ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ କଂଗ୍ରେସରେ ସାମିଲ ହୋଇଛନ୍ତି ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ।

ଓଡ଼ିଶା କଂଗ୍ରେସ ପାଇଁ ନିଶ୍ଚିତରେ ଏହା ଏକ ଭଲ ଖବର। ଚିଲିକାରେ ବୈଜୟନ୍ତଙ୍କ ହେଲିକପ୍ଟର ଓ ପାଗଳ ଅଭିଜିତ ମାମଲାରେ ଅଯଥା ମୁଣ୍ଡ ଭର୍ତ୍ତି କରି ଶାସକ ବିଜେଡି ଝାଳନାଳ ହେଉଥିବା ବେଳେ ନିରଞ୍ଜନଙ୍କ କଂଗ୍ରେସ କିନ୍ତୁ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛି।

ଦିଲ୍ଲୀ କଂଗ୍ରେସ ଦପ୍ତରରେ ରାହୁଲ ଗାନ୍ଧିଙ୍କ ସହ ବିରମିତ୍ରପୁର ବିଧାୟକ ଜର୍ଜ ତିର୍କୀ, ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଓ ସମାଜକର୍ମୀ ମନୋଜ ଜେନାଙ୍କୁ ଯେତେବେଳେ ହଠାତ ଦେଖିବାକୁ ମିଳିଲା ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ତିନିହେଁ ତିର୍କୀ, ଦାସ ତଥା ଜେନା ନିଜ ନିଜ କ୍ଷେତ୍ରରେ ଖୁବ୍ ପରିଚିତ ଓ ସେମାନେ କଂଗ୍ରେସ ପାଇଁ ଏକ ବଡ଼ ଆସେଟ ହେବେ ଏହା ନିଶ୍ଚିତ ଭାବରେ କୁହାଯାଇପାରେ। ରାହୁଲଙ୍କ ଉପସ୍ଥିତିରେ ଏ ତିନି ଜଣଙ୍କ କଂଗ୍ରେସରେ ଯୋଗ ଦେବା ଘଟଣା ଅନ୍ୟମାନଙ୍କୁ ମଧ୍ୟ ଉତ୍ସାହିତ କରିବ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦାୟିତ୍ୱ ନେବା ପରେ ଜର୍ଜ ତିର୍କୀଙ୍କୁ ପକେଟରେ ପୂରାଇ ଗୋଟିଏ ବଡ଼ କାମ କରିଛନ୍ତି ବୋଲି ଧରିବାକୁ ହେବ। ଅବଶ୍ୟ ତାଙ୍କୁ ଦଳରେ ସାମିଲ କରିବା ଏକ ସହଜସାଧ୍ୟ କାର୍ଯ୍ୟ ଥିଲା। କାରଣ ତିର୍କୀ ବର୍ତ୍ତମାନ ବିଧାନସଭାରେ ନିର୍ଦଳୀୟ ବିଧାୟକ। ରାଜନୈତିକ ମହଲରେ ଚାଲିଥିବା ଆଲୋଚନା ଅନୁଯାୟୀ ତିର୍କୀ ଦଳକୁ ଆସିବା ପରେ ଏକେତ ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଭୋଟ କଂଗ୍ରେସ ପାଖକୁ ଆସିବ। ତାଛଡ଼ା ତିର୍କୀଙ୍କ ଯୋଗଦାନ ବର୍ତ୍ତମାନ ସାଂସଦ ଥିବା ଜୁଏଲ ଓରାମଙ୍କ ନିଦ ହଜାଇବା ଆରମ୍ଭ କରିବ।

ତିର୍କୀ ସୁନ୍ଦରଗଡ଼ ଜିଲ୍ଲାରେ ଜଣେ ଅତି ଲୋକପ୍ରିୟ ଆଦିବାସୀ ନେତା ହୋଇଥିବାରୁ କଂଗ୍ରେସରେ ଯୋଗ ଦେବା ପରେ ପରେ ଆକଳନ କରାଯାଉଛି ଯେ ୨୦୧୯ ଲୋକସଭା ନିର୍ବାଚନରେ ତାଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରାଯିବ। ଏମିତି ତ ଏହି ଆସନରେ କଂଗ୍ରେସର ଦବଦବା ରହିଛି। କାରଣ ଅତୀତରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଏଠାରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ଜର୍ଜ ତିର୍କୀ ଅତୀତରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସହିତ ଯୋଡ଼ି ହୋଇଥିଲେ।ତିର୍କି ଜେଏମ୍ଏମ୍ ସଭାପତି ଶିବୁ ସୋରେନ୍ ଓ ତାଙ୍କ ପୁଅ ହେମନ୍ତ ସୋରେନଙ୍କ ଅତି ଆପଣାର ମିତ୍ର ବୋଲି କୁହାଯାଏ। ଓଡ଼ିଶାରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାକୁ ମଜଭୁତ କରାଇବାରେ ତିର୍କୀଙ୍କ ବହୁ ଅବଦାନ ରହିଥିଲା। ମୟୂରଭଞ୍ଜ ଜିଲ୍ଲାରେ ଜେଏମ୍ଏମ୍‌ର ରାଜନୈତିକ ପ୍ରଭାବ ମଧ୍ୟ କିଛି କମ ନୁହେଁ। କିଛିଦିନ ତଳେ ତିର୍କୀ ନିଜର ଏକ ଦଳ ଗଢ଼ି ସବୁ ଆଦିବାସୀଙ୍କୁ ଏକାଠି କରିବା ପାଇଁ ଯୋଜନା କରୁଥିଲେ। କଂଗ୍ରେସ ବର୍ତ୍ତମାନ ସେହି ଫାଇଦାଟି ନେବ।

ଯଦି ଜର୍ଜ ତିର୍କୀଙ୍କୁ ସୁନ୍ଦରଗଡ଼ରୁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ କରାଯାଏ, ୨୦୧୯ରେ ଏହି ନିର୍ବାଚନମଣ୍ଡଳୀ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ନିର୍ବାଚନ କ୍ଷେତ୍ର ହେବ। ବିଜେପିର ଜୁଏଲ ଓରାମ, ବିଜେଡିର ଦିଲ୍ଲୀପ ତିର୍କୀ ଓ କଂଗ୍ରେସର ଜର୍ଜ ତିର୍କୀ- ଏମାନଙ୍କ ଭିତରୁ କାହା ପଲା ଭାରି ଏବେଠାରୁ ସେ କଥା କହିବା କଷ୍ଟ। କିନ୍ତୁ ଲଢେ଼ଇଟି ରୋଚକ ହେବା ସୁନିଶ୍ଚିତ।

ମନେ ପକାଇ ଦିଆଯାଇପାରେ ଯେ ୨୦୧୪ ନିର୍ବାଚନରେ ବିଜେପି ନେତା ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ବିଜେଡି ର ଦିଲୀପ ତିର୍କୀଙ୍କୁ ମାତ୍ର ୫ ହଜାର ଭୋଟ ବ୍ୟବଧାନରେ ହରାଇଥିଲେ।

Comment