ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ମାର୍ଗରେ କୃଷି ଭବନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଦେଶୀୟ କପଡ଼ା ଇକତ ଢାଞ୍ଚାରେ ଏହି ଭବନ ନିର୍ମାଣ କରାଯାଇଛି। କୃଷି ଭବନ ପରିସରରେ ଏକ ଉଦ୍ୟନ ରହିଛି। ଏଥିରେ କୃଷି ପରମ୍ପରା ବିଷୟକୁ ସ୍ଥାନୀତ କରାଯାଇଛି।

ଜଳସେଚନ ପାଇଁ କେନାଲ, ବର୍ଷା ଜଳ ସଂରକ୍ଷଣ, ମୃତ୍ତିକା ସମସ୍ୟା ସମାଧାନ ଏବଂ ଫସଲ ଉତ୍ପାଦନ ବୃଦ୍ଧି ନିମନ୍ତେ ଜୈବିକ କୃଷିର ପ୍ରସାର ପାଇଁ ବ୍ୟବସ୍ଥା କରାଯାଇଛି।

ଏହି ଉଦଘାଟନ ଉତ୍ସବରେ କୃଷି ଭବନ ସମ୍ପର୍କରେ ଏକ କ୍ଷୁଦ୍ର ଚିତ୍ର ପ୍ରଦର୍ଶିତ କରାଯାଇଥିଲା।

କୃଷି ଭବନର ୧ମ, ୨ୟ ଏବଂ ୩ୟ ମହଲାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସମେତ ଏହାର ସମସ୍ତ ନିର୍ଦ୍ଦେଶାଳୟ ରହିଛି। ଏହାସହ କୃଷକମାନଙ୍କ ପାଇଁ ପ୍ରଶିକ୍ଷଣ ଗୃହ, ପ୍ରଦର୍ଶନୀ ଗୃହ ଓ ମୁକ୍ତାକାଶ ମଞ୍ଚ ଆଦି ସ୍ଥାନୀତ ହୋଇଛି। କୃଷି ଭବନର ପରିକଳ୍ପନା ଓ ସାଜସଜ୍ଜା ଷ୍ଟୁଡିଓ ଲୋଟସ ଦ୍ୱାରା କରାଯାଇଛି।

“ଆମ ଚାଷୀମାନଙ୍କ ପରିଶ୍ରମ ରାଜ୍ୟ ପାଇଁ ସୁନାମ ଆଣିଛି। ଆମ ରାଜ୍ୟ କୃଷି କର୍ମଣ ପୁରସ୍କାର ପାଇଛି। ଓଡ଼ିଶା ସମଗ୍ର ଦେଶକୁ ଖାଦ୍ୟ ଯୋଗାଉଛି। ୨୦୧୧ ରେ ଓଡ଼ିଶା ପ୍ରଥମ କୃଷି କର୍ମଣ ପୁରସ୍କାର ପାଇଥିଲା। ଚାଷୀମାନଙ୍କ ପାଇଁ କୃଷି କ୍ଷେତ୍ରରେ ଓଡ଼ିଶା ବହୁତ ଆଗକୁ ଯାଇଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଚାଷୀମାନଙ୍କର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନା ସଠିକ୍ ଭାବେ କାର୍ଯ୍ୟକାରୀ ହେଉଥିବାରୁ ଖାଦ୍ୟଶସ୍ୟର ରେକର୍ଡ ପରିମାଣ ଉତ୍ପାଦନ ହୋଇଛି। ଏଥିପାଇଁ ରାଜ୍ୟସରକାର ଜାତୀୟ ସ୍ତରରେ ୪ ଥର କୃଷି କର୍ମଣ ପୁରସ୍କାର ପାଇଛନ୍ତି। ମିଲେଟ୍ ଉତ୍ପାଦନ ବୃଦ୍ଧି, ବଜାର ସମ୍ବନ୍ଧିତ କାର୍ଯ୍ୟ ଓ ଫସଲ କିସମ ସଂରକ୍ଷଣ ନିମନ୍ତେ ‘ସ୍କଚ’ ପୁରସ୍କାର ପାଇଛନ୍ତି ରାଜ୍ୟ ସରକାର। ୧୪ଟି ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକାରୀ ହୋଇଛି।

ଏହି ଉଦଘାଟନରେ ଷ୍ଟୁଡିଓ ଲୋଟସର ସିଇଓ ଅମ୍ବରିଶ ଅରୋରା ଏବଂ କଲେକଟିଭ କ୍ରାଫ୍ଟ ପ୍ରତିଷ୍ଟାତା ଶିବାନନ୍ଦ ଭୋଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଉଦଘାଟନୀ ଉତ୍ସବରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here