ଓଡ଼ିଶାଲାଇଭ୍‌ ବ୍ୟୁରୋ

“ବହିଷ୍କାର କରାଯିବା ପୂର୍ବରୁ ମତେ କୈଫିୟତ ମଗାଯାଇ ନାହିଁ। ଜଣେ ସଂପାଦକ କିଭଳି ବହିଷ୍କାର ନେଇ ଚିଠି ଲେଖିଲେ? କାର୍ଯ୍ୟକାରିଣୀ ବୈଠକ ଡାକି ବହିଷ୍କାର କରିବା କଥା। କିନ୍ତୁ ତାହା କରାଯାଇନାହିଁ। ମୁଁ ବିଜେଡିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରହିଛି। ବହିଷ୍କାର ସମ୍ପର୍କରେ ଏବେଯାଏଁ କୌଣସି ଚିଠି ମୋ ପାଖକୁ ଆସିନାହିଁ”, କହିଛନ୍ତି ଡାକ୍ତର ଦାମୋଦର ରାଉତ।

ଖାଲି ସେତିକି ନୁହେଁ, ଦାମ ବିଜେଡିକୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ଜଗତସିଂହପୁର ଜିଲ୍ଲାର ଚାରିଟି ବିଧାନସଭା ଆସନରୁ ଜଣେ ବି ବିଜେଡି ପ୍ରାର୍ଥୀ ଜିତି ପାରିବେ ନାହିଁ ବୋଲି କହିଛନ୍ତି ଦାମ। ଏହାସହ ବିଷ୍ଣୁ ଦାସଙ୍କୁ ବି ଛାଡ଼ି ନାହାନ୍ତି ଦାମ।

“ବିଷ୍ଣୁ ତାଙ୍କ ଜାତକରେ ଆଉ ବିଧାୟକ ହୋଇପାରିବେ ନାହିଁ। ସେ ପାରାଦୀପରୁ ପ୍ରାର୍ଥୀ ହୁଅନ୍ତୁ ଆଉ ଯେଉଁଠୁ ପ୍ରାର୍ଥୀ ହୁଅନ୍ତୁ। ସେ ଆଉ ବିଧାନସଭା ଆସିପାରିବେ ନାହିଁ”, ଦୃଢ଼ତାର ସହ କହିଛନ୍ତି ଦାମ।

ଦଳ ବିରୋଧୀ କାମ କରିବା ଅଭିଯୋଗରେ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଦାମ। ବହିଷ୍କୃତ ହେବା ପରେ ବିଜେଡି ବିପକ୍ଷରେ ଗୋଟିଏ ପରେ ଗୋଟି ବାଣ ମାରି ଚାଲିଛନ୍ତି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିରୋଧରେ ମଧ୍ୟ ଦାମ କଡ଼ା ମନ୍ତବ୍ୟ ଦେଇଥିଲେ। ବିନା ଦଳୀୟ ଟିକେଟରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ଦାମ ଦମ୍ଭ ଦେଖାଇଥିଲେ।

ଅପରପକ୍ଷେ ଆଜି ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ଦାମଙ୍କୁ ଜବାବ ଦେଇଛନ୍ତି।

ସେ କହିଛନ୍ତି, “ଦାମ ଏକୁଟିଆ ହୋଇ ଯାଇଛନ୍ତି। ଆମ ପାଖରେ ଦଳ ଓ ସଂଗଠନ ଅଛି। ମୁଖ୍ୟମନ୍ତ୍ରୀ ଚାହିଁଲେ ପାରାଦୀପରୁ ମୁଁ ଲଢ଼ିବାକୁ ପ୍ରସ୍ତୁତ। ଜିଲ୍ଲାରେ ଅନେକ ଦଳୀୟ କର୍ମୀଙ୍କୁ ଦାମବାବୁ ଡରାଇ ରଖିଥିଲେ। କିନ୍ତୁ ସେ ବିଜେଡିରୁ ବହିଷ୍କୃତ ହେବା ପରେ ସେମାନେ ଦଳକୁ ଆଗେଇ ନେବା ପାଇଁ ଆଗକୁ ଆସିବେ।”

Comment