ ରିଲିଜ୍‌ ହେଉଛି।

ଏ ଦୁଇ ସୁପରଷ୍ଟାରଙ୍କ ସହ ସ୍ୱରାଜ- ସନମୀରାଙ୍କ ଅଭିନୀତ ଫିଲ୍ମ ‘ଲଭ୍ ଏକ୍ସପ୍ରେସ’କୁ ରିଲିଜ୍‌ ଉପଯୁକ୍ତ ମନେ କରାଯାଉନି। ଏଣୁ ପ୍ରଯୋଜନା ସଂସ୍ଥା ‘ଲଭ୍ ଏକ୍ସପ୍ରେସ୍‌’କୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରିଲିଜ୍‌ କରିବେ ବୋଲି ସୂଚନା ମିଳିଛି।

ଏହି ଫିଲ୍ମର ନିର୍ଦ୍ଦେଶକ ହେଲେ ରମେଶ ରାଉତ, ସଂଳାପ ଲେଖକ ଡ. ନିର୍ମଳ ନାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ।

ଅନ୍ୟପକ୍ଷରେ ଗଣେଶ ପୂଜାରେ ଜ୍ୟୋତି ଦାସଙ୍କ ନିର୍ଦ୍ଦେଶିତ ଅରିନ୍ଦମ୍- ଏଲିନାଙ୍କ ଅଭିନୀତ ‘ଇସ୍କ ପୁଣିଥରେ’ ଓ ସୂରଜ କୁମାର- ଦେବସ୍ମିତାଙ୍କ ଅଭିନୀତ ତଥା ଗଣେଶଙ୍କ ନିର୍ଦ୍ଦେଶିତ ‘ଭାଇଜାନ୍’ ରିଲିଜ୍‌ ହୋଇଛି।

Comment